ଆସନ୍ତା ୨୧ତାରିଖରେ ମହା ଶିବରାତ୍ରି : ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ରେ ଉଠିବ ଜାଗର ଦୀପ

ଟ୍ରଷ୍ଟବୋର୍ଡ ବୈଠକରେ ବାଜିଲା ମୋହର

ଲାଗିବ ଅଧିକ ସିସିଟିଭି
ମନ୍ଦିର ଆଗରେ ହେବ ଛାମୁଣ୍ଡିଆ
ବାଲି ବିଛା ହୋଇ ପଡ଼ିବ ସ୍ଲାବ୍‌

ପୁରୁଣା ଭୁବନେଶ୍ୱର : ଆସନ୍ତା ୨୧ତାରିଖରେ ମହା ଶିବରାତ୍ରି। ଏନେଇ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ଟ୍ରଷ୍ଟବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୋର୍ଧା ଜିଲ୍ଲାପାଳ ତଥା ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ସୀତାଂଶୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସେବାୟତଙ୍କ ସହ ଆଲୋଚନା କରାଯାଇ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ମହା ଶିବରାତ୍ରିରେ ଯେପରି ସବୁ ନୀତି ଶୃଙ୍ଖଳିତ ହେବ ସେନେଇ ଆଲୋଚନା ହୋଇଛି।

ମନ୍ଦିର କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ମହା ଶିବରାତ୍ରି ପୂର୍ବ ରାତି ଅଢ଼େଇଟା ପରେ ମନ୍ଦିର ଖୋଲାଯାଇ ରାତି ୩ଟାରେ ମଙ୍ଗଳ ଆଳତି ଓ ଅବକାଶ କରାଯିବ। ଏହାପରେ ସାହାଣମେଲା ସକାଳ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ। ଶ୍ରୀଜିଉଙ୍କ ଅନ୍ୟାନ୍ୟ ନୀତି ହୋଇ ପୁଣି ଅପରାହ୍‌ଣ ୩ଟା ୪୫ରୁ ୪ଟା ୪୫ମିନିଟ୍‌ ପର୍ଯ୍ୟନ୍ତ ଏବଂ ମହାଦୀପ ଉଠିବା ପରେ ରାତି ୧୦ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ପୂର୍ବ ବର୍ଷରେ ନୀତି ବିଳମ୍ୱ ହୋଇଥିବାରୁ ଚଳିତ ବର୍ଷ ଯେପରି ଠିକଣା ସମୟରେ ଅର୍ଥାତ୍ ରାତି ୧୦ଟାରେ ମହାଦୀପ ଉଠିବ ସେନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତ ବର୍ଷ ଅଧିକ ଭକ୍ତ ଆସିବା ସମ୍ଭାବନା ରହିଛି। ଏଣୁ ଅଧିକ ସଂଖ୍ୟକ ପୁଲିସ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଆଲୋଚନା ହୋଇଛି।

ସେହିପରି ମନ୍ଦିର ସମ୍ମୁଖରେ ଖାଲି ଥିବା ସ୍ଥାନରେ ବାଲି ବିଛା ହେବ। ଏହା ଉପରେ କିପରି ଶୀଘ୍ର ଟାଇଲ ବିଛା ହେବ ସେନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ମନ୍ଦିର ଚାରିପଟେ ବିଶେଷ କରି ସିଂହଦ୍ବାର ସମ୍ମୁଖରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯିବା ସହ ଚାରିଆଡ଼େ ସିସିଟିଭି କ୍ୟାମେରା ଲଗାଯିବ। ଭକ୍ତଙ୍କ ଠିଆ ହେବା ପାଇଁ ମନ୍ଦିର ସମ୍ମୁଖରେ ଓ ପାଚେରି କଡ଼ରେ ଛାମୁଣ୍ଡିଆ ହେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ମନ୍ଦିର ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା, ଏସିପି ଜୋନ୍‌-୨, ଅତିରିକ୍ତ ବିଏମ୍‌ସି କମିସନର ଅବନୀ ପଟ୍ଟନାୟକ, ପ୍ରଦୀପ କୁମାର ସାହୁ, ସକରାରୀ ଓକିଲ, ବିଭିନ୍ନ ନିଯୋଗର ପ୍ରତିନିଧି ଓ ଟ୍ରଷ୍ଟ ବୋର୍ଡର ସଦସ୍ୟ ଉପସ୍ଥିତ ଥିଲେ। ବୈଠକ ପରେ ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀ ରାଉତ ମନ୍ଦିର ସମ୍ମୁଖରେ ବୁଲି ଦେଖିଥିଲେ।

ସମ୍ବନ୍ଧିତ ଖବର