ଖଣ୍ଡଗିରି: ପୁଣି ବନ୍ୟା ଚିନ୍ତାରେ ଜଗମୋହନନଗର, ସାଇ କଂପ୍ଲେକ୍ସ, ଗ୍ରିନ୍ ପାର୍କ, ଅମୃତନଗର ସମେତ ଆଖପାଖ ଅଞ୍ଚଳର ଅନେକ ପରିବାର। ସାମାନ୍ୟ ବର୍ଷାରେ ପ୍ରତିବର୍ଷ ସ୍ଥାନୀୟ ଅଞ୍ଚଳବାସୀ ପାଣି ଘେରକୁ ଚାଲି ଆସନ୍ତି। ଏହି ସମସ୍ୟା ସମାଧାନ ପାଇଁ ୮ ଏବଂ ୯ ନମ୍ବର ନାଳର ପୁନରୁଦ୍ଧାର ପାଇଁ ନିଷ୍ପତ୍ତି ନିଆଯାଇଥିଲା। ୮ ନମ୍ବର ନାଳ କାମ ୬ ବର୍ଷ ହେଲା ଅଧାପନ୍ତରିଆ ହୋଇ ପଡ଼ିରହିଛି। ୯ ନମ୍ବର ନାଳର ନିର୍ମାଣ କାର୍ଯ୍ୟ ହିଁ ଆରମ୍ଭ ହୋଇନାହିଁ। ବିଏମ୍ସି ପକ୍ଷରୁ କାହିଁକି ଆଜି ପର୍ଯ୍ୟନ୍ତ ନାଳ ପାଇଁ ଜମି ଅଧିଗ୍ରହଣ କରାଯାଇପାରୁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ୱାର୍ଡ ନମ୍ବର ୬୩ର କର୍ପୋରେଟର।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ସମୟ ଗଡ଼ିଗଡ଼ି ଯାଉଛି, କିନ୍ତୁ ଏହି ଦୁଇ ନାଳର ପୁନରୁଦ୍ଧାର ହୋଇପାରୁନାହିଁ। ସେଥିରେ ପୁଣି ସ୍ବେରେଜ୍ ନିର୍ମାଣ ବେଳେ ଅଧିକାଂଶ ନାଳକୁ ଭାଙ୍ଗି ଦିଆଯାଇଛି। ଧର୍ମବିହାରରେ ହାଉସିଂବୋର୍ଡ ପକ୍ଷରୁ କିଛି ନାଳ ନିର୍ମାଣ ହୋଇଥିଲା। ଯାହା ଆଜିର ସ୍ଥିତି ପାଇଁ ଯଥେଷ୍ଟ ନୁହେଁ। ଏଥିଯୋଗୁଁ ଏଠାରେ ନାଳରେ ପାଣି ନିଷ୍କାସନ ସମସ୍ୟା ଲାଗି ରୁହେ। ସାମାନ୍ୟ ବର୍ଷାରେ ପାଣି ଜମି ରୁହେ। କୃତ୍ରିମ ଜଳାଶୟର ଭ୍ରମ ସୃଷ୍ଟି କରେ। ଅନେକ ସମୟରେ ସ୍ଥିତି ବିପଜ୍ଜନକ ହୁଏ। ଆଶା ଥିଲା ଯେ ୮ ନମ୍ବର ନାଳ ନିର୍ମାଣ ପରେ ଏହି ସ୍ଥାନକୁ ଧର୍ମବିହାର ନାଳ ସଂଯୋଗ ହେବ। ୮ ନମ୍ବର ନାଳ ବରମୁଣ୍ଡା ବସଷ୍ଟାଣ୍ଡର ପଛପଟରୁ ବାହାରି ସରକନ୍ତରା ପର୍ଯ୍ୟନ୍ତ ଯିବା ପାଇଁ ପରିକଳ୍ପନା କରାଯାଇଥିଲା। କିନ୍ତୁ ଓୟୁଏଟି ଫାର୍ମ ଦେଇ ଗଣ୍ଡାମୁଣ୍ଡା ଛକ ପାଖରେ ରହିଯାଇଛି।
ଏଥିଯୋଗୁଁ ଜଗମୋହନନଗର ଅଧିବାସୀ ବର୍ଷାରେ ଯେଉଁ କଷ୍ଟ ପାଉଛନ୍ତି, ତା’ର ସମାଧାନ ପାଇଁ ଅସ୍ଥାୟୀ ଭାବରେ ବନ୍ଧବାଡ଼ ଦେଇ ଅଟକାଇ ରଖାଯାଇଛି। ୯ ନମ୍ବର ନାଳ ଘାଟିକିଆରୁ ବାହାରି ସରକନ୍ତରା ପର୍ଯ୍ୟନ୍ତ ଯିବା କଥା। କିନ୍ତୁ ଏହାର ନିର୍ମାଣ ମଧ୍ୟ ଆରମ୍ଭ ହୋଇନାହିଁ। କାହିଁକି ବିଏମ୍ସି ଜମି ଅଧିଗ୍ରହଣ କରିପାରୁ ନାହିଁ ଏବଂ ବର୍ଷ-ବର୍ଷ ଧରି ଏହି କାର୍ଯ୍ୟ ପକାଇ ରଖିଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ମାସ ପରେ ବର୍ଷା ଆସିଯିବ। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଠାରୁ ନାଳର ସଫେଇ କିମ୍ବା ଅସ୍ଥାୟୀ ବ୍ୟବସ୍ଥା ହେବା କଥା। ତାହା ମଧ୍ୟ ହେଉନଥିବା ଅଭିଯୋଗ ହେଉଛି। ଏଥିଯୋଗୁଁ ଚଳିତ ବର୍ଷ ପୁଣି ୱାର୍ଡ ନମ୍ବର ୬୩ ଅଧିବାସୀ ହନ୍ତସନ୍ତ ହେବେ। ଏହା ଏବେଠାରୁ ସ୍ପଷ୍ଟ ହେଲାଣି।