ସୁରକ୍ଷା ବଳୟ‌ରେ ଜମ୍ମୁ-କଶ୍ମୀର ଛାତ୍ରଛାତ୍ରୀ

ଇନ୍‌ଫୋସିଟି ଥାନା ଅଞ୍ଚଳରେ ବଢ଼ିଲା ପୁଲିସ ପହରା, କିଟ୍‌ ବିଶ୍ବବିଦ୍ୟାଳୟରେ ପଢ଼ୁଛନ୍ତି ୨୫ ଛାତ୍ରଛାତ୍ରୀ

ଚନ୍ଦ୍ରଶେଖରପୁର: ଜମ୍ମୁ ଓ କଶ୍ମୀରରୁ ହଟିଲା ସମ୍ବିଧାନର ଧାରା ୩୭୦। ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଏନେଇ ଘୋଷଣା କରିବା ପରେ ସାରା ଦେଶରେ ହାଇଆଲର୍ଟ ଜାରି ହୋଇଛି। କୌଣସିପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ କଶ୍ମୀରରେ କଡ଼ା‌ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୪୪ ଧାରା ଜାରି ହୋଇଛି। ଇଣ୍ଟରନେଟ୍‌, ମେଲ୍‌, ୱେବସାଇଟ୍‌ ଆଦି ବନ୍ଦ କରି ଦିଆଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା କଶ୍ମୀର ଛାତ୍ରଛାତ୍ରୀ, ଚାକରି କରୁଥିବା ଯୁବକ/ଯୁବତୀଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟକୁ କୁହାଯିବା ପରେ ଓଡ଼ିଶାରେ କଶ୍ମୀର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଭୁବ‌ନେଶ୍ବରର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ୫୦ରୁ ଅଧିକ କଶ୍ମୀରର ଛାତ୍ରଛାତ୍ରୀ ପଢ଼ୁଥିବାରୁ ସେମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛି କମିସନରେଟ୍‌ ପୁଲିସ। ଶିକ୍ଷାନୁଷ୍ଠାନ ମଧ୍ୟ ନିଜ ଆଡ଼ୁ ପଦକ୍ଷେପ ଗ୍ରହଣ କରିଛି।

ଇନ୍‌ଫୋସିଟି ଥାନା ଅଞ୍ଚଳରେ ସବୁଠାରୁ ଅଧିକ କଶ୍ମୀର ଛାତ୍ରଛାତ୍ରୀ ରହୁଥିବା ସୂଚନା ମିଳିଛି। ତାହାକୁ ଦୃଷ୍ଟିରେ ରଖି ପୁଲିସ ପଦକ୍ଷେପ ନେଇଛି। କିଟ୍ ବିଶ୍ବବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା କଶ୍ମୀର ବିଦ୍ୟାର୍ଥୀଙ୍କୁ ଚିହ୍ନଟ କରିବା ସହ ସେମାନେ ରହୁଥିବା ହଷ୍ଟେଲ୍‌ ପରିଭ୍ରମଣ କରି ବ୍ୟକ୍ତିଗତ ଭାବେ ସେମାନଙ୍କ ସହ ଆଲୋଚନା କରିଛି। କିଟ୍‌ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ୨୫ଜଣ କଶ୍ମୀର ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍ ୱା‌ର୍ଡେନ୍‌ ଓ ସୁପରିନ୍‌ଟେଣ୍ଡେଣ୍ଟଙ୍କଠାରୁ ପିଲାଙ୍କ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇଛି। ଇନ୍‌ଫୋସିଟି ଥାନାର ଏକ ସ୍ବତନ୍ତ୍ର ଟିମ୍ କିଟ୍ ବିଶ୍ବବିଦ୍ୟାଳୟରେ ପାଟ୍ରୋଲିଂ କରି ପିଲାଙ୍କ ସୁବିଧା ଅସୁବିଧା ଉପରେ କଡ଼ା ନଜର ରଖିଥିବା ଆଇଆଇସି ବିଶ୍ବଜିତ୍ ମହାନ୍ତି କହିଛନ୍ତି। କିଟ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ମଧ୍ୟ ଛାତ୍ରଛାତ୍ରୀଙ୍କ ଲାଗି ସ୍ବତନ୍ତ୍ର ସୁବିଧା‌ ଯୋଗାଇ ଦିଆଯାଇଛି। ଶିକ୍ଷାନୁଷ୍ଠାନ ପକ୍ଷରୁ ପିଲାମାନଙ୍କୁ ଏକାଠି କରାଯାଇ ସଚେତନ କରାଯାଉଛି। ସେମାନେ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି। ଆଞ୍ଚଳିକ ତଥା ଜାତୀୟ ଗଣମାଧ୍ୟମରେ କଶ୍ମୀର ସ୍ଥିତିକୁ ନେଇ ପ୍ରକାଶ ପାଉଥିବା ବିଭିନ୍ନ ଖବର ଉପରେ ଚର୍ଚ୍ଚା କରାଯାଇ ପିଲାଙ୍କ ମନୋବଳ ସୁଦୃଢ଼ କରାଯାଉଥିବା କିଟ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ନେଇ କିଟ୍‌ରେ ପଢ଼ୁଥିବା କଶ୍ମୀର ଛାତ୍ରଛାତ୍ରୀ କୌଣସି ମତ ଦେଇନାହାନ୍ତି। ବରଂ ଇଣ୍ଟ୍‌ରନେଟ୍ ଓ ଯୋଗାଯୋଗ ସେବା ବନ୍ଦ ହୋଇଥିବାରୁ ସେମାନେ ଦୁଃଖ ପ୍ରକାଶ କରିଛନ୍ତି। ପରିବାରଲୋକଙ୍କ ସହ କଥାବର୍ତା କରିପାରୁନାହାନ୍ତି। କେବଳ ଗଣମାଧ୍ୟମରୁ ଯାହା କିଛି ଜାଣୁଛନ୍ତି। ସେହିପରି ଇନ୍‌ଫୋସିଟି ଅଞ୍ଚଳରେ ଥିବା ସଫ୍ଟୱେୟାର କମ୍ପାନିଗୁଡ଼ିକରେ କାର୍ଯ୍ୟ କରୁଥିବା ଜମ୍ମୁ-କଶ୍ମୀରର ଯୁବକ ଯୁବତୀଙ୍କୁ ଭେଟିଛି ପୁଲିସ। କର୍ମଚାରୀମାନେ ରହୁଥିବା ରେସିଡେଣ୍ଟସି ଓ ଆପାର୍ଟମେଣ୍ଟ ନିକଟରେ ପୁଲିସ ପ୍ରହରା ବଢ଼ାଇ ଦିଆଯାଇଛି।

