ଝରାଫୁଲଙ୍କ ଗାଁରେ ଯାଜପୁର ପୁଲିସର ଖୋଳତାଡ଼

ବାପା, ଗ୍ରାମବାସୀଙ୍କ ବୟାନ ରେକର୍ଡ
୨୦ ଦିନ ପରେ ବି ସହଯୋଗୀ ଶେଖରର ପତ୍ତା ମିଳୁନି
ଖୁବଶୀଘ୍ର ରହସ୍ୟ ଉପରୁ ପରଦା ହଟାଇବ ପୁଲିସ!

ଭୁବନେଶ୍ବର : ବହୁଚର୍ଚ୍ଚିତ ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ମାମଲାରେ କମିସନରେଟ୍‌ ପୁଲିସ ମୟୂରଭଞ୍ଜ ଯଶିପୁରରେ ପହଞ୍ଚି ବୃନ୍ଦେଇପୋଷି ଗାଁରେ ଖୋଳତାଡ଼ ଆରମ୍ଭ କରିଛି। ଏହି ଗାଁରୁ ଝରାଫୁଲ ଓ ଅଭିଯୁକ୍ତ ରାକେଶର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ଅଭିଯୋଗ ଥିବାରୁ ପୁଲିସ ସେଠା‌ରେ ପହଞ୍ଚି ବିଭିନ୍ନ ଲୋକଙ୍କଠୁ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା ଚଳାଇଛି। ଯେଉଁ ଦୋକାନରେ ଉଭୟଙ୍କର ଦେଖା ସାକ୍ଷାତ ହୋଇଥିଲା ବୋଲି ଝରାଫୁଲଙ୍କ ବାପା ଅଭିଯୋଗ ଆଣିଥିଲେ, ସେଠାକୁ ଯାଇ ପୁଲିସ ସମ୍ପୃକ୍ତ ଦୋକାନୀଙ୍କୁ ପଚରାଉଚରା କରିବା ସହ ତାଙ୍କର ବୟାନ ରେକର୍ଡ କରିଛି। ସେହିପରି ଝରାଫୁଲଙ୍କ ବାପା ରମାକାନ୍ତଙ୍କର ବିସ୍ତୃତ ବୟାନ ରେକର୍ଡ କରିଛି ପୁଲିସ। ରାକେଶ ତାଙ୍କ ଝିଅକୁ ପ୍ରେମ ଜାଲରେ ଫସାଇ ବ୍ଲାକମେଲିଂ କରିବା ସହ ହତ୍ୟା କରିଥିବା କଥାକୁ ବାପା ପୁଣି ଦୋହରାଇଛନ୍ତି।

ଜାନୁଆରି ୨୪ ତାରିଖରେ ଝରାଫୁଲ ଘରୁ ଆସିବା ଦିନଠାରୁ ୨୬ ତାରିଖ ପର୍ଯ୍ୟନ୍ତ କଣ ସବୁ ଘଟିଥିଲା? ଝରାଫୁଲଙ୍କ ସହ ଫୋନ୍‌ରେ କଥାବାର୍ତ୍ତା ବେଳେ ସେ କଣ କହିଥିଲେ? ସେ ସମ୍ପର୍କରେ ତଦନ୍ତକାରୀ ଟିମ୍ ପଚରାଉଚରା କରିଛି। ଝରାଫୁଲଙ୍କ ମୋବାଇଲ ଫୋନ୍‌ରୁ ଆସିଥିବା ହ୍ବାଟସ୍‌ଆପ୍‌ ମେସେଜ୍‌ର ସ୍କ୍ରିନ୍ ସଟ୍‌ ସବୁକୁ ପୁଲିସ ସଂଗ୍ରହ କରିଛି। ସେହିପରି ରାକେଶ ଯେଉଁଠି ଭଡ଼ାରେ ରହୁଥିଲା, ସେହି ଘର ମାଲିକଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇଛି। ରାକେଶ ଉକ୍ତ ଭଡ଼ା ଘରେ ଅନେକ ସମୟରେ ପୂଜାର୍ଚ୍ଚନା କରୁଥିବା ଜଣାପଡ଼ିଛି। ମାନସିକ ପୂରଣ ପାଇଁ ୧୦୮ ନଡ଼ିଆରେ ନାଲି କପଡ଼ା ଗୁଡ଼ାଇ ବସାଇଥିଲା। ଅସାମାଜିକ ବ୍ୟକ୍ତିଙ୍କ ସହ ସମ୍ପର୍କ ଥିବାରୁ ପରିବାର ଲୋକେ ତାକୁ ଘରେ ପୂରାଉ ନାହାନ୍ତି ବୋଲି ସେ କିଛି ଲୋକଙ୍କୁ କହୁଥିଲା। ସେଥିପାଇଁ ସେ ନଡ଼ିଆ ବସାଇ ମାନସିକ କରିଛି ବୋଲି କହୁଥିଲା। ଏ ନେଇ ଆଜି ତିନି ଜଣ ଗ୍ରାମବାସୀ ପୁଲିସକୁ କହିଥିଲେ।

ରାକେଶ ଏକ ଅଭ୍ୟାସଗତ ଅପରାଧୀ ଭଳି ସବୁ ତଥ୍ୟ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଛି। ଗେଷ୍ଟ୍‌ ହାଉସ୍‌ରୁ ଝରାଫୁଲଙ୍କ ମୃତଦେହକୁ ନେଇ ଯାଜପୁର କୁଆଖିଆରେ ଫିଙ୍ଗିଦେବା, ସେଠାରୁ ଆସି ସହଯୋଗୀ ଶକ୍ତିଶେଖର ସ୍ବାଇଁକୁ ଫେରାର୍‌ କରାଇବା, ନିଜେ ବାଲିଅନ୍ତାରେ ଥିବା ପିଉସୀ ଘରକୁ ଯାଇ ରାତି କଟାଇବା, ମୃତଦେହକୁ ନେଇ ଫିଙ୍ଗିବାରେ ବ୍ୟବହୃତ ସ୍କୁଟିକୁ ଲୁଚାଇବା, ଘଟଣା ଦିନ ପିନ୍ଧିଥିବା ପ୍ୟାଣ୍ଟସାର୍ଟ, ବ୍ୟବହାର କରୁଥିବା ମୋବାଇଲ ଫୋନ୍‌କୁ ଲୁଚାଇବା, ଖଣ୍ଡଗିରି ଧର୍ମବିହାରରେ ଥିବା ଶିବ ସାଇ ଗେଷ୍ଟ ହାଉସର ଯେଉଁ ରୁମ୍‌ରେ ରାତି କଟାଇଥିଲେ ସେଠାରୁ କୋଲ୍‌ଡ୍ରିଙ୍କସ୍ ବୋତଲ, କିଛି ଔଷଧ, ଆପତ୍ତିଜନକ ସାମଗ୍ରୀ ନଷ୍ଟ କରିଦେବା ଭଳି କାଣ୍ଡ ଘଟାଇଥିଲା। ଜଣେ ପେସାଦାର ଅପରାଧୀ ନ ହେଲେ, ଏତେଗୁଡ଼ିଏ କାଣ୍ଡ କରିବା ସମ୍ଭବ ନୁହେଁ। ତେଣୁ ସେ ପୂର୍ବରୁ ବହୁ ଅପରାଧିକ ମାମଲାରେ ସମ୍ପୃକ୍ତ ରହିଥିବା ପୁଲିସ ସନ୍ଦେହ କରୁଛି। ଏହି କାରଣରୁ ଯାଜପୁର ପୁଲିସ ସହଯୋଗରେ କମିସନରେଟ୍‌ ପୁଲିସ ରାକେଶର ପୃଷ୍ଠଭୂମି ବାବଦରେ ଛାନ୍‌ଭିନ୍ ଆରମ୍ଭ କରିଛି। ତେଣେ ଘଟଣାକୁ ୨୦ ଦିନ ବିତି ଯାଇଥିଲେ ବି ସହଯୋଗୀ ଶକ୍ତିଶେଖରର ପତ୍ତା ମିଳିନାହିଁ। ତେଣୁ ଶକ୍ତିଶେଖରକୁ ଫେରାର୍‌ କରାଇବା ପଛରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବା ଅଭିଯୋଗ ମଧ୍ୟ ହୋଇଛି। ଆରମ୍ଭରୁ ଢିଲା ମାରିଥିବା ଯାଜପୁର ପୁଲିସ ପାଇଁ ଏବେ ସହଯୋଗୀକୁ ଠାବ କରିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ତେବେ ଦିନେ ଦୁଇ ଦିନ ଭିତରେ ମାମଲାର ରହସ୍ୟ ଉପରୁ ପରଦା ହଟିବ ବୋଲି ପୁଲିସ ଅଧିକାରୀ ଝରାଫୁଲଙ୍କ ପରିବାର ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି।

ସମ୍ବନ୍ଧିତ ଖବର