ଡ୍ରେନ୍ ମଇଳା ଭିତରେ ଜୟ କିଷାନ ବସ୍ତି: ହନ୍ତସନ୍ତ ୫୦୦ ପରିବାର

ଭୁବନେଶ୍ବର: ରାଜଧାନୀରେ ଡ୍ରେନ୍‌ ସମସ୍ୟା ସୁଧାରିବା ପାଇଁ ବିଏମ୍‌ସି ପକ୍ଷରୁ ବହୁ ଯୋଜନା କରାଯାଉଛି। ଏଥିପାଇଁ ବିଗତ କିଛି ବର୍ଷ ହେଲା ବିଏମ୍‌ସି ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ପରିତାପର କଥା କେବଳ କିଛି ସ୍ବତନ୍ତ୍ର ଅଞ୍ଚଳକୁ ବିଏମ୍‌ସି ଧ୍ୟାନ ଦେଉଛି ବୋଲି ଅଭିଯୋଗ ହେଉଛି। ବିଶେଷକରି ଗରିବ ବସ୍ତିବାସିନ୍ଦାଙ୍କୁ ବିଏମ୍‌ସି ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଏଭଳି ଅଭିଯୋଗ ଆସିଛି ବିଏମ୍‌ସିର ୪୧ ନମ୍ବର ୱାର୍ଡସ୍ଥିତ ଜୟ କିଷାନ ବସ୍ତିରୁ। ଏହି ବସ୍ତି ଦେଇ ଯାଇଥିବା ଡ୍ରେନ୍‌ଟି ବର୍ଷ ବର୍ଷ ଧରି ସଫେଇ ହେଉନଥିବାରୁ ନର୍ଦ୍ଦମାର ପଚା ପାଣି ଭିତରେ ୫ ଶହ ପରିବାର ବଡ଼ କଦର୍ଯ୍ୟ ଜୀବନଯାପନ କରୁଛନ୍ତି ବୋଲି କହିଛନ୍ତି।

ବସ୍ତିବାସିନ୍ଦାମାନଙ୍କ ଅଭିଯୋଗ ଅନୁସାରେ ବିଏମ୍‌ସି ୪୧ ନମ୍ବର ୱାର୍ଡ ୟୁନିଟ୍-୩ ନିକଟ ମାଳିସାହିକୁ ଲାଗି ରହିଥିବା ଏହି ଜୟ କିଷାନ ବସ୍ତି ସ୍ମାର୍ଟ ସିଟିର ପ୍ରମୁଖ ଅଞ୍ଚଳ ଭିତରେ ରହିଛି। ଜନପଥରେ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଓ ଶ୍ରୀୟା ଟକିଜ୍ ଛକରୁ ଅନତି ଦୂରରେ ଏହି ବସ୍ତି ରହିଛି। ପ୍ରାୟ ୪୦ ବର୍ଷର ଏହି ବସ୍ତିରେ ୫ ଶହରୁ ଅଧିକ ପରିବାର ରହିଆସୁଛନ୍ତି। ଶ୍ରମିକ, ଅଟୋଚାଳକ, ଉଠା‌ ଦୋକାନୀ, କବାଡ଼ିଆ ବେପାର ଓ ଘରୋଇ ସହାୟକଭାବେ କାମ କରୁଥିବା ଗରିବ ଲୋକେ ହିଁ ଏହି ବସ୍ତିର ବାସିନ୍ଦା। ଏହି ବସ୍ତି ଦେଇ ଯାଇଥିବା ଡ୍ରେନ୍‌ଟି ବହୁ ପୁରୁଣା। ନୂଆପଲ୍ଲୀ ଅଞ୍ଚଳରୁ ଆସିଥିବା ଏହି ଡ୍ରେନ୍‌ଟି ବଡ଼ଗଡ଼ କେନାଲ ଦେଇ ଗଙ୍ଗୁଆ ନାଳକୁ ପଡ଼ିଛି। ରାଜଧାନୀର ପ୍ରମୁଖ ଡ୍ରେନ୍‌ମାନଙ୍କ ଭିତରେ ଏହା ଅନ୍ୟତମ। ମାତ୍ର ଗତ ୫ ବର୍ଷ ହେଲା ଏହି ଡ୍ରେନ୍‌ରୁ ମାଟି ମୁଠାଏ ଉଠା ଯାଇନାହିଁ।

ଫଳରେ ଡ୍ରେନ୍‌ଟି ପୋତି ହୋଇଗଲାଣି। ଡ୍ରେନ୍‌ ସାରା ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଛି। ଫଳରେ ବର୍ଷା ହେଉ କି ନହେଉ ଏଥିରେ ପ୍ରବାହିତ ପଚା ପାଣି ସବୁବେଳେ ରାସ୍ତା ଉପରକୁ ଉଛୁଳି ଆସୁଛି। ତେଣୁ ବର୍ଷର ସବୁ ସମୟରେ ଏହି ବସ୍ତିରେ ଦୁର୍ଗନ୍ଧର ବଳୟ ଭିତରେ ରହୁଛି। ବସ୍ତିବାସିନ୍ଦମାନଙ୍କ କହିବା କଥା ଦିହସୁହା ହୋଇଗଲାଣି। ଅନ୍ୟ ବାଟ କିଛି ନଥିବାରୁ ବାଧ୍ୟ ହୋଇ କଷ୍ଟରେ କଲବଲ ହୋଇ ସେମାନେ ରହୁଛନ୍ତି। ବର୍ଷା ବେଳେ ସ୍ଥିତି ଅଧିକ ବିଗିଡ଼ି ଯାଉଛି। ପଚାପାଣି ନିସ୍କାସନ ହୋଇନପାରି ରାସ୍ତାକୁ ଭାସି ଆସି ଘରେ ଘରେ ପଶୁଛି। ପଚା ପାଣି ଭିତରେ ଗନ୍ଧ ସାଙ୍ଗକୁ ସାପ ବେଙ୍ଗଙ୍କ ସହ ରାତି କାଟିବାକୁ ପଡ଼ୁଛି। ଗତ ପାଞ୍ଚ ବର୍ଷ ହେଲା ସେମାନେ ଏମିତି କଷ୍ଟରେ ହନ୍ତସନ୍ତ ହେଉଛନ୍ତି। ସେମାନଙ୍କ ଆଖି ଆଗରେ ସ୍ମାର୍ଟ ସିଟି ପାଇଁ କୋଟି କୋଟି ଟଙ୍କା ଜନପଥରେ ଖର୍ଚ୍ଚ ହେଉଛି। ମାତ୍ର ସେଇଠୁ କିଛି ଗଜ ଦୂରରେ ଥିବା ସେମାନଙ୍କ ବସ୍ତି ଉପରେ କାହାର ନଜର ପଡ଼ୁନାହିଁ।

ବସ୍ତିର ରଘୁନାଥ ସ୍ବାଇଁଙ୍କ କହିବା କଥା ସ୍ମାର୍ଟ ସିଟି ପ୍ରକଳ୍ପ ହେବା ପରେ ସେମାନଙ୍କ ବସ୍ତିର ଭାଗ୍ୟ ବଦଳିବ ବୋଲି ସେମାନେ ଭାବିଥିଲେ। କିଛି ନହେଲେ ବି ଡ୍ରେନ୍‌ଟି ସଫାସୁତୁରା ରହିବ ଓ ଭଲ ରାସ୍ତା ଖଣ୍ଡେ ସେମାନଙ୍କୁ ମିଳିବ ବୋଲି ସେମାନେ ବୁଝିଥିଲେ। କିନ୍ତୁ ଜନପଥରେ କୋଟି କୋଟି ଟଙ୍କା ପାଣି ଭଳି ବୋହି ଯାଉଛି ସିନା ସେମାନଙ୍କ ବସ୍ତିକୁ କେହି ଆଡ଼ ନଜରରେ ଅନାଉନାହାନ୍ତି। କବାଡ଼ିଆମାନଙ୍କ ଦ୍ବାରା ରାସ୍ତା ଜବରଦଖଲ ହୋଇ ରହିଛି। ବସ୍ତିକୁ ଆମ୍ବୁଲାନ୍‌ସ ଆସିପାରୁନାହିଁ। ଡ୍ରେନ୍‌ ସଫା ହେଉନଥିବାରୁ ପଚାଗନ୍ଧରେ ରହିବାକୁ ପଡ଼ୁଛି। ଏନେଇ ବିଏମସି୍ ଅଧିକାରୀଙ୍କୁ ଅନେକ ଥର ଜଣାଇଥିଲେ ମଧ୍ୟ କିଛି କାମ ହେଉନାହିଁ। ପୂର୍ବତନ କର୍ପୋରେଟର ରାଜକିଶୋର ସାହୁଙ୍କ କହିବା କଥା ଲିଖିତ ଆକାରରେ ଅନେକ ଥର ବିଏମସି୍ ଅଧିକାରୀଙ୍କୁ ଜଣାଇଛୁ, କିନ୍ତୁ ଏହାର ପ୍ରତିକାର ହେଉନାହିଁ।

ସମ୍ବନ୍ଧିତ ଖବର