କେବଳ ଇନ୍‌ଫୋସିଟି ଥାନା ନୁହେଁ, ସହରରେ ଥିବା ସମସ୍ତ ଥାନାକୁ ଏନେଇ ଆଲର୍ଟ କରାଯାଇଛି। ଖଣ୍ଡଗିରି ଓ ଜଟଣୀ ଥାନା ଅଧୀନରେ ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ ଆଇଆଇଟି, ନାଇଜର, ଏମ୍‌ସ, ଆଇଆଇଆଇଟି, ଜାଭିଅର୍‌ ବିଶ୍ବବିଦ୍ୟାଳୟ, ସେଞ୍ଚୁରିଆନ୍‌ ବିଶ୍ବବିଦ୍ୟାଳୟ, ସୋଆ ବିଶ୍ବବିଦ୍ୟାଳୟ ଆଦି ରହିଥିବାରୁ ସେଠା‌ରେ କଶ୍ମୀର ପିଲା ପଢ଼ୁଥିବା ସମ୍ଭାବନା ରହିଥିଲା। ଯେଉଁଥିପାଇଁ ଶିକ୍ଷାନୁଷ୍ଠାନ କର୍ତୃପକ୍ଷଙ୍କଠାରୁ ରିପୋର୍ଟ ମାଗିଥିଲା। ‌ତେବେ ଏହି ଦୁଇ ଥାନା ଅଧୀନରେ କଶ୍ମୀରର କୌଣସି ଛାତ୍ରଛାତ୍ରୀ ନଥିବା ଜଣାପଡ଼ିଛି। ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି ଯେ କେବଳ କିଟ୍‌ରେ ୨୫ଜଣ କଶ୍ମୀର ଛାତ୍ରଛାତ୍ରୀ ପଢ଼ୁଥିବା ଜଣାପଡ଼ିଛି। ତେଣୁ ସେମାନଙ୍କ ସୁରକ୍ଷା ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି। ପୁଲିସର କଡ଼ା ପହରା ଜାରି ରହିଛି। ଆଉ କୌଣସି ଶିକ୍ଷାନୁଷ୍ଠାନରେ କଶ୍ମୀର ପିଲା ପଢ଼ୁଥିବା ନେଇ ଏପର୍ଯ୍ୟନ୍ତ ସୂଚନା ମିଳିନି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପରେ ଦୃଷ୍ଟି ରଖିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର