ଭୁବନେଶ୍ବର: ୧୯୩୬ ଏପ୍ରିଲ ପହିଲାରେ ଓଡ଼ିଶା ଭାଷାଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ହେଲା। କିନ୍ତୁ ଓଡ଼ିଶାର ଦକ୍ଷିଣ ସୀମାନ୍ତରେ ‘ଜଳନ୍ତର’ ପରି ଅନେକ ଅଞ୍ଚଳ ବିଚ୍ଛିନ୍ନ ହୋଇଗଲା। ଉତ୍ତର, ପଶ୍ଚିମରେ ବି ସମବସ୍ଥା ଦେଖାଦେଲା। ସ୍ବାଧୀନତା ପରେ ସେଠାକାର ବିଚ୍ଛିନ୍ନାଞ୍ଚଳବାସୀ ଉଗ୍ର ପ୍ରାଦେଶିକତାର ଶିକାର ହେଲେ। ସେମାନଙ୍କ ଶିକ୍ଷା, ସଂସ୍କୃତି ଓ ଭାଷା ଉପରେ ଆକ୍ରମଣ କରାଗଲା। ବିଭିନ୍ନ ସ୍ଥାନର ଓଡ଼ିଆ ନାମକୁ ବଦଳାଇ ବିକୃତ କରାଗଲା। ଧୀରେଧୀରେ ଓଡ଼ିଆ ଭାଷା ଓ ସଂସ୍କୃତିର ଅସ୍ତିତ୍ବକୁ ନିଶ୍ଚିହ୍ନ ପାଇଁ ଉଦ୍ୟମ ହେଲା। କିନ୍ତୁ ସବୁ ଘାତପ୍ରତିଘାତ ସତ୍ତ୍ବେ ବିଚ୍ଛିନ୍ନାଞ୍ଚଳରେ ଏବେ ବି ଓଡ଼ିଆତ୍ବ ବଞ୍ଚି ରହିଛି। ଲେଖକ ସ୍ବଦେଶ ସୁନ୍ଦର ପଟ୍ଟନାୟକଙ୍କ ‘ଜଳନ୍ତର ଇତିହାସ, ଏକ ଚ୍ଛିନ୍ନପୃଷ୍ଠାର ଆତ୍ମକଥା’ର ଉନ୍ମୋଚନ ଅବସରରେ ଏଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚନ୍ଦ୍ର ହୋତା।
ମାଟିମନସ୍କ ହେବାକୁ ପଡ଼ିବ: ସୌମ୍ୟ
ଭାରତୀୟ ବିଦ୍ୟାଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ହୋତା ଅଧ୍ୟକ୍ଷତା କରି କହିଲେ ଯେ ଏବେ ବି ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଆଦିବାସୀମାନେ ଦେଶିଆ ଭାଷାରେ କଥା ହେଉଛନ୍ତି। ‘ଜଗା, ଚକାଆଖି’ ଶବ୍ଦ ଥିବା ଅଜଣା ଗୀତ ଗାଉଛନ୍ତି। ପଶ୍ଚିମାଞ୍ଚଳରେ ମନ୍ତ୍ର ପଢ଼ିଲା ବେଳେ ବ୍ରାହ୍ମଣ ‘ଉତ୍କଳ ଦେଶେ’ ବୋଲି ଉଚ୍ଚାରଣ କରୁଛି। ଓଡ଼ିଆତ୍ବକୁ ବଞ୍ଚାଇ ରଖିବା ପାଇଁ ସେମାନେ ଅହରହ ଉଦ୍ୟମ ଚଳାଇଥିଲେ ହେଁ ଓଡ଼ିଶା ସରକାର ଏ ଦିଗରେ ବିଶେଷ ସଚେତନ ନୁହଁନ୍ତି। ସରକାର ଉତ୍କଳ ସମ୍ମିଳନୀ ଜରିଆରେ ଯାହା କରୁଛନ୍ତି, ତାହା ସମୁଦ୍ରକୁ ଶଙ୍ଖେ। ତେଣୁ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାର ପ୍ରଚାରପ୍ରସାର ପାଇଁ ସରକାର ପ୍ରୋତ୍ସାହନ ଦିଅନ୍ତୁ। ଓଡ଼ିଶାରେ ଶିକ୍ଷକ ୩୦ହଜାର ଦରମା ପାଉଥିବା ବେଳେ ବିଚ୍ଛିନ୍ନାଞ୍ଚଳରେ ପାଠ ପଢ଼ାଉଥିବା ଓଡ଼ିଆ ଶିକ୍ଷକ ମାତ୍ର ୫ହଜାର ପାଉଛନ୍ତି। ଅନେକ ସ୍କୁଲ୍ରେ ଓଡ଼ିଆ ଶିକ୍ଷକ ନାହାନ୍ତି। ପୁଣି ୫ମ ଶ୍ରେଣୀ ପରେ ଓଡ଼ିଆ ପଢ଼ିବାର ସୁଯୋଗ ନାହିଁ। ସରକାର ଯଦି ବିଚ୍ଛିନ୍ନାଞ୍ଚଳବାସୀଙ୍କ ଭାବାବେଗକୁ ନବୁଝିବେ, ଧୀରେଧୀରେ ସେମାନେ ଓଡ଼ିଆ ଭୁଲିଯିବେ ବୋଲି ଶ୍ରୀ ହୋତା କହିଛନ୍ତି।
ମୁଖ୍ୟ ଅତିଥି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଜଣେ କିଭଳି ମାଟିମନସ୍କ ହୋଇପାରେ, ତାହା ଏହି ପୁସ୍ତକରୁ ସ୍ପଷ୍ଟ ବାରି ହେଉଛି। ୬୦ରୁ ୮୦ବର୍ଷ ବୟସର ବ୍ୟକ୍ତି ସମାଜର ସବୁଠାରୁ ବଡ଼ ସମ୍ପଦ। ତାଙ୍କ ପାଖରେ ଅନୁଭବର ଅଭାବ ନଥାଏ। ଲେଖକ ସ୍ବଦେଶ ସୁନ୍ଦର ପଟ୍ଟନାୟକଙ୍କ ପରି ସେମାନେ ନିଜ ଆତ୍ମଜୀବନୀ ବା ସ୍ମୃତିଲିପି ଲେଖିପାରିଲେ ସମକାଳୀନ ଇତିହାସ ସମୃଦ୍ଧ ହୋଇପାରିବ। ଆଜିର ଦିନରେ ଓଡ଼ିଆ ଭାଷା ପ୍ରତି ଓଡ଼ିଆ ପିଲାଙ୍କ ଭାବାବେଗ ରହୁନାହିଁ। ନୂତନ ଜ୍ଞାନକୌଶଳ ଜରିଆରେ ସେମାନଙ୍କୁ ଓଡ଼ିଆ ସହ ଯୋଡ଼ିବାକୁ ପଡ଼ିବ। ରାଜନୈତିକ ଦଳମାନେ ମାଟି କଥା କହି ଭୋଟ୍ ମାଗୁଛନ୍ତି। ହେଲେ ମାଟି ଓ ପାର୍ଟିର ଲଢ଼େଇରେ ମାଟିକୁ ବଳି ପକାଇବାକୁ ପଛାଉ ନାହାନ୍ତି। ଏହା ଶୁଭଙ୍କର ନୁହେଁ। ତେଣୁ ମାଟିମନସ୍କ ହୋଇ ମାଟିର ମୋହକୁ ବଞ୍ଚାଇ ରଖିବାକୁ ପଡ଼ିବ। ମୁଖ୍ୟବକ୍ତା ସାହିତ୍ୟିକ ହରପ୍ରସାଦ ଦାସ କହିଲେ, ଏହା ଏକ ପୁସ୍ତକ କିମ୍ବା ଆତ୍ମଜୀବନୀ ନୁହେଁ। ତା’ ଭିତରେ ଓଡ଼ିଆଙ୍କର ବିଚ୍ଛିନ୍ନାଞ୍ଚଳ ହରାଇବାର ଦୁଃଖ ସହ ଓଡ଼ିଆ ସଂସ୍କୃତିର ଅବକ୍ଷୟ ପ୍ରତି ଗୋଟେ ଦୃଷ୍ଟିଭଙ୍ଗୀ ରହିଛି। ଯେଉଁଟା ଆମକୁ ସର୍ତକ କରାଇବା ପାଇଁ ବ୍ୟବହାରଯୋଗ୍ୟ ହୋଇପାରିବ। ନିଜ ଘରୁ ହିଁ ସଂସ୍କୃତିକୁ ଆରମ୍ଭ କରିବାକୁ ପଡ଼ିବ ବୋଲି କହିଥିଲେ। ଲେଖକ ସ୍ବଦେଶ ସୁନ୍ଦର ପଟ୍ଟନାୟକ ସ୍ବାଗତ ଭାଷଣରେ କହିଲେ, ପିଲା ଦିନ ଅଭିଜ୍ଞତା ଓ ସ୍ମୃତିସମ୍ଭାରକୁ ନେଇ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଜନଜୀବନର ଚିତ୍ର ଏହ ପୁସ୍ତକରେ ସ୍ଥାନୀତ ହୋଇଛି। ନିଜ ଜନ୍ମମାଟି ‘ଜଳନ୍ତର’ ଓଡ଼ିଶାରୁ ବିଚ୍ଛିନ୍ନ ହୋଇ ଏବେ ଆନ୍ଧ୍ରପ୍ରଦେଶରେ ଅଛି। ପସ୍ତକରେ ଏହାର ଇତିହାସ ସମ୍ପର୍କରେ ତଥ୍ୟ ଦିଆଯାଇଛି। ଶେଷରେ ଅଧ୍ୟାପିକା ସୁଜାତା ମଙ୍ଗରାଜ ଧନ୍ୟବାଦ ଦେଇଥିଲେ।