ଜମିଲାଣି ପ୍ରଚାର: ସବୁ ଦଳରେ ଫାଟ, ସ୍ବାଧୀନ ପ୍ରାର୍ଥୀଙ୍କ ଦବ୍‌ଦବା ହ୍ରାସ ପାଇଁ କସରତ

ବାଲିପାଟଣା: ସ୍ଥାନୀୟ ଅଞ୍ଚଳରେ ନିର୍ବାଚନ ପ୍ରଚାର ଜମିଲାଣି। ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ଲଢ଼େଇଠାରୁ ବେଶି ଜମୁଛି ଜିଲ୍ଲା ପରିଷଦ ସଦସ୍ୟ ଲଢ଼େଇ। ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ପ୍ରାର୍ଥୀମାନେ ନିଜ ଗଡ଼ କଥା ଚିନ୍ତା କରୁଥିବା ବେଳେ ବ୍ଲକ୍‌ ସ୍ତରୀୟ ‌ଛାମୁଆ ନେତାମାନେ ଦଳ ପାଇଁ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀଙ୍କ କଥା ନେଇ ବେଶି କସରତ କରୁଛନ୍ତି। ବିଜେଡି, ବିଜେପି ଓ କଂଗ୍ରେସ ପ୍ରାୟ ସବୁ ଦଳରେ ଅସନ୍ତୁଷ୍ଟଙ୍କ ସଂଖ୍ୟା କିଛି କମ୍ ନାହିଁ। ତେଣୁ ଏଥିରୁ ଫାଇଦା ଉଠାଇବେ ସ୍ବାଧୀନ ପ୍ରାର୍ଥୀ। ଏହାକୁ ଦୃଷ୍ଟିରେ ରଖି ଏବେ ଛାମୁଆମାନେ ସ୍ବାଧୀନ ପ୍ରାର୍ଥୀମାନଙ୍କ ଦବ୍‌ଦବା ହ୍ରାସ କରିବାକୁ କସରତ ଆରମ୍ଭ କରିଦେଇଛନ୍ତି।

ବାଲିପାଟଣା ବ୍ଲକ୍‌ରେ ରହିଛି ୧୭ ପଞ୍ଚାୟତ। ଏହାକୁ ନେଇ ଜିଲ୍ଲା ପରିଷଦ ପାଇଁ ୩ ଜୋନ୍‌ରେ ୧୮ ଜିଲ୍ଲା ପରିଷଦ ପ୍ରାର୍ଥୀ ଅଛନ୍ତି। କେତେକ ଜୋନ୍‌ରେ ଦ୍ବିମୁଖୀ ଓ ତ୍ରିମୁଖୀ ଲଢ଼େଇ ହେବ। ୧୯ ନମ୍ବର ଜୋନ୍‌ରେ ୬, ୨୦ ନମ୍ବର ଜୋନ୍‌ରେ ୫ ଓ ୨୧ ନମ୍ବର ଜୋନ୍‌ରେ ୭ ଜଣ ପ୍ରାର୍ଥୀ ଅଛନ୍ତି। ବିଜେଡି, ବିଜେପି ଓ କଂଗ୍ରେସ ଦଳ ବାଦ୍‌ ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ୩ ଜୋନ୍‌ରେ ୧୮ ଜଣ ନିର୍ବାଚନ ଲଢୁଛନ୍ତି। ପୂର୍ବରୁ ବିଜେଡି ହାତରେ ୨ ଜୋନ୍‌ ଥିବା ବେଳେ ୨୧ ନମ୍ବର ଜୋନ୍‌ ସ୍ୱାଧୀନ ଏବଂ ବିଜେପି ହାତରେ ଥିଲା। ତେଣୁ ଏଥର ବିଜେଡି ନିଜ ଗଡ଼ ୧୯ ଓ ୨୦ ନମ୍ବରକୁ ହାତରେ ରଖିବା ସହ ୨୧ ନମ୍ବରକୁ କବ୍‌ଜା କରିବାକୁ ଉଦ୍ୟମ କରୁଛି। କିନ୍ତୁ ଟ‌ିକେଟ୍‌ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବା ବିଜେଡି କର୍ମୀମାନେ ସ୍ବାଧୀନ ପ୍ରାର୍ଥୀମାନଙ୍କ ପ୍ରଚାର କରିବା ଆରମ୍ଭ କରିଦେଲେଣି। ଏହା ଶାସକ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଟିକେଟ୍‌ ବଣ୍ଟନରେ ମୁଖ୍ୟ ଭୂମିକା ନେଇଥିବା ଆମ ସଂଗଠନ ମୁଖ୍ୟ କମଳ ପାତ୍ର ବିଜେଡି କର୍ମୀମାନଙ୍କୁ ମନାଇବାକୁ ଲାଗିଥିଲେ ବି ଏ ପର୍ଯ୍ୟନ୍ତ ସଫଳ ହୋଇପାରିନାହାନ୍ତି। କିନ୍ତୁ ବିଜେଡି ଭୋଟ ବିଭାଜନ ହେବ ନାହିଁ ବୋଲି ସେ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ଏଥର ବିଜେପିର ଶକ୍ତି ବୃଦ୍ଧି ପାଇଛି ବୋଲି ଦାବି କରାଯାଉଛି। ତେଣୁ ବିଜେପି ଏଥର ଆଉ ଏକ ଜୋନ୍‌ ଦଖଲ କରିବାକୁ ପ୍ରସ୍ତୁତ ବୋଲି କର୍ମୀମାନେ ଦାବି କରୁଛନ୍ତି। କିନ୍ତୁ ବିଜେଡି ଭଳି ବିଜେପିରେ ମଧ୍ୟ ଟିକେଟ୍‌ ବଣ୍ଟନକୁ ନେଇ ମତଭେଦ ରହିଛି। କଂଗ୍ରେସରେ ମଧ୍ୟ ମତଭେଦ କିଛି କମ୍ ନାହିଁ। ତେଣୁ ସବୁ ଦଳର ଅସନ୍ତୁଷ୍ଟଙ୍କୁ ନେଇ ସ୍ବାଧୀନ ପ୍ରାର୍ଥୀମା‌ନେ ଦଳୀୟ ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର