ଜମିଲା ଶ୍ୟାମପୁର ଦୋଳ ମେଳଣ, ଅପେରା, ମେଲୋଡି ବନ୍ଦ

ଖଣ୍ଡଗିରି: ରାଜଧାନୀ ଉପକଣ୍ଠରେ ଆଜି ଶ୍ୟାମପୁର ଦୋଳ ମେଳଣର ଜମାଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଫାଲ୍‌ଗୁନ ଶୁକ୍ଳପକ୍ଷ ଦଶମୀ ତିଥିରେ ଅନୁଷ୍ଠିତ ହେଉଥିବା ସ୍ଥାନୀୟ ଅଞ୍ଚଳର ଏହି ପଞ୍ଚୁଦୋଳ ମେଳଣକୁ ଆଖପାଖ ୨୩ ଗାଁରୁ ଚଳନ୍ତି ପ୍ରତିମାମାନେ ଅତିଥି ଠାକୁର ଭାବେ ସାମିଲ୍‌ ହେବେ। ଆଜି ଜମାଣ ପର୍ବ ଅବସରରେ ନିମନ୍ତ୍ରିତ ୧୦ ଅତିଥି ଠାକୁର ମେଳଣର ଥାନପତି ଶ୍ୟାମପୁର ସିଦ୍ଧେଶ୍ବର ମହାଦେବଙ୍କ ସହ ଏକତ୍ର ହୋଇଥିଲେ। ଆଜି ରାତି ଓ ଆସନ୍ତାକାଲି ସକାଳେ ଅନ୍ୟ ଅତିଥି ବିଗ୍ରହମାନେ ସୁସଜ୍ଜିତ ବିମାନ ଯୋଗେ ଏହି ମେଳଣରେ ସାମିଲ୍ ହେବେ। ‌ଚଳିତ ବର୍ଷ କୋଭିଡ୍‌ କଟକଣା ଲାଗୁ ହୋଇଥିବାରୁ ମେଳଣରେ ଚଳିତବର୍ଷ ‌ଅପେରା ପାର୍ଟି କିମ୍ବା ମେଲୋଡି କାର୍ଯ୍ୟକ୍ରମକୁ ଅନୁମତି ମିଳି ନାହିଁ। ତେଣୁ ମେଳଣରେ ଭିଡ଼ କମ୍ କରିବାକୁ କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି। ମେଳଣ ପଡ଼ିଆରେ ଉଠା ଦୋକାନ ବଜାରକୁ ନିଷେଧ କରାଯାଇଛି।
ସୂଚନାଯୋଗ୍ୟ, ଏହି ମେଳଣକୁ ଶ୍ୟାମପୁରରେ ବଡ଼ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ବିଶେଷକରି ଏଠାରେ ଅବିର ଖେଳ ଓ ଲଉଡ଼ି ଖେଳ ବେଶ୍ ଆକର୍ଷଣୀୟ ହୋଇଥାଏ। କିନ୍ତୁ ଚଳିତବର୍ଷ କେବଳ ଲୋକମାନେ ଠାକୁରଙ୍କୁ ଅବିର ଦେବେ। ଜମାଣକୁ ପୂରା ନିରାଡ଼ମ୍ବର ସହକାରେ ପାଳନ କରାଯାଇଛି ଓ ହରିହର ଭେଟ ମଧ୍ୟ କଟକଣା ମଧ୍ୟରେ ସମ୍ପନ୍ନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ମେଲୋଡି ଓ ଅପେରା ବନ୍ଦ ହୋଇଥିଲେ ମଧ୍ୟ ମେଳଣ ପଡ଼ିଆରେ ସଂକୀର୍ତ୍ତନ ଚାଲିଛି। ଉଲ୍ଲେଖଯୋଗ୍ୟ, ଶ୍ୟାମପୁର ମେଳଣ ପରେ ପରେ ସ୍ଥାନୀୟ ଅଞ୍ଚଳରେ ଘାଟିକିଆ, ତମାଣ୍ଡୋ, ଜାଗସରାପାଟଣା, ନଁପୁଟ, ପାଇକରାପୁର, ମଦନପୁର, ମୁଣ୍ଡମୁହାଁଣ, ସରକନ୍ତରା, ଆଇଗିଣିଆ‌, ଜାଗମରା, ପାତ୍ରପଡ଼ା, ଅନ୍ଧାରୁଆ, କାଇମାଟିଆ ଆଦି ଗାଁରେ ପଞ୍ଚୁଦୋଳ ମେଳଣ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର