ବାଲିଅନ୍ତାରେ ଜାଗରଯାତ୍ରା; ବଡ଼ ମନ୍ଦିର ଖାଁ ଖାଁ, ଛୋଟ ମନ୍ଦିରରେ ଭିଡ଼

ଖଣ୍ଡଗିରି: ଖଣ୍ଡଗିରି ଅଞ୍ଚଳର ବିଭିନ୍ନ ଶୈବ ପୀଠରେ ଶୃଙ୍ଖଳିତ ଭାବେ ଶ୍ରଦ୍ଧାଳୁ ମହାଦେବଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପୂର୍ବବର୍ଷ ଭଳି ଚଳିତ ବର୍ଷ କୌଣସି ମନ୍ଦିରରେ ସେପରି ଭିଡ଼ ଦେଖାଯାଇ ନଥିଲା। କିଛି ଶ୍ରଦ୍ଧାଳୁ ବଡ଼ବଡ଼ ମନ୍ଦିରକୁ ନ ଯାଇ ବିଭିନ୍ନ କଲୋନି ଓ ଗଳି ଅଞ୍ଚଳରେ ଥିବା ଛୋଟ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହି କାରଣରୁ ଛୋଟ ମନ୍ଦିରଗୁଡ଼ିକରେ ଆଜି ଭିଡ଼ ଦେଖିବାକୁ ମିଳିଥିଲା। ତେବେ ଉକ୍ତ ମନ୍ଦିରଗୁଡ଼ିକରେ ମନ୍ଦିର ପ୍ରଶାସନ ତରଫରୁ ସାମାଜିକ ଦୂରତା ରକ୍ଷା ରଖିବା, ମାସ୍କ ପିନ୍ଧିବା ଓ ହାତକୁ ସାନିଟାଇଜ୍ କରିବା ଆଦି ଉପରେ ଗୁରୁତ୍ବ ଦିଆଯାଇଥିଲା।

ୟୁନିଟ୍‌-୮ ଜଳେଶ୍ବର ମନ୍ଦିରରେ ଭକ୍ତଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା। ମନ୍ଦିର ବାହାରେ ଭକ୍ତ ଦୀପ ଦାନ କରିଥିଲେ। ମନ୍ଦିରର ନୀତିକାନ୍ତିରେ କୌଣସି ହେଳା ହୋଇ ନଥିବା ଓ ସୂଚାରୁ ରୂପେ ଠାକୁରଙ୍କ ସମସ୍ତ ନୀତି ସମ୍ପନ୍ନ ହବା କଥା ମନ୍ଦିର ପୂଜକ ପୂର୍ଣ୍ଣଚନ୍ଦ୍ର ଶତପଥୀ କହିଛନ୍ତି। ମନ୍ଦିରରେ ମହାଦୀପ ରାତି ୧୦ଟାରେ ଉଠିଥିଲା। ସେହିପରି ଦ୍ୱାଦଶ ଶିବଲିଙ୍ଗ ମନ୍ଦିରରେ ୧୦ଜଣ ଲେଖାଏଁ ଭକ୍ତଙ୍କୁ ମନ୍ଦିର ପରିସରକୁ ଯିବାର ଅନୁମତି ମିଳିଥିଲା। ଏଠାରେ ରାତି ୧୦ଟା ୩୦ରେ ମହାଦୀପ ଉଠିଥିଲା। କଳିଙ୍ଗବିହାର ଅଞ୍ଚଳରେ ରାତି ୧୦ଟା ୩୦ରେ ମହାଦୀପ ଉଠିଥିଲା। ଜାଗର ଉପଲକ୍ଷେ ବାବା ନୀଳକଣ୍ଠେଶ୍ବରଙ୍କୁ ଦର୍ଶନ କରିବା ପାଇଁ ଯାତ୍ରା କଳାକାର ଦୈତ୍ୟାରି ପଣ୍ଡା ଆସିଥିବା ବେଳେ ସନ୍ଧ୍ୟାରେ ଅନୁଷ୍ଠିତ ଭଜନ ସମାରୋହରେ ପୁରୀରୁ ଆସିଥିବା କଳାକାରମାନେ ଭଜନ ପରିବେଷଣ କରିଥିଲେ। ଘାଟିକିଆ ଶିବ ମନ୍ଦିର ପରିସରରେ କେବଳ କୀର୍ତ୍ତନ ମଣ୍ଡଳୀ ଓ ଠାକୁରଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିଥିଲା।

ବାଲିଅନ୍ତାରେ ଜାଗରଯାତ୍ରା
ନଖରାସ୍ଥିତ ଲକ୍ଷେଶ୍ବର ମନ୍ଦିରରେ ରାତି ୧୦ଟା‌ରେ ମହାଦୀପ ଉଠିଛି। ମନ୍ଦିର ପରିସର ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇପଡ଼ିଥିଲା। ମନ୍ଦିରକୁ ବିଭିନ୍ନପ୍ରକାରର ଫୁଲ ଏବଂ ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା। ସକାଳ ସାଢ଼େ ୪ଟାରେ ମନ୍ଦିର ମୁଖ୍ୟ ଫାଟକ ଖୋଲାଯିବା ପରେ ସ୍ବତନ୍ତ୍ର ପୂଜାନୀତି ଆରମ୍ଭ ହୋଇଥିଲା। ମାର୍ଜନା ଓ ସ୍ନାନ ପରେ ୫ଟାରେ ଠାକୁରଙ୍କ ନିକଟରେ ବାଳଧୂପ ଲାଗି ହୋଇଥିଲା। ଅପରାହ୍‌ଣ ୪ଟାରେ ବଡ଼ସିଂହାର ବେଶ ସଂପନ୍ନ ହୋଇଥିଲା। କୋଭିଡ୍‌ ନିୟମ ପାଳନ କରି ସଂଧ୍ୟାରେ ମନ୍ଦିର ବାହାରେ ଶହ ଶହ ଶ୍ରଦ୍ଧାଳୁ ଦୀପ ଜାଳିଥିଲେ। ମନ୍ଦିର ପରିସରରେ ନାମସଂକୀର୍ତ୍ତନ ଓ ଭଜନକୀର୍ତ୍ତନ ପରିବେଷଣ ହୋଇଥିଲା। ଟ୍ରଷ୍ଟର ସଂପାଦକ ବଂଶୀଧର ଭୋଳ ଏବଂ ସଭାପତି ଅନନ୍ତ ଚରଣ ବରାଳଙ୍କ ସମେତ ସମସ୍ତ ପୂଜକ, ସେବାୟତ, ପରିଷଦବର୍ଗ କାର୍ଯ୍ୟ ପରିଚାଳନା କରିଥିଲେ। ଅନୁରୂପ ଭାବେ ବେଣୁପୁରସ୍ଥିତ ନୀଳକଣ୍ଠେଶ୍ବର ମନ୍ଦିର, ପ୍ରତାପରୁଦ୍ରପୁର ଆଖଣ୍ଡଳେଶ୍ବର ମନ୍ଦିର ଓ ସିଦ୍ଧେଶ୍ବର ମନ୍ଦିର ସମେତ ଅନ୍ୟ ସମସ୍ତ ଶୈବ ପୀଠରେ ମହାଦୀପ ସ୍ଥାପନ ବିଧି ଅନୁଷ୍ଠିତ ହୋଇଯାଇଛି।

ସମ୍ବନ୍ଧିତ ଖବର