ବସନ୍ତ ଦାଶ
ବାଲିପାଟଣା: ଦୃଢ଼ ମନୋବଳ, ଅଦମ୍ୟ ଇଛାଶକ୍ତି, କଠିନ ପରିଶ୍ରମ ଓ ନିଷ୍ଠାପର ସାଧନା ଥିଲେ ଅସମ୍ଭବ ଲାଗୁଥିବା ଲକ୍ଷ୍ୟ ବି ସମ୍ଭବ ହୁଏ। ଅବସରପ୍ରାପ୍ତ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ଦାଶ ଏହାର ଜଣେ ସୁନ୍ଦର ଉଦାହରଣ। ତାଙ୍କର ମନୋବଳ ଆଗରେ କର୍କଟ ଭଳି ରୋଗ ମଧ୍ୟ ହାର ମାନିଛି। ଲେଖକ ଭାବେ ସାର୍ ଈର୍ଷଣୀୟ ସଫଳତା ହାସଲ କରିଛନ୍ତି। ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ ସରାଟ ଶାସନ ଗ୍ରାମର କାର୍ତ୍ତିକ ଚନ୍ଦ୍ର ଦାଶ ବାଳକାଟୀ ସ୍ଥିତ ପ୍ରତାପଶାସନ ହାଇସ୍କୁଲରେ କଳାଶିକ୍ଷକ ଭାବେ ୧୯୮୨ରୁ ଚାକିରି ଆରମ୍ଭ କରି ୨୦୧୧ ମସିହାରେ ଅବସର ଗ୍ରହଣ କରିଛନ୍ତି। ୧୯୮୦ ମସିହାରୁ ତାଙ୍କର ସାରସ୍ବତ ସାଧନା ଆରମ୍ଭ ହୋଇଥିଲା। ତାଙ୍କ ଲିଖିତ ପ୍ରକାଶିତ ବହିର ସଂଖ୍ୟା ୭୦ରୁ ଅଧିକ, ଯାହା ଭିତରେ ରହିଛି ଗଳ୍ପ ସଂକଳନ, ନାଟକ ଓ ପାଠ୍ୟ ପୁସ୍ତକ। ମୌଳିକ ଗଳ୍ପ ସହିତ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ, ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମ, ପାଇକ ବିଦ୍ରୋହ, ଆଦିବାସୀ ଲୋକକଥା, ସତ୍ୟସାଇ ବାବାଙ୍କ ଜୀବନୀ ଓ କାହାଣୀ, ଭାଷଣ ମାଳା, ଜାଣିବା କଥା ଆଦି ଉପରେ ତାଙ୍କର ଅନେକ ବହି ପ୍ରକାଶିତ ହୋଇଛି। ତାଙ୍କର ଲେଖା ଓଡ଼ିଶାର ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକା ସମେତ ‘ଉତ୍କଳ ପ୍ରସଙ୍ଗ’ ଆଦିରେ ନିୟମିତ ପ୍ରକାଶ ପାଇଛି। ତାଙ୍କର ପ୍ରଥମ ପ୍ରକାଶିତ ବହି ‘ରକ୍ତତୀର୍ଥ ଓଡ଼ିଶା’ ଓ ୩୦୦ରୁ ଅଧିକ ପୃଷ୍ଠା ଥିବା ବହି ‘ସଶସ୍ତ୍ର ମୁକ୍ତି ସଂଗ୍ରାମ’ ବହୁସଂଖ୍ୟାରେ ବିକ୍ରି ହୋଇଛି। ଏହାବାଦ୍ ରେଡିଓରେ ମଧ୍ୟ ତାଙ୍କର ଅନେକ ନାଟକ ପରିବେଷିତ ହୋଇଛି। ସେ କେବଳ ନାଟକ ଲେଖି ନାହାନ୍ତି, ଜଣେ ଭଲ ଅଭିନେତା ଭାବେ ମଧ୍ୟ ନିଜର କଳା ପ୍ରଦର୍ଶନ କରିଛନ୍ତି। ୧୯୮୦ ମସିହାରୁ ୨୦୧୧ ପର୍ଯ୍ୟନ୍ତ କଟକ ରେଡିଓ ଷ୍ଟେସନ ସହିତ ସଂପୃକ୍ତ ରହିଥିଲେ। ସେ ସମୟରେ ପ୍ରସାରିତ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମରେ ତାଙ୍କ ଲିଖିତ ୫୦ରୁ ଅଧିକ ନାଟକ ଓ ରୂପକ ପ୍ରସାରିତ ହୋଇଥିଲା। ଅପରପକ୍ଷେ ସେ ସମୟରେ ରାଜ୍ୟ ସରକାରଙ୍କ ‘କଳାପଟା ଅଭିଯାନ’ରେ ତାଙ୍କର ୫୦ରୁ ଊର୍ଧ୍ବ ପାଣ୍ଡୁଲିପି ସ୍ୱୀକୃତି ପାଇଥିଲା। ନିଜ ସାରସ୍ବତ ସାଧନା ପାଇଁ ଶ୍ରୀ ଦାଶ ଅନେକ ଅନୁଷ୍ଠାନ ତରଫରୁ ପୁରସ୍କାର ଓ ସମ୍ବର୍ଦ୍ଧନା ପାଇଛନ୍ତି। ଅବସର ପରେ ବୃକ୍ଷରୋପଣ ମଧ୍ୟ ସାର୍ଙ୍କର ଅନ୍ୟତମ ନିଶା ପାଲଟିଛି। ନିଜବାଡ଼ିରେ ସେ ୫୦୦ରୁ ଅଧିକ ନଡ଼ିଆ, ଗୁଆ, ଆମ୍ବ, ଲେମ୍ବୁ ସହିତ ଫୁଲ ଲଗାଇ ସେଗୁଡ଼ିକର ନିୟମିତ ଯତ୍ନ ନେଉଛନ୍ତି। ବୃକ୍ଷରୋପଣ ପାଇଁ ସେ ଅନେକ ଲୋକଙ୍କୁ ଉତ୍ସାହିତ କରିବା ସହିତ ଚାରା ବଣ୍ଟନ କରନ୍ତି।
ଆହୁରି ବଡ଼କଥା ହେଲା, ୧୯୯୦ ମସିହାରେ ଶ୍ରୀ ଦାଶ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣା ପଡ଼ିଥିଲା। ସେହି ଅଭିଜ୍ଞତା ବର୍ଣ୍ଣନା କରି ସେ କହନ୍ତି, କିଛିଦିନ କଟକ ମେଡିକାଲରେ ଚିକିତ୍ସିତ ହେବାପରେ ସେ ଘରକୁ ଫେରିଆସି ହୋମିଓପ୍ୟାଥି ଔଷଧ ସେବନ ସହିତ ନିଷ୍ଠାପର ଭାବେ ଭଗବତ୍ ଶରଣରେ ନିଜକୁ ସମର୍ପଣ କରି ଦେଇଥିଲେ। ଯୋଗ ଓ ପ୍ରାଣାୟମ ଆଦି କରିଥିଲେ। ଆଶ୍ଚର୍ଯ୍ୟର କଥା, କିଛିଦିନ ମଧ୍ୟରେ କର୍କଟର ମାତ୍ରା କମିବା ଆରମ୍ଭ କରିଥିଲା। ଏବେ ସେ ସଂପୂର୍ଣ୍ଣ ରୋଗମୁକ୍ତ।
ମଣିଷ ଜୀବନ ଦୁର୍ଲଭ। ତେଣୁ କୌଣସି ପରିସ୍ଥିତିରେ ନିଜକୁ ଅସହାୟ ମନେ ନକରିବାକୁ ଶ୍ରୀ ଦାଶ ପରାମର୍ଶ ଦିଅନ୍ତି। ଶିକ୍ଷକ ଭାବେ ବାଳକାଟୀ ଅଞ୍ଚଳରେ ସେ ଖୁବ୍ ଲୋକପ୍ରିୟ। ଅନେକ ଛାତ୍ରଙ୍କୁ ପରାମର୍ଶ ଓ ସାହାଯ୍ୟ ଜରିଆରେ ବିଭିନ୍ନ କ୍ଷେତ୍ରରେ ସେ ପ୍ରତିଷ୍ଠିତ କରିଛନ୍ତି। ଦେଶ ବିଦେଶରେ ଥିବା ଅନେକ ପୁରାତନ ଛାତ୍ର ସେମାନଙ୍କର ପ୍ରିୟ କାର୍ତ୍ତିକ ସାର୍ଙ୍କୁ ମନେ ପକାନ୍ତି।