ଜମିଲା ଶେଷ ରଜ: ନନ୍ଦନକାନନରେ ୩୦ ହଜାର ପର୍ଯ୍ୟଟକ

ଭୁବନେଶ୍ୱର: ଅସହ୍ୟ ରୌଦ୍ରତାପରେ ସହର ଜଳୁଥିବା ବେଳେ ଶେଷ ରଜ ମଉଜ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିନଥିଲା। ରଜ ପାଇଁ ସକାଳେ ବିଭିନ୍ନ ମଲ୍‌, ସିନେମା ହଲ୍‌, ରେସ୍ତୋରାଁ, ସଂଗ୍ରହାଳୟରେ ଭିଡ଼ ଦେଖିବାକୁ ମିଳିଥିବା ବେଳେ ପର୍ଯ୍ୟଟନସ୍ଥଳୀରେ ଭିଡ଼ କମ୍‌ ରହିଥିଲା। ସେହିପରି ସନ୍ଧ୍ୟାରେ ଜମିଥିଲା ରଜ ମହୋତ୍ସବ। ବରମୁଣ୍ଡା, ନୂଆପଲ୍ଲୀ, ଶାନ୍ତିପଲ୍ଲୀ, ପାତ୍ରପଡ଼ା, ପାନ୍ଥନିବାସ, ନୂଆଗାଁ ଆଦି ସ୍ଥାନରେ ପ୍ରବଳ ଭିଡ଼ ହୋଇଥିଲା। ବଜାରରେ କିଣାକିଣି, ସାଂସ୍କୃତିକ କାର୍ଯ୍ୟକ୍ରମ, ସିନେମା, ଦୋଳି, ପାନ, ପିଠା ଖାଇବାରେ କଟି ଯାଇଥିଲା ଏହି ମହାନ ଗଣ ପର୍ବ। ଆଜି ଆମିଷ ବାର ଥିବାରୁ ବିଭିନ୍ନ ବସ୍ତି, କଲୋନି, ପର୍ଯ୍ୟଟନସ୍ଥଳୀ ଆଦିରେ ଜମିଥିଲା ଭୋଜିର ଆସର।

ରାଜ୍‌ କଲା ଓଲିଉଡ୍‌ ଚଳଚ୍ଚିତ୍ର

ଚଳିତ ରଜରେ ଓଲିଉଡ ଚଳଚ୍ଚିତ୍ରର ପୂର୍ବ ଲୋତପ୍ରିୟତା ଫେରି ଆସିବାର ଦେଖା ଯାଇଥିଲା। ବିଭିନ୍ନ ସିନେମା ହଲ୍‌ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏପରିକି ସମସ୍ତେ ଟିକେଟ୍‌ ବୁକିଂ କରୁଥିବାରୁ ଅନଲାଇନରେ ମଧ୍ୟ ଟିକେଟ ବୁକିଂ ହେବାକୁ ବହୁ ସମୟ ଲାଗୁଥିଲା। ‘କୁହୁଡ଼ି’ରେ ଅନୁଭବଙ୍କ ଦମଦାର ଅଭିନୟ ଓ ‘ପାବାର’ରେ ମେଗାଷ୍ଟାର ବାବୁଶାନଙ୍କ ଚମତ୍କାର ପ୍ରଦର୍ଶନ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ସେହିପରି ‘ଚନ୍ଦ୍ରବଂଶୀ’ରେ ବରିଷ୍ଠ ଅଭିନେତା ସିଦ୍ଧାନ୍ତ, ଆକାଶ ଦାସ ନାୟକ ତଥା ଅନ୍ୟ ତାରକାମାନଙ୍କ ଅଭିନୟ ପ୍ରଶଂସନୀୟ ଥିଲା।

ନନ୍ଦନକାନନରେ ୩୦ ହଜାର ପର୍ଯ୍ୟଟକ, ଗୁଳୁଗୁଳିରେ ୨୧ ସଂଜ୍ଞାହୀନ 

 

ବାରଙ୍ଗ: ଆଜି ରବିବାରରେ ରଜର ଶେଷ ଦିନ ପଡ଼ିଥିବାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କର ପ୍ରବଳ ଭିଡ଼ ହୋଇଥିଲା। ପ୍ରବଳ ଗରମ ସତ୍ତ୍ବେ ପର୍ଯ୍ୟଟକମାନେ ଦିନ ତମାମ ନନ୍ଦନକାନନରେ ଭିଡ଼ କରିଥିଲେ। ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନନ୍ଦନକାନନ ଭିତରୁ ଦର୍ଶକମାନେ ଫେରୁଥିବା ଦେଖିବାକୁ ମିଳିଥିଲା। ଆଜି ୩୦,୩୨୩ ପର୍ଯ୍ୟଟକ ନନ୍ଦନକାନନ ବୁଲିଥିବା ଟିକେଟ୍‌ ବିକ୍ରିରୁ ଜଣାପଡ଼ିଛି। ଆଜି ଟିକେଟ ବିକ୍ରି ବାବଦକୁ ୧୨,୨୫,୯୮୦ ଟଙ୍କାର ରାଜସ୍ବ ଆଦାୟ ହୋଇଛି। ସେହିଭଳି ଚଳିତ ବର୍ଷ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ତୃତୀୟ ରଜରେ ୧୯୬୫ ପର୍ଯ୍ୟଟକ ବୁଲିଥିଲେ ଏବଂ ଟିକେଟ୍‌ ବିକ୍ରି ବାବଦକୁ ୫୮,୮୪୦ଟଙ୍କା ରାଜସ୍ୱ ଆଦାୟ ହୋଇଛି। ସେହିଭଳି ପ୍ରଥମ ରଜରେ ୧୫୭୯ ପର୍ଯ୍ୟଟକ ଟିକେଟ୍‌ ବିକ୍ରି ବାବଦକୁ ୪୦,୬୪୦ଟଙ୍କା ଓ ଦ୍ୱିତୀୟ ଦିନରେ ୧୮୮୭ ଟିକେଟ୍‌ ବାବଦକୁ ୪୮,୪୬୦ଟଙ୍କା ରାଜସ୍ୱ ଆଦାୟ ହୋଇଛି। ତେଣୁ ରଜ ୩ ଦିନରେ ମୋଟ ୫୪୩୧ ପର୍ଯ୍ୟଟକଙ୍କଠାରୁ ୧,୪୭,୯୪୦ଟଙ୍କାର ରାଜସ୍ୱ ଆଦାୟ ହୋଇଛି। ଆଜି ପ୍ରବଳ ଗରମ ହୋଇଥିବାରୁ ପଯ୍ୟଟକଙ୍କ ସୁରକ୍ଷା ଲାଗି ସ୍ୱତନ୍ତ୍ର ଚିକିତ୍ସା ଦଳ ନିଯୁକ୍ତ କରାଯାଇଥିଲା। ନନ୍ଦନକାନନରେ ୧୨ଟି ଆରୋ ପାନୀୟ ଜଳ ସହିତ ଅତିରିକ୍ତ ୨୫ ଜାଗାରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା। ତଥାପି ଗୁଳୁଗୁଳି ପ୍ରଭାବରେ ୨୧ ପର୍ଯ୍ୟଟକ ବେହୋସ ହୋଇପଡ଼ିଥିଲେ। ଜଣେ ଭିନ୍ନକ୍ଷମଙ୍କ ସମେତ ୨ ଜଣ ଗୁରୁତର ହେବାରୁ ଚିକିତ୍ସା ପାଇଁ ଆମ୍ବୁଲାନ୍‌ସ ଯୋଗେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲେ। ଅନ୍ୟ ୧୯ ଜଣ ନନ୍ଦନକାନନରେ ହିଁ ଚିକିତ୍ସିତ ହୋଇଥିଲେ ଏବଂ ସୁସ୍ଥ ହୋଇ ଫେରିଛନ୍ତି।

କଳିଙ୍ଗ କ୍ରୀଡ଼ା ବିକାଶ ପରିଷଦ ପକ୍ଷରୁ ରଜ ମହୋତ୍ସବ


ଚଳିତ ବର୍ଷର ରଜରେ ପ୍ରମୁଖ ଆକର୍ଷଣ ସାଜିଥିଲା ନୂଆପଲ୍ଲୀ ରଜ ମହୋତ୍ସବ। ନୂଆପଲ୍ଲୀ କଳିଙ୍ଗ କ୍ରୀଡ଼ା ବିକାଶ ପରିଷଦ ପକ୍ଷରୁ କସ୍ତୁରବା ପଡ଼ିଆରେ ଆୟୋଜିତ ଏହି ମହୋତ୍ସବରେ ବିଭିନ୍ନ ଦଳର ନେତା ତଥା କର୍ମୀ ଯୋଗ ଦେଇଥିଲେ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ପୂର୍ବରୁ ମିସନ ଶକ୍ତି ଗ୍ରୁପ୍‌ରେ କେବଳ ଚାରିରୁ ପାଞ୍ଚ ଜଣ ଉପକୃତ ହେଉଥିଲେ କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ପାଖରେ ସୁବିଧା ପହଞ୍ଚିବାକୁ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ସେହିପରି ଅତିଥି ଭାବେ ମହୋତ୍ସବରେ ମେୟର ସୁଲୋଚନା ଦାସ ଯୋଗଦେଇ ରାଜଧାନୀର ବିକାଶକୁ ଆହୁରି ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ଏହା ବ୍ୟତୀତ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, କର୍ପୋରେଟର ବନ୍ଦିତା ପାଲ, ଗୀତାଞ୍ଜଳି ସାହୁ, ପରିଷଦର ସଭାପତି ଅର୍ଜୁନ ବେହେରାଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ। ମହୋତ୍ସବରେ ପ୍ରମୁଖ ଆକର୍ଷଣ ସାଜିଥିଲା ୧୦ଟି ସ୍ୱୟଂ ସହାୟିକା ଗୋଷ୍ଠୀର ପିଠା ଷ୍ଟଲ। ଶେଷ ଦିନରେ ପୋଡ଼ପିଠା, ଗଇଁଠା, କାକରା ଆଦି ପିଠା ସହିତ ଗରମ ଚିକେନ ପକୋଡ଼ା, ଲଙ୍କା ଚପ୍‌ ଓ ମଥୁରା କେକ୍‌ର ମଜା ନେଇଥିଲେ ଲୋକେ। ସେହିପରି ରଜ ଦୋଳି ସହିତ ରାମଦୋଳି, ବ୍ରେକ୍‌ ଡ୍ୟାନ୍ସ, ଟୋରାଟୋରା ଆଦି ଦୋଳି ଖେଳିବାକୁ ଭିଡ଼ ଜମିଥିଲା।

ସମ୍ବନ୍ଧିତ ଖବର