ଭୁବନେଶ୍ବରରେ ‘ଜମ୍‌ତରା ଗ୍ୟାଙ୍ଗ’: ବେକାର ଆଇଟି ଇଞ୍ଜିନିୟରଙ୍କୁ ନିଯୁକ୍ତି ପ୍ରଲୋଭନ, ସତର୍କ ରହିବାକୁ ବିଶେଷଜ୍ଞଙ୍କ ପରାମର୍ଶ

ଭୁବନେଶ୍ବର: ସାଇବର ଠକଙ୍କ ଟାର୍ଗେଟ୍‌ରେ ଥିବା ଓଡ଼ିଶାକୁ ଆହୁରି ବିପଦ ଘନେଇବାରେ ଲାଗିଛି। ସାଇବର ଅପରାଧର ହବ୍ ପାଲଟିଥିବା ଝାଡ଼ଖଣ୍ଡର ଜମ୍‌ତରା ଶାଖା ଏବେ ରାଜଧାନୀ ଭୁବନେଶ୍ବରରେ ଖୋଲିଛି। ଏଠାରେ ଜମ୍‌ତରା ଗ୍ୟାଙ୍ଗ ତିଆରି କରି ସାଇବର ଠକେଇର ଜାଲ ବିଛାଇବାକୁ ତିଆରି ହେଉଛି ବ୍ଲୁ ପ୍ରିଣ୍ଟ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବେକାର ଆଇଟି ଇଞ୍ଜିନିୟରମାନଙ୍କୁ ଫସାଇବାକୁ ଚାଲିଛି ବଡ଼ ଧରଣର ଡିଲ୍‌। ବିପୁଳ ଅର୍ଥ ରୋଜଗାରର ପ୍ରଲୋଭନ ଦେଖାଇ ସେମାନଙ୍କୁ ଗ୍ୟାଙ୍ଗ୍‌ରେ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏକ ଜାତୀୟ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। କେତେ ଆଇଟି ଇଂଜିନିୟରଙ୍କୁ ନିଯୁକ୍ତି ମିଳିଛି, ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ବହୁ ବେକାର ଆଇଟି ଇଞ୍ଜିନିୟର ଏହି ଗ୍ୟାଙ୍ଗ ଲିଙ୍କ୍‌ରେ ଥିବା ଜଣାପଡ଼ିଛି। ଯଦି ଏହି ଖବର ସତ ହୋଇଥାଏ, ଓଡ଼ିଶାରେ ସାଇବର ଅପରାଧକୁ ଆଉ ରୋକିବା ସମ୍ଭବ ହେବନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଖରେ ସର୍ବନିମ୍ନ ସାଇବର ଜ୍ଞାନ ନ ଥିବାରୁ ଏହି ଠକେଇରେ ବହୁ ଲୋକ ବଳି ପଡ଼ିଯିବେ ବୋଲି ଆଶଙ୍କା ଦେଖାଦେଇଛି।

ଉକ୍ତ ଖବରକାଗଜ ରିପୋର୍ଟ ଅନୁସାରେ, ଜମ୍‌ତରା ଗ୍ୟାଙ୍ଗ ଏବେ ଓଡ଼ିଶା ସମେତ ୫ଟି ରାଜ୍ୟକୁ ଟାର୍ଗେଟ୍‌ କରିଛନ୍ତି। ଓଡ଼ିଶାର ଭୁବନେଶ୍ବର, ପଶ୍ଚିମବଙ୍ଗର କୋଲକାତା ଓ ଆସାନସୋଲ, ରାଜସ୍ଥାନର ଅଲଵାର ଓ ଭରତପୁର, ହରିୟାଣାର ମେଵାର ଓ ଗୁରୁଗାଓଁ ଏବଂ ଉତ୍ତରପ୍ରଦେଶର ମଥୁରା, ବାରାଣାସୀ ଓ ଜଲାଲପୁର ଏହି ଗ୍ୟାଙ୍ଗ୍‌ର ଟାର୍ଗେଟ୍‌ରେ ରହିଛି। ଏହି ସବୁ ସହରରେ ବେକାରଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତେଣୁ ଏହି ସବୁ ରାଜ୍ୟର ସାଇବର ପୁଲିସକୁ ସତର୍କ ରହିବା ପାଇଁ କୁହାଯାଇଛି। ଜମ୍‌ତରାରେ ସାଇବର ଠକମାନେ ଶହ ଶହ କୋଟି ଟଙ୍କା ରୋଜଗାର କରି ସାରିଲେଣି। ତେଣୁ ସେମାନେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଅନ୍ୟ ରାଜ୍ୟରେ ନିଜର ଶାଖା ଖୋଲିବାକୁ ଚେଷ୍ଟା ଚଳାଇଛନ୍ତି। ଯେଉଁ ସହରମାନଙ୍କରେ ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ହେଉଛି, ସେହିସବୁ ସ୍ଥାନକୁ ଜମ୍‌ତରା ଗ୍ୟାଙ୍ଗ୍‌ ଲକ୍ଷ୍ୟ ରଖୁଛି।

ଆଇପିଏସ୍ ଅଫିସର ପ୍ରଣବେନ୍ଦୁ ଆଚାର୍ଯ୍ୟ, ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ, ଗୁଇନ୍ଦା ଡିଆଇଜି ଅନୁପ ସାହୁ, ଆଇଏଏସ୍ ଅଫିସର ଭିନିଲ କ୍ରିଷ୍ଣା ଓ ରାଜ୍ୟ ସରକାରଙ୍କ ଏକାଧିକ ବରିଷ୍ଠ ପଦାଧିକାରୀ, ଡାକ୍ତର, ଇଞ୍ଜିନିୟରଙ୍କ ଆକାଉଣ୍ଟ ପୂର୍ବରୁ ହ୍ୟାକ୍ ହୋଇଛି। କିଛି ଦିନ ତଳେ ରାଜଧାନୀର ଏକ ଜଣାଶୁଣା ରେସ୍ତୋରାଁ ନାଁରେ ଲୋଭନୀୟ ଅଫର ଦେଇ ବିପୁଳ ପରିମାଣର ଠକେଇ ହୋଇଥିଲା। ଏହି ସବୁ କାଣ୍ଡ ପଛରେ ଜମ୍‌ତରା ଗ୍ୟାଙ୍ଗ୍‌ ନୂଆ ଶାଖାର ହାତ ଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସନ୍ଦେହ କରାଯାଉଛି। ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ ସୂଚନା ଅନୁସାରେ, ଜାତୀୟ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଥିବାରୁ ଲୋକଙ୍କ ପାଖକୁ ଆସୁଥିବା ଅଜଣା ମେସେଜ୍, ଫୋନ୍ କଲ୍, ହ୍ବାଟସ୍ଆପ୍ ମେସେଜ୍, ଇ-ମେଲ୍ ଠାରୁ ଦୂରରେ ରହିବାକୁ ପଡ଼ିବ। ଏସବୁକୁ ଭଲ ଭାବେ ଯାଞ୍ଚ କରି ସତ୍ୟାସତ୍ୟ ଜାଣିବା ପରେ କାର୍ଯ୍ୟ କରିବା ଦରକାର। କାହା ସହିତ ଡେବିଟ୍ ଓ କ୍ରେଡିଟ୍ କାର୍ଡର ଓଟିପି ସେୟାର ନ କରିବା ସହ ବିଭିନ୍ନ ଜାଗାରେ କାର୍ଡ ସ୍ବାପିଂ ଠାରୁ ଦୂରରେ ରହିଲେ ଠକେଇରୁ ବର୍ତ୍ତି ହେବ।

ସୂଚନାଯୋଗ୍ୟ ଯେ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ(ଏନସିଆରବି) ରିପୋର୍ଟ ଅନୁସାରେ ୨୦୧୮ ତୁଳନାରେ ୨୦୧୯ରେ ଓଡ଼ିଶାରେ ୭୬ ପ୍ରତିଶତ ସାଇବର ଅପରାଧ ବୃଦ୍ଧି ପାଇଥିଲା। ୨୦୧୮ରେ ୮୪୩ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୧୪୮୫ ଥିଲା। ୨୦୨୦ ସବୁ ରେକର୍ଡକୁ ଟପିଯିବ ବୋଲି ଅନୁମାନ କରାଯାଉଛି। ଜମ୍‌ତରାରେ ପ୍ରଥମେ ସାଇବର ଅପରାଧର ଉତ୍ପତ୍ତି ହୋଇଥିଲା। ମୁମ୍ବାଇରେ କାମ କରୁଥିବା କିଛି ଆଇଟି ଇଞ୍ଜିନିୟର ସାଇବର କ୍ରାଇମ୍‌ ଉପରେ ଜ୍ଞାନ ହାସଲ କରିଥିଲେ। ସାଇବର ଅପରାଧ ବିଷୟରେ ଜାଣିବା ପରେ ଚାକିରି ଛାଡ଼ି ନିଜ ଅଞ୍ଚଳ ଜମ୍‌ତରାକୁ ଚାଲି ଆସି ସାଇବର ଠକେଇର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏଟିଏମ୍, ଡେବିଟ୍‌ କାର୍ଡ ଓ କ୍ରେଡିଟ୍ କାର୍ଡକୁ ନେଇ ଠକେଇରେ ସଫଳତା ଲାଭ କଲେ। ଏବେ ସେମାନେ ଶହ ଶହ କୋଟି ଟଙ୍କାର ମାଲିକ ପାଲଟି ଯାଇଛନ୍ତି। ଗୋଟିଏ ଥର ଅପରାଧ ପାଇଁ ଗୋଟିଏ ମୋବାଇଲ୍ ଫୋନ୍ ଓ ସିମ୍ କାର୍ଡ ବ୍ୟବହାର କରନ୍ତି। ତେଣୁ ଏହି ମୋଷ୍ଟ ଵାଣ୍ଟେଡ୍ ଏହି ଜମ୍‌ତରା ଗ୍ୟାଙ୍ଗକୁ ପୁଲିସ ଠାବ କରିପାରୁନାହିଁ।

ସମ୍ବନ୍ଧିତ ଖବର