ଚାରି ଦିନିଆ ରିମାଣ୍ଡରେ ଜମତରା ଗ୍ୟାଙ୍ଗ, ଖୋଲିବ କି ଓଡ଼ିଶା ଠକେଇର ଗୁମର?

ଦେଶର ସବୁ ଥାନାକୁ ଜାରି ହେଲା ସାଇବର ଠକଙ୍କ ୩୩ ସିମକାର୍ଡ ନମ୍ବର

ଭୁବନେଶ୍ବର : ରାଜଧାନୀରୁ ଗିରଫ ହୋଇଥିବା ଝାଡ଼ଖଣ୍ଡ ଜମତରା ଗ୍ୟାଙ୍ଗର ତିନି ସଦସ୍ୟ ପ୍ରଧୂମ ମଣ୍ଡଳ, କ୍ରିଷ୍ଣା ମଣ୍ଡଳ ଓ ଚେତଲାଲ୍‌ ମଣ୍ଡଳକୁ ୪ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ସାଇବର ଥାନା। ‌ସୋମବାର ଦିନ ଭୁବନେଶ୍ବର ଏସଡିଜେଏମ୍ କୋର୍ଟ ରିମାଣ୍ଡ ମଞ୍ଜୁର କରିବା ପରେ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ବଳୟରେ ଝାରପଡ଼ା ଜେଲରୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ନିଆଯାଇଛି। ଏମାନଙ୍କୁ ମାରାଥନ୍ ଜେରା କରିବ ତଦନ୍ତକାରୀ ଟିମ୍। ଭୁବନେଶ୍ବର କେବେ ଆସିଥିଲେ? ଏମାନଙ୍କ ସହ ଆଉ କେଉଁମାନେ ଥିଲେ? ଓଡ଼ିଶାରୁ କେତେ ଠକେଇ କରିଛନ୍ତି? ଏମାନେ କେଉଁ ଗ୍ୟାଙ୍ଗ ସହ ସମ୍ପୃକ୍ତ? ଆହୁରି କେତେ ଲୋକଙ୍କ ତଥ୍ୟ ହାତେଇଛନ୍ତି? ଟଙ୍କା କେଉଁଠି ଗଚ୍ଛିତ ରଖିଛନ୍ତି? ସେସବୁ ସମ୍ପର୍କରେ ଖୋଳତାଡ଼ ହେବ। କ୍ରାଇମବ୍ରାଞ୍ଚ ପାଇଁ ଏହା ଏକ ବଡ଼ ସୁଯୋଗ ଓ ସେମାନଙ୍କଠାରୁ ପୁଲିସ ଅଧିକ ତଥ୍ୟ ହାସଲ କରିପାରିବ। ବଡ଼ବଡ଼ ଠକେଇର ପର୍ଦ୍ଦାଫାସ୍ ମଧ୍ୟ ହୋଇପାରିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ପଳାସୁଣୀ ପ୍ରାଚୀ ବିହାର ଅଞ୍ଚଳରୁ ଝାଡ଼ଖଣ୍ଡ ଜମତରା ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ସାଇବର ଥାନା। ଏମାନେ ଗତ କିଛି ଦିନ ହେଲା ଏଠାରେ ଡେରା ପକାଇ ଓଡ଼ିଶା ସମତେ ଅନ୍ୟ ରାଜ୍ୟର ଲୋକଙ୍କୁ ଟାର୍ଗେଟ୍‌ କରି ଲୁଟି ଚାଲିଥିଲେ।

ଦେଶର ସବୁ ଥାନାକୁ ଜାରି ହେଲା ସାଇବର ଠକଙ୍କ ୩୩ ସିମକାର୍ଡ ନମ୍ବର
ଭୁବନେଶ୍ବର : ଭୁବନେଶ୍ବରରୁ ଗିରଫ ହୋଇଥିବା ୩ ସାଇବର ଠକଙ୍କଠାରୁ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୩୩ଟି ମୋବାଇଲ ଫୋନ୍ ସିମ୍‌କାର୍ଡ ଜବତ କରାଯାଇଛି। ସବୁ ନମ୍ବରଗୁଡ଼ିକ ଭାରତର ସବୁ ଥାନାକୁ ଦିଆଯାଇଛି। ଏବେ ସୁଦ୍ଧା ଏମାନେ ପ୍ରାୟ ୪ ଲକ୍ଷ ୩୯ ହଜାର ଲୋକଙ୍କୁ ଠକେଇ ପାଇଁ ଯୋଗାଯୋଗ କରିଥିଲେ ବୋଲି ଜଣାପଡ଼ିଛି। ୨୦ଟି ରାଜ୍ୟର ୧୭୧ଟି ମାମଲାରେ ଏମାନଙ୍କର ସମ୍ପୃକ୍ତି ରହିଛି। ଏହି ୩୩ଟି ନମ୍ବର ଜରିଆରେ କେହି ଠକାମିର ଶିକାର ହୋଇଥିଲେ, କ୍ରାଇମବ୍ରାଞ୍ଚକୁ ଯୋଗାଯୋଗ କରିବାକୁ କୁହାଯାଇଛି। ଠକାମିର ଶିକାର ହୋଇଥିବା ବ୍ୟକ୍ତିମାନେ ସାଇବର ଥାନାର ମୋବାଇଲ ନମ୍ବର (୯୪୩୮୯୧୬୯୧୩, ୬୩୭୨୩୬୬୦୮୩)ରେ ଜଣାଇବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର