ଜଳିବ ଜାଗର, ଶ୍ରଦ୍ଧାଳୁଙ୍କୁ ମନ୍ଦିର ମନା

କମିବ ଅବଢ଼ା ବିକ୍ରି, ଚନ୍ଦ୍ରଶେଖରପୁର ‌ଶୈବପୀଠରେ କଟକଣା

ଖଣ୍ଡଗିରି: ବର୍ତ୍ତମାନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପୁଣି କିଛି କିଛି କ୍ଷେତ୍ରରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ପବିତ୍ର ଜାଗର ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଏଡ଼ାଇବାକୁ ଯାଇ ବିଭିନ୍ନ ଶୈବପୀଠରେ ଚଳିତ ବର୍ଷ କଟକଣା ଜାରି କରାଯାଇଛି। ସବୁ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ମହାଦୀପ ଉଠିବ, କିନ୍ତୁ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରେ ପ୍ରବେଶକୁ ବାରଣ କରାଯାଇଛି।

ସୂଚନାନୁସାରେ ଡେଲ୍‌ଟା କଲୋନି ୮ ନମ୍ବର ଗୋପବନ୍ଧୁ ନଗରର ଜଳେଶ୍ବର ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ମହାପ୍ରଭୁଙ୍କ ସବୁ ନୀତି ପାଳନ କରାଯିବ। କିନ୍ତୁ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରି ପାରିବେ ନାହିଁ ବୋଲି ମନ୍ଦିର ପୂଜକ ପୂର୍ଣ୍ଣଚନ୍ଦ୍ର ଶତପଥୀ କହିଛନ୍ତି। ଏଠାରେ ମହାଦୀପ ୧୦ଟା ୧୫ ସମୟରେ ଉଠିବ। ସେହିପରି କଳିଙ୍ଗବିହାର, ତମାଣ୍ଡୋ, ବରମୁଣ୍ଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଶୈବପୀଠରେ ବିଧି ଅନୁସାରେ ଜାଗର ପାଳିତ ହେବ। ମାତ୍ର ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ମନା କରାଯାଇଛି। ଖଣ୍ଡଗିରିବାରିସ୍ଥିତ ଦ୍ୱାଦଶ ଶିବଲିଙ୍ଗ ମନ୍ଦିରରେ କଟକଣାକୁ ସାମାନ୍ୟ କୋହଳ କରାଯାଇଛି। କୋଭିଡ୍ କଟକଣା ମଧ୍ୟରେ ୧୦ ଜଣ ଲେଖାଏଁ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯାଇଛି। ତେବେ ଏଠାରେ ବସି ରହି ଶ୍ରଦ୍ଧାଳୁମାନେ ଜାଗର ଦୀପ ଜାଳିବାକୁ ବାରଣ କରାଯାଇଛି।

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବିଭିନ୍ନ ଶୈବପୀଠରେ କେବଳ ବିଧି ରକ୍ଷା ଅନୁସାରେ ମହାଦୀପ ଉଠିବ। କୋଭିଡ୍‌ କଟକଣା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାକୁ ଦିଆଯିବ ନାହିଁ। କୌଣସି ମନ୍ଦିରରେ ଶ୍ରଦ୍ଧାଳୁମାନେ ଦୀପ ଜାଳିପାରିବେ ନାହିଁ। ଆଜି କମିସନରେଟ୍‌ ପୁଲିସ ପକ୍ଷରୁ ବିଭିନ୍ନ ମନ୍ଦିରର କର୍ମକର୍ତ୍ତାମାନଙ୍କୁ ଏନେଇ ଜଣାଇ ଦିଆଯାଇଛି। ତେଣୁ ଚନ୍ଦ୍ରଶେଖର ମହାଦେବ, ନୀଳାଦ୍ରିବିହାର ଇଶାନେଶ୍ବର ମହାଦେବ, ଶୈଳଶ୍ରୀବିହାର ରଙ୍ଗେଶ୍ବର ଦେବ, ପଥରଗାଡ଼ିଆ ସିଦ୍ଧେଶ୍ବର ମହାଦେବ, ଶିଖରଚଣ୍ଡୀ ନାରାୟଣ ଦେବ, ମଞ୍ଚେଶ୍ବର ମଞ୍ଚନାଥ ଦେବ, ରଙ୍ଗମାଟିଆ ରଙ୍ଗନାଥ ମହାଦେବ, ଭିଏସ୍ଏସ୍ ନଗର ଆଖଣ୍ଡଳମଣି ଓ କଳାରାହାଙ୍ଗ ଜଳେଶ୍ବର ମହାଦେବଙ୍କ ପୀଠରେ କଟକଣା ଭିତରେ ଜାଗର ଯାତ୍ରା ଅନୁଷ୍ଠିତ ହେବ। ଏନେଇ ବିଭନ୍ନ ମନ୍ଦିରରେ ଆଜି ସୂଚନା ଫଳକ ମଧ୍ୟ ଲଗାଯାଇଛି। ତେବେ ଯେଉଁଠି ହୋମଯଜ୍ଞ ଅନୁଷ୍ଠିତ ହେବାର ଅଛି, ସେଠାରେ ଯଜ୍ଞ ବ୍ରତୀ ଓ ଆୟୋଜକମାନେ ମନ୍ଦିରରେ ରହି ପାରିବେ।

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ କ୍ଷେତ୍ରାଧିପତି ହୋଇଥିବାବେଳେ ଅନ୍ୟତମ ପ୍ରମୁଖ ଦେବତା ହେଉଛନ୍ତି ପ୍ରଭୁ ଅନନ୍ତ ବାସୁଦେବ। ଏହି ଦୁଇ ମନ୍ଦିର ଅବଢ଼ା ପାଇଁ ପ୍ରସିଦ୍ଧି ଲାଭ କରିଛି। ତେବେ ଚଳିତ ବର୍ଷ ମହାଶିବରାତ୍ରି ଅବସରରେ ଅବଢ଼ା ବିକ୍ରି କମ୍ ହେବ ବୋଲି ସୂଚନା ମିଳିଛି। ପ୍ରତିବର୍ଷ ଜାଗର ଯାତ୍ରା ପାଇଁ ଏହି ଦୁଇ ମନ୍ଦିରରେ ଲକ୍ଷାଧିକ ଲୋକଙ୍କ ପାଇଁ ଅବଢ଼ା ତିଆରି ହୁଏ। ମହାଦୀପ ଉଠିବା ପରେ ଜାଗର ଉପାସକମାନେ ଅବଢ଼ା ଖାଇ ବ୍ରତ ସମାପନ କରନ୍ତି। କିନ୍ତୁ ଚଳିତ ବର୍ଷ କୋଭିଡ୍‌ କଟକଣା ଯୋଗୁଁ ଅବଢ଼ା ବିକ୍ରି କମାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ କହିବା ଅନୁଯାୟୀ ଶ୍ରୀଲିଙ୍ଗରାଜ ମନ୍ଦିରରେ ଚଳିତ ବର୍ଷ ୨୦ ହଜାର ଲୋକଙ୍କ ପାଇଁ ଅବଢ଼ା ବରାଦ ହୋଇଥିବାବେଳେ ଅନନ୍ତ ବାସୁଦେବ ମନ୍ଦିରରେ ୪୦ ହଜାର ଲୋକଙ୍କ ପାଇଁ ଅବଢ଼ା ରନ୍ଧା ହେବ। ମାଟି କୁଡ଼ୁଆ ମିଳୁ ନଥିବାରୁ ଚଳିତ ବର୍ଷ ଅବଢ଼ା ମୂଲ୍ୟ ବୃନ୍ଧି ପାଇବ ବୋଲି କୁହାଯାଇଛି।

ଶିବଲିଙ୍ଗ ନା କାଚକାମିନୀ ମଠର ସମାଧି!

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ଏକ ପରିତ୍ୟକ୍ତ ସ୍ଥାନରେ ରହିଛି ଏକ ଚର୍ଚ୍ଚିତ ଶିବଲିଙ୍ଗ। ଏହାକୁ ନେଇ ଏବେ ବି ଲୋକଙ୍କ ଭିତରେ କିଛି ସ୍ପଷ୍ଟ ସୂଚନା ନାହିଁ। କେହି କେହି ଏହାକୁ ଏକ ମନ୍ଦିରବିହୀନ ମହାଦେବ ବୋଲି କହୁଥିବାବେଳେ ଅନେକ ଏହାକୁ କାଚକାମିନୀ ମଠର ସମାଧିସ୍ଥଳ ବୋଲି କୁହନ୍ତି। ପରିତ୍ୟକ୍ତ ଖେଳ ପଡ଼ିଆରେ ଅନାବନା ଗଛବୁଦା ଭିତରେ ଥିଲେ ବି କିଛି ଲୋକ ଏହି ଶିବଲିଙ୍ଗକୁ ପୂଜା କରୁଛନ୍ତି। ତେବେ ବହୁ ସମୟରେ ଏଠାରେ ନାଗ ଦେବତାଙ୍କ ଆବିର୍ଭାବ ହୋଇଥାଏ ବୋଲି ସ୍ଥାନୀୟ ଲୋକେ କୁହନ୍ତି। ତେଣୁ ଅଧିକାଂଶ ଲୋକେ ଏଠାରେ ପୂଜା କରିବାକୁ ଭୟ କରନ୍ତି।

ସମ୍ବନ୍ଧିତ ଖବର