ଭୁବନେଶ୍ବର: କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଆଜି ଆଉ ୨ଜଣ ବାଘ ଛାଲ ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ, ବରଗଡ଼ ଥାନା ଅଧୀନ କଟାପଲ୍ଲୀର ରଶ୍ମିରଂଜନ ମିଶ୍ର ଓ ସୁନ୍ଦରଗଡ଼ ବଣେଇ ଥାନା ଅଧୀନ ବଡ଼ ଗୋଗୁଆର ଲିକୁ କୁମାର ସାହୁ। ରଶ୍ମି ରାଉରକେଲା ସ୍ପେସାଲ ଜେଲ୍ର ୱାର୍ଡର୍ ଭାବେ କାର୍ଯ୍ୟରତ ଥିବା ବେଳେ ଲିକୁ ଦେଓଗଡ଼ ଇଣ୍ଡିଆନ ରିଜର୍ଭ(ଆଇଆର) ବାଟାଲିଅନ୍ର ହାବିଲଦାର। ଆଜି ଦୁହିଁଙ୍କୁ ଦେଓଗଡ଼ କୋର୍ଟ ଚାଲାଣ କରାଯାଇଛି। ଆଜିର ଗିରଫଦାରୀକୁ ମିଶାଇ କ୍ରାଇମ୍ବ୍ରାଞ୍ଚ ବାଘ ଛାଲ କାରବାର ଅଭିଯୋଗରେ ମୋଟ ୯ଜଣଙ୍କୁ ଗିରଫ କରି ସାରିଲାଣି। ଆଗାମୀ ଦିନରେ ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିବ ବୋଲି ସୂଚନା ମିଳିଛି। ବଡ଼ କଥା ହେଉଛି, ବାଘ ଛାଲ କାରବାର ପଛରେ ସରକାରୀ ଅଧିକାରୀ ସଂପୃକ୍ତ ରହିବା। ଆଜି ଯେଉଁ ଦୁଇ ଜଣ ଗିରଫ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଜେଲ ୱାର୍ଡର୍ ଓ ଅନ୍ୟ ଜଣେ ପୁଲିସ କର୍ମଚାରୀ। ଏହା ପୂର୍ବରୁ ମଧ୍ୟ ୨ଜଣ ଜେଲ୍ ଅଧିକାରୀଙ୍କ ପୁଅକୁ ଗିରଫ କରିଥିଲା ଏସ୍ଟିଏଫ୍ କ୍ରାଇମ୍ବ୍ରାଞ୍ଚ।
ସୂଚନାଯୋଗ୍ୟ, ସପ୍ତାହକ ତଳେ ଏସ୍ଟିଏଫ୍ ୩ଜଣ ବାଘ ଛାଲ ବ୍ୟବସାୟୀଙ୍କୁ ଗିରଫ କରିଥିଲା। ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ବେଳେ ଉପରୋକ୍ତ ବ୍ୟବସାୟୀଙ୍କ ସମ୍ପର୍କରେ ସୂଚନା ପାଇଥିଲା। ସେହି ସୂଚନାକୁ ଆଧାର କରି ଦୁଇ ଦିନ ତଳେ ଏସଟିଏଫ ଆଉ ୪ଜଣଙ୍କୁ ମଧ୍ୟ ଗିରଫ କରିଥିଲା। ସେମାନେ ହେଲେ କେନ୍ଦୁଝର ଜିଲ୍ଲା ନୟାକୋଟର କାଳୀଚରଣ ଦାସ, ଭାଗୀରଥି ନାୟକ ଓରଫ ଭାସ୍କର, ପୀତାମ୍ବର ଖଟେଇ ଓରଫ ପଣ୍ଡିତ, ନେତ୍ରାନନ୍ଦ କିଶାନ ଓରଫ ନେତ୍ରା।