ବଜରଙ୍ଗଦଳ କର୍ମୀ ଓ ଗ୍ରାମବାସୀ ତାତିଲେ
ପଲିଥିନ୍ ଖାଇ ମରୁଛନ୍ତି ଷଣ୍ଢ: ସିଡିଭିଓ
ଭୁବନେଶ୍ୱର : ଭୁବନେଶ୍ବର ଉପକଣ୍ଠ ଜାମୁକୋଳିସ୍ଥିତ ଗୋ’ଶାଳାରେ ଆଜି ଅଭାବନୀୟ ଦୃଶ୍ୟ ଦେଖାଦେଇଛି। ୧୫ଟି ମୃତ ଷଣ୍ଢକୁ ଏକ ଟ୍ରକ୍ ଯୋଗେ ବାହାରକୁ ନିଆଯାଉଥିବା ବେଳେ ବଜରଙ୍ଗ ଦଳର କର୍ମୀମାନେ ଏହାକୁ ଧରି ହୋହଲ୍ଲା କରିଛନ୍ତି। ଏପରିକି ଗୋଶାଳା ଭିତରେ ମାଟି ଖୋଳି ଆଉ କେତୋଟି ଷଣ୍ଢର ଶବକୁ ପୋତା ହୋଇଥିବା ଦେଖିବାକୁ ମିଳିଛି। ବଜରଙ୍ଗଦଳର କର୍ମୀମାନେ ମାଟି ଖୋଳି ଷଣ୍ଢଙ୍କ କଙ୍କାଳ ବାହାର କରିବା ପରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏଠାରୁ ଷଣ୍ଢମାନଙ୍କୁ ତୁରନ୍ତ ଖାଲି କରିବାକୁ ସେମାନେ ଅଡ଼ି ବସିବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ସ୍ଥାନୀୟ ଯୁବକ ଗୋଶାଳାର ବାଡ଼ ଭାଙ୍ଗିବାକୁ ମଧ୍ୟ ଉଦ୍ୟମ କରିଥିଲେ। ପରେ ବିଏମ୍ସି ଡେପୁଟି କମିସନର ରମେଶ ଚନ୍ଦ୍ର ଜେନା ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ବଜରଙ୍ଗ ଦଳର କର୍ମୀ ଓ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଷଣ୍ଢ ମରିବା ଘଟଣାର ତଦନ୍ତ କରାଯିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଗତ ୨୦୧୮ ମସିହାରେ ହକି ବିଶ୍ବକପ୍ ସମୟରେ ସହରରୁ ବୁଲା ଷଣ୍ଢମାନଙ୍କୁ ଉଠାଇ ଗୋଟିଏ ସ୍ଥାନରେ ରଖିବାକୁ ଯୋଜନା ହୋଇଥିଲା। ଏଥିପାଇଁ ଭୁବନେଶ୍ବର ଉପକଣ୍ଠ ଜାମୁକୋଳିରେ ପ୍ରାୟ ୫ ଏକର ଜାଗାରେ ବିଏମ୍ସି ଗୋଶାଳା ତିଆରି କରିଥିଲା। ଏହାର ପରିଚାଳନା ପାଇଁ ଏକ ଘରୋଇ ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା। ପ୍ରତ୍ୟେକ ଷଣ୍ଢ ପିଛା ଶହେ ଟଙ୍କା ମିଳୁଥିଲା। ଏଠାରେ ସେଡ୍ ନିର୍ମାଣ କରିବା ସହ ଗଛ ଲଗାଇବା ଓ ଷଣ୍ଢ ରହିବା ଭଳି ପରିବେଶ ସୃଷ୍ଟି କରିବା ପାଇଁ ଯୋଜନା ରହିଥିଲା।
ହେଲେ ଯୋଜନା ଅନୁଯାୟୀ ସେଭଳି କିଛି ହେଲା ନାହିଁ। କେବଳ ଷଣ୍ଢଙ୍କୁ ନେଇ ସେଠାରେ ଛାଡ଼ି ଦିଆଯାଉଥିଲା। ଦୁଇବର୍ଷ ତଳେ ଏଠାରେ ୬ଏକର ଜାଗାରେ ଘାସ ଚାଷ କରିବା ପାଇଁ ଜାଗା ଚିହ୍ନଟ ହୋଇଥିଲା। ତାହା ମଧ୍ୟ ହୋଇ ନାହିଁ। ଗଛ ଲାଗି ନଥିବାରୁ ଖରା ଓ ଶୀତରେ ଷଣ୍ଢମାନେ ଖୋଲା ଆକାଶ ତଳେ ପଡ଼ି ରହୁଥିଲେ। ବର୍ଷାରେ ଏଠାରେ ଜମୁଥିବା ଆଣ୍ଠୁଏ ପାଣିରେ ବଡ଼ କଷ୍ଟ ପାଉଥିଲେ। ଏଣୁ ଷଣ୍ଢମାନେ ମରିବା ଆରମ୍ଭ କରିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୂଯାୟୀ ପ୍ରତ୍ୟେକ ଦିନ ଏଠାରୁ ୪ରୁ ୫ ଷଣ୍ଢ ମରୁଛନ୍ତି। ସେହିପରିବଜରଙ୍ଗ ଦଳର ଦେବାଶିଷ ରାଉତଙ୍କ ଅଭିଯୋଗ ହେଲା, ଏଠାରେ ଭଲ ଷଣ୍ଢଙ୍କୁ ଆଣି ମାରି ଦିଆଯାଉଛି। ସେମାନଙ୍କ ଯତ୍ନ ନିଆ ଯାଉନାହିଁ। ୧୬୫ ଷଣ୍ଢ ଅଛନ୍ତି, କିନ୍ତୁ ଖାଇବାକୁ ନାହିଁ। ତୁରନ୍ତ ଏହାକୁ ଏଠାରୁ ହଟାଯାଉ ଏବଂ ଷଣ୍ଢମାନଙ୍କୁ ମୁକ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।
ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରି ସିଡିଭିଓ ଡାକ୍ତର ଆରଏମ୍ ନରେନ୍ଦ୍ର କହିଛନ୍ତି, ମୃତ ଷଣ୍ଢଙ୍କୁ ପୋଷ୍ଟମର୍ଟମ କରିବା ପରେ ଶତ ପ୍ରତିଶତ ମାମଲାରେ ଆମେ ଦେଖିଥିଲୁ ଯେ ପେଟରେ ପଲିଥିନ୍ ଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ବାହାରେ ବୁଲୁଥିବାରୁ ପଲିଥିନ୍ ଖାଇଛନ୍ତି, କିନ୍ତୁ ଉପରୁ ଜଣାପଡ଼ୁ ନାହିଁ। ସମସ୍ତଙ୍କୁ ଅପରେସନ କରିବା ସମ୍ଭବ ନଥିଲା। ଅପରେସନ ପରେ ଯତ୍ନ ନେବା ପାଇଁ ବ୍ୟବସ୍ଥା ମଧ୍ୟ ନଥିଲା। ତଥାପି ଷଣ୍ଢଙ୍କ ଆବଶ୍ୟକ ଯତ୍ନ ନିଆଯାଉଛି। କିନ୍ତୁ ପ୍ରତ୍ୟେକ ମୃତ୍ୟୁ ପଛରେ ପଲିଥିନ୍ ହିଁ ମୂଳ କାରଣ ବୋଲି ସେ କହିଛନ୍ତି।
ଗୋଶାଳା ପରିଚାଳନା ଦାୟିତ୍ବରେ ଥିବା ଅମୂଲ୍ୟ ନାୟକ କହିଛନ୍ତି, ସେଡ୍ ତିଆରି କରିବା ଓ ଘାସ ପାଇଁ ଆମେ ବହୁତ ଥର ବିