ଜଗଦୀଶଙ୍କ ଗଳ୍ପର କାହାଣୀ ଗାଳ୍ପିକ ହିଁ ଗଢ଼ନ୍ତି

ଜଗଦୀଶ ଜୟନ୍ତୀ

ଭୁବନେଶ୍ବର : ବିଶିଷ୍ଟ କଥାକାର ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ହୋଟେଲ୍‌ କେଶରୀରେ ଅନୁଷ୍ଠିତ ହୋଇଛି ‘ଜଗଦୀଶ ଜୟନ୍ତୀ’। ଜଗଦୀଶ ମହାନ୍ତି ଟ୍ରଷ୍ଟ୍‌ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଟିକେ ନିଆରା ଢଙ୍ଗରେ ହୋଇଥିଲା। ସହିଦ ସୈନିକଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ପରେ ଜଗଦୀଶଙ୍କ ‘ମେଫିଷ୍ଟୋଫେଲିସ୍‌ ସାଙ୍ଗରେ ଲଢ଼େଇ’ ଗଳ୍ପର ନାଟକୀୟ ଉପସ୍ଥାପନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଟ୍ରଷ୍ଟ୍‌ର ସମ୍ପାଦକ ତଥା କବି ସରୋଜ ବଳ।

ଏହି ଅବସରରେ କବି ଓ ଚିନ୍ତକ ହରପ୍ରସାଦ ଦାସ ଅତିଥି ଭାବେ ଯୋଗଦେଇ କହିଲେ, ଜଗଦୀଶଙ୍କ ଗଳ୍ପର ଚରିତ୍ରମାନେ କାହାଣୀ ଗଢ଼ନ୍ତିନାହିଁ ବରଂ ଗାଳ୍ପିକ ହିଁ ଗଢ଼ନ୍ତି। ଏହି ଅବସରରେ ପରେଶ କୁମାର ପଟ୍ଟନାୟକଙ୍କୁ ‘ଜଗଦୀଶ କଥା ସମ୍ମାନ’ ଏବଂ ବିରଜା ରାଉତରାୟଙ୍କୁ ‘ଜଗଦୀଶ ଯୁବ ସମ୍ମାନ’ ପ୍ରଦାନ କରାଯାଇଥିଲା। ପରେଶ ପଟ୍ଟନାୟକ ଜଗଦୀଶଙ୍କ ଜୀବନ ସମ୍ପର୍କରେ କିଛି ଗୋପନ କଥା ଉପସ୍ଥାପନ କରିଥିଲେ। ସମୀକ୍ଷକ ଓ ଲେଖକ କ୍ଷୀରୋଦ ଚନ୍ଦ୍ର ବେହେରା ସନ୍ଦର୍ଭ ପାଠ କରିଥିଲେ। ଟ୍ରଷ୍ଟ୍‌ର ଅଧ୍ୟକ୍ଷା ଓ କଥାକାର ସରୋଜିନୀ ସାହୁ ଶେଷ ବକ୍ତବ୍ୟ ରଖିଥିଲେ। ବିଶିଷ୍ଟ କବି ରମାକାନ୍ତ ରଥ, କଥାକାର ଗୌରହରି ଦାସ, ଅଧ୍ୟାପକ ବିଶ୍ବରଂଜନ, ସହଦେବ ସାହୁ ଏବଂ ସଦାନନ୍ଦ ତ୍ରିପାଠୀ ଅତିଥିଙ୍କୁ ସମ୍ମାନିତ କରିଥିଲେ। ପ୍ରାରମ୍ଭରେ କବି ପବିତ୍ର ମୋହନ କର ସ୍ବାଗତ ଭାଷଣ ଦେଇଥିଲେ। ଶ୍ରୀ ବଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବ୍ୟଙ୍ଗକବି ହୁଗୁଳା, ବଳରାମ ନାୟକ ଏବଂ ପ୍ରିୟାଂଶୁ ପ୍ରିୟଦେବ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର