କ୍ରାଇମବ୍ରାଞ୍ଚ ପଞ୍ଝାରେ ଜମତରା ଗ୍ୟାଙ୍ଗ୍‌ ମାମଲା: ୭ ରାଜ୍ୟରେ ୫୫ ଠକେଇର ପ୍ରମାଣ

 ଓଡ଼ିଶା ଠକେଇର ସୁରାକ୍ ପାଇଲାନି କ୍ରାଇମବ୍ରାଞ୍ଚ

ମୁମ୍ବାଇରୁ ଆସୁଥିଲା ବ୍ୟାଙ୍କ ତଥ୍ୟ
୨୦ ହଜାର ତଥ୍ୟ ପାଇଁ ଦଲାଲ୍ ନେଉଥିଲା ୫ ହଜାର
ଝାଡ଼ଖଣ୍ଡରୁ ଅପରେଟ୍ କରୁଛି ମାଷ୍ଟରମାଇଣ୍ଡ
ଶତାଧିକ ସିମ୍ କାର୍ଡ ନେଇ ଫେରାର ହୋଇ ଯାଇଛନ୍ତି ସହଯୋଗୀ

ଭୁବନେଶ୍ବର : ଭୁବନେଶ୍ବରରୁ ଗିରଫ ହୋଇଥିବା ଝାଡ଼ଖଣ୍ଡ ଜମତରା ଗ୍ୟାଙ୍ଗ ସଦସ୍ୟ ଓଡ଼ିଶାରୁ କେତେ ଠକିଛନ୍ତି? ଅଭିଯୁକ୍ତମାନଙ୍କ ସହ ଭଡ଼ାରେ ରହୁଥିବା ଅନ୍ୟ ସହଯୋଗୀମାନେ ଗଲେ କୁଆଡ଼େ? ଫେରାର୍‌ ସହଯୋଗୀମାନେ କେତେ ସିମ୍‌କାର୍ଡ ନେଇଛନ୍ତି? ଗତ ୪ ଦିନ ଧରି ୩ ସଦସ୍ୟଙ୍କୁ ମାରାଥନ୍ ଜେରା କରିବା ପରେ ଏ ସମ୍ପର୍କରେ କାଣିଚାଏ ତଥ୍ୟ ହାସଲ କରିପାରିନାହିଁ କ୍ରାଇମବ୍ରାଞ୍ଚ ସାଇବର ଥାନା। କିନ୍ତୁ କେଉଁଠୁ ବ୍ୟାଙ୍କ ତଥ୍ୟ ଆଣୁଥିଲେ, ମାଷ୍ଟରମାଇଣ୍ଡ କିଏ, ସେ ସମ୍ପର୍କରେ ତଦନ୍ତକାରୀ ଟିମ୍ ହାତରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା।

ମିଳିଥିବା ସୂଚନା ଅନୁସାରେ, ରାକେଟ୍ ସହ ସମ୍ପୃକ୍ତ ମୁମ୍ବାଇର ଜଣେ ବ୍ୟକ୍ତି ସାଇବର ଅପରାଧୀଙ୍କୁ ସମସ୍ତ ବ୍ୟାଙ୍କ ତଥ୍ୟ ଯୋଗାଉଥିଲା। ୨୦ ହଜାର ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ତଥ୍ୟ ଦେବା ଲାଗି ୫ରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ନେଉଥିଲା। ସେହି ବ୍ୟକ୍ତି ଜଣଙ୍କ କିଏ ତାହାର ପରିଚୟ ଗୋପନ ରଖିଛି କ୍ରାଇମବ୍ରାଞ୍ଚ।

ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତଥ୍ୟ ଯୋଗାଉଥିବା ବ୍ୟକ୍ତିଜଣଙ୍କ ବ୍ୟାଙ୍କ କାରବାର ସହ ସମ୍ପୃକ୍ତ ରହିଛି। ସେହି ବ୍ୟକ୍ତି ପାଖରେ ପହଞ୍ଚିବା ଲାଗି ମୁମ୍ବାଇ ପୁଲିସ ସହ ଯୋଗାଯୋଗ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଖୁବ୍‌ଶୀଘ୍ର ଏକ ଟିମ୍ ସେଠାକୁ ଯିବ ବୋଲି ଜଣାପଡ଼ିଛି। ସେହିପରି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଝାଡ଼ଖଣ୍ଡର। ମୁମ୍ବାଇରୁ ସିଧାସଳଖ ବ୍ୟାଙ୍କ ତଥ୍ୟ ତା’ ନିକଟକୁ ଆସୁଥିଲା। ସେ ନିଜ ଗ୍ୟାଙ୍ଗର ସଦସ୍ୟମାନଙ୍କ ପାଖରେ ଏହି ତଥ୍ୟ ପହଞ୍ଚାଉଥିଲା। ଠକେଇ ଅର୍ଥ ମଧ୍ୟ ସିଧାସଳଖ ମାଷ୍ଟରମାଇଣ୍ଡ ପାଖକୁ ଯାଉଥିଲା। ଏକାଧିକ ବେନାମୀ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଟ୍ରାନ୍ସଫର୍ ହେଉଥିଲା। ଠକେଇ ଅର୍ଥର କମିସନ୍‌ ସେ ସଦସ୍ୟମାନଙ୍କ ପାଖରେ ବିଭିନ୍ନ ମାଧ୍ୟମରେ ପହଞ୍ଚାଉଥିଲା। ମାଷ୍ଟରମାଇଣ୍ଡକୁ ଖୋଜିବା ଲାଗି ଏକ ଟିମ୍ ଝାଡ଼ଖଣ୍ଡ ଯିବ ବୋଲି ଜଣାପଡ଼ିଛି।

ସେହିପରି ରିମାଣ୍ଡ ସମୟରେ ଅଭିଯୁକ୍ତଙ୍କୁ ମାରାଥନ୍ ଜେରା ବେଳେ ଏବେ ସୁଦ୍ଧା ୭ଟି ରାଜ୍ୟର ୫୫ଟି ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ସର୍ବାଧିକ ୪୫ ଠକେଇ ମାମଲା ତେଲେଙ୍ଗାନାରେ ରୁଜୁ ହୋଇଛି। ସେହିପରି ଉତ୍ତରପ୍ରଦେଶର ଗୋରଖପୁରର ଜଣେ ବ୍ୟକ୍ତିଙ୍କଠାରୁ ୧ ଲକ୍ଷ ୮୮ ହଜାର ଟଙ୍କା ଠକିଥିବା ଜଣାପଡ଼ିଛି। ଓଡ଼ିଶାର କାହାକୁ ଠକିଛନ୍ତି କି ନାହିଁ, ତାହାର ସୁରାକ୍ ମିଳି ନଥିବା ବେଳେ ମୁମ୍ବାଇରେ ରହୁଥିବା ଜଣେ ଓଡ଼ିଆଙ୍କଠାରୁ ଠକେଇ କରିଥିବା ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ। ପଶ୍ଚିମବଙ୍ଗରେ ମଧ୍ୟ ଗ୍ୟାଙ୍ଗର ସଦସ୍ୟ ରହିଥିବା କୁହାଯାଉଛି। ସେଠାକୁ ମଧ୍ୟ ଏକ ଟିମ୍ ଯିବ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନଙ୍କୁ ଝାଡ଼ଖଣ୍ଡ, ତେଲଙ୍ଗାନା, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ସମେତ ୭ ରାଜ୍ୟ ପୁଲିସ ଅଧିକ ଖୋଳତାଡ଼ ପାଇଁ ରିମାଣ୍ଡରେ ନେବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ପଳାଶୁଣୀ ପ୍ରାଚୀବିହାର ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଚଢ଼ଉ କରି ୩ ସାଇବର ଅପରାଧୀଙ୍କୁ ଗିରଫ କରିଥିଲା। ପୁଲିସ୍‌ ସେମାନଙ୍କଠାରୁ ମୋବାଇଲ ଫୋନ୍, ଲାପଟପ୍, ଟାବ୍, ୩୩ ସିମକାର୍ଡ ଆଦି ଜବତ କରିଥିଲା।

ସମ୍ବନ୍ଧିତ ଖବର