ଭୁବନେଶ୍ବର: ଦିନ ଥିଲା, ଜେଲ୍ ନାଁ ଶୁଣିଲେ ନାମୀ କୁଖ୍ୟାତ ଅପରାଧୀଙ୍କ ମନରେ ଛନକା ପଶୁଥିଲା। କେହି କେବେ ଦେଖି ନଥିବା କାଳ କୋଠରୀ ବୋଲି ଜେଲ୍କୁ ବୁଝାପଡ଼ୁଥିଲା। ବଙ୍କା, ଚେପେଟା ରସ ଥାଳି ଓ ତାଟିଆରେ ବଗଡ଼ା ଚାଉଳର ଭାତ, ଦରପୋଡ଼ା ରୁଟି, ପାଣିଆ ଡାଲି ମିଳୁଥିଲା ଖାଇବା ପାଇଁ। ଅଖା ଭଳି କମ୍ବଳ ମିଳୁଥିଲା ଘୋଡ଼ିହେବାକୁ। ପଥର ଭାଙ୍ଗିବାକୁ ପଡ଼ୁଥିଲା ଦିନସାରା। ୬୦/୭୦ ଦଶକରେ ଜେଲ୍ ଭିତରର ଏଭଳି ଚିତ୍ର ଚଳଚ୍ଚିତ୍ରରେ ଦେଖିବାକୁ ମିଳୁଥିଲା। କିନ୍ତୁ ଆଜି ସମୟ ବଦଳିଯାଇଛି। ଜେଲ୍ ଆଉ କାଳ କୋଠରୀ ହୋଇ ନାହିଁ। ଅନେକ ସଂସ୍କାର ଆସିଛି ଜେଲ୍ ପରିଚାଳନାରେ। କଏଦୀମାନଙ୍କୁ ଆଉ ରାଜରାଜୁଡ଼ା ଅମଳର ବନ୍ଦୀମାନଙ୍କ ଭଳି ପଶୁ ସଦୃଶ ବ୍ୟବହାର କରାଯାଉନାହିଁ। ସେମାନଙ୍କର ସାଧାରଣ ମଣିଷ ଭଳି ବଞ୍ଚିବାର ଅଧିକାର ରହିଛି ବୋଲି ଏବେ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ଚାଲିଛି। କୌଣସି କାରଣରୁ ପରିସ୍ଥିତିରେ ପଡ଼ି ଅପରାଧୀ ସାଜିଥିବା ମଣିଷଟିକୁ ପୁଣି ଥରେ ସାମାଜିକ ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ଏସବୁ ସଂସ୍କାରମୂଳକ କାର୍ଯ୍ୟକ୍ରମର ଲକ୍ଷ୍ୟ। ଏହି ସବୁ କାର୍ଯ୍ୟକ୍ରମ ମଧ୍ୟରେ କଏଦୀମାନଙ୍କ ପାଠପଢ଼ା ଅନ୍ୟତମ। ଏଠି ପାଠ ପଢ଼ି କଏଦୀମାନେ ମାଟ୍ରିକ୍ରୁ ଏମ୍ଏ ଡିଗ୍ରି ପର୍ଯ୍ୟନ୍ତ ଶିକ୍ଷାଗତ ଯୋଗ୍ୟତାର ଅଧିକାରୀ ହୋଇ ନିଜ ନାଁରେ ଲାଗିଥିବା ଦାଗୀ କୁଖ୍ୟାତିର କଳଙ୍କ ଲିଭାଇ ପାରୁଛନ୍ତି। ଆଜି ଜେଲ୍ ପାଲଟିଛି ଶିକ୍ଷାମନ୍ଦିର।
ଝାରପଡ଼ା ଜେଲ୍ କଥା ବିଚାରକୁ ନେଲେ ଏହି କାର୍ଯ୍ୟକ୍ରମରୁ ସୁନ୍ଦର ଚିତ୍ର ଦେଖିବାକୁ ମିଳେ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ମସାଣିଆ ଗାଁର ଅବନ୍ତି ବିଜୟ ମଙ୍ଗରାଜ। ନିଜ ସ୍ତ୍ରୀ ଓ ପିଲାକୁ ହତ୍ୟା କରିବା ଭଳି ଜଘନ୍ୟ ଅପରାଧ ପାଇଁ ୨୦୨୧ ମସିହାରୁ ଝାରପଡ଼ା ଜେଲ୍ରେ ଅଛନ୍ତି। ମାତ୍ର ଜେଲ୍ ଭିତରେ ବଦଳିଯାଇଛି ତାଙ୍କ ଭିତରେ ଥିବା ହିଂସ୍ର ସ୍ବଭାବ। ଜେଲ୍ ସଂସ୍କାରମୂଳକ ବ୍ୟବସ୍ଥାରେ ଅନୁପ୍ରାଣିତ ହୋଇ ନିଜଠାରୁ ଦାଗୀ ଟ୍ୟାଗ୍ ଲାଇନ୍ ଛଡ଼ାଇବାରେ ଲାଗିଛନ୍ତି। ୨୦୨୩ରେ ସେ ଯୁକ୍ତ ଦୁଇ ପାସ୍ କରିବା ପରେ ଇଗ୍ନୋରେ ଏବେ ଗ୍ରାଜୁଏସନ୍ ଜାରି ରଖିଛନ୍ତି। ପାଠପଢ଼ିବାରୁ ତାଙ୍କୁ ଜେଲ୍ କ୍ୟାଣ୍ଟିନ୍ ମ୍ୟାନେଜର୍ ଭାବେ ଦାୟିତ୍ବ ମିଳିଛି ଏବଂ ତାଙ୍କୁ ଦୈନିକ ୯୫ ଟଙ୍କା ମିଳୁଛି। ସେହିଭଳି ଖୋର୍ଦ୍ଧା ଜିଲ୍ଲା ଅସରାଳ ଗାଁର ପ୍ରଶାନ୍ତ କୁମାର ସ୍ବାଇଁ। ଦୁଷ୍କର୍ମ ମାମଲାରେ ୨୦୨୦ରୁ ଜେଲ୍ରେ ଅଛନ୍ତି। ପୂର୍ବରୁ ମାଟ୍ରିକ୍ ପାସ୍ କରିଥିଲେ। ଜେଲ୍ରେ ଯୁକ୍ତ ଦୁଇ ସାରି ଏବେ ଯୁକ୍ତ ତିନି ଜାରି ରଖିଛନ୍ତି। ତେଣୁ ତାଙ୍କୁ କଏଦୀମାନଙ୍କ ମୁଖ୍ୟ ଭାବେ ଚିଫ୍ ରାଇଟର୍ କାମ ଦିଆଯାଇଛି। ଏମିତି ବହୁ ଉଦାହରଣ ରହିଛି। ଜେଲ୍ କର୍ତ୍ତୃପକ୍ଷଙ୍କ କହିବା କଥା ପ୍ରାୟ ୨୦୧୪/୧୫ ମସିହା ପରଠୁ ଏହି ପ୍ରକ୍ରିୟା ଜୋର୍ଦାର ହୋଇଛି। ଏହି ଜେଲ୍ରେ ମୁଖ୍ୟତଃ ୩ଟି ସଂସ୍ଥା କଏଦୀମାନଙ୍କ ପାଠପଢ଼ା କଥା ଦାୟିତ୍ବ ନେଇଛନ୍ତି। ମାଟ୍ରିକ୍ ଓ ଯୁକ୍ତ ଦୁଇ ପାଇଁ ନେସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ଓପେନ୍ ସ୍କୁଲିଂ(ଏନ୍ଆଇଓସ୍), ଗ୍ରାଜୁଏସନ୍ ଓ ପିଜି ପାଇଁ ଓଡ଼ିଶା ଷ୍ଟେଟ୍ ଓପେନ୍ ୟୁନିଭର୍ସିଟି(ଓଏସ୍ଓୟୁ) ଏବଂ ଇଗ୍ନୋ। ଇଗ୍ନୋ ଜରିଆରେ କଏଦୀମାନେ ଡିପ୍ଲୋମା ଓ ଡିଗ୍ରି ପାଠ୍ୟକ୍ରମରେ ସାମିଲ ହୋଇପାରୁଛନ୍ତି। କଏଦୀମାନଙ୍କ ପାଠପଢ଼ା ଖର୍ଚ୍ଚ ସରକାର ବହନ କରୁଛନ୍ତି। ଝାରପଡ଼ା ଜେଲ୍ର ତଥ୍ୟ କହୁଛି ୨୦୨୨ରେ ୨୩୧ଜଣ ବିଭିନ୍ନ ପାଠ୍ୟକ୍ରମରେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୦୫ଜଣ ପରୀକ୍ଷା ଦେଇଥିଲେ ଏବଂ ୯୪ ଜଣ ସଫଳ ହୋଇଥିଲେ। ସେହିପରି ୨୦୨୩ରେ ୨୪୧ଜଣ ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ଏବଂ ୧୧୫ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୨୪ରେ ୪୨୭ଜଣ ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ୧୧୬ଜଣ ସଫଳ ହୋଇଥିବା ବେଳେ କିଛି ପରୀକ୍ଷାଫଳ ବାହାରିନାହିଁ। ସେହିପରି ୨୦୨୫ରେ ୧୬୪ଜଣ ବିଭିନ୍ନ ପରୀକ୍ଷା ପାଇଁ ଆବେଦନ କରିଛନ୍ତି।
ଜେଲ୍ରେ ଏବେ ବି ଅପରାଧୀମାନେ ଅପରାଧର ନୂଆନୂଆ ତରିକା ଶିଖୁଛନ୍ତି। ଛୋଟ ଛୋଟ ଅପରାଧ କରିଥିବା କଏଦୀ ବଡ଼ ଅପରାଧ କରିବାକୁ ବାଟ ଖୋଜୁଛନ୍ତି। ନିକଟରେ ଏଟିଏମ୍ ତଡ଼ା ଭିକି ଗ୍ୟାଙ୍ଗ୍ ଏକ ସଦ୍ୟ ଉଦାହରଣ। ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ଭିକି ବଙ୍ଗୀୟ ଲୁଟେରା ରାଜୁ-ରୁସ୍ତମ୍ ଯୋଡ଼ିଙ୍କ ସହ ମିଶି ଏଟିଏମ୍ ତାଡ଼ିନେବା ଭଳି ଅପରାଧ ଘଟାଇ ପୁଣି ବନ୍ଧା ହୋଇଛି। ତେଣୁ ଜେଲ୍ ଯାହା ପାଇଁ ଯେମିତି। ଝାରପଡ଼ା ଜେଲ୍ ଅଧୀକ୍ଷକଙ୍କ କହିବାନୁସାରେ ଜେଲ୍ ଭିତରେ ପାଠ ପଢ଼ିବାକୁ ଯିଏ ଇଛା କରୁଛି, ତା’ ପାଇଁ ବ୍ୟବସ୍ଥା କରାଯାଉଛି। ସରକାର ମାଗଣାରେ ଶିକ୍ଷା ଯୋଗାଇ ଦେଉଛନ୍ତି। କଏଦୀମାନଙ୍କ ଭିତରେ ଶିକ୍ଷା ପ୍ରତି ଆଗ୍ରହ ବଢ଼ିଲେ, ସେମାନଙ୍କ ଭିତରେ ଥିବା ଅପରାଧପ୍ରବଣତା ସ୍ବତଃ କମିଯିବ। ଜେଲ୍ରୁ ମୁକୁଳିବା ପରେ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ। ଏନେଇ ଜେଲ୍ ଡିଜି କହିଛନ୍ତି ଯେ ଜେଲ୍ରେ କଏଦୀମାନଙ୍କୁ ରୀତିମତ କାଉନ୍ସେଲିଂ କରାଯାଉଛି ଏବଂ ପାଠପଢ଼ା ପ୍ରତି ସେମାନଙ୍କ ଆଗ୍ରହ ବଢ଼ାଇବାକୁ ଉତ୍ସାହିତ କରାଯାଉଛି।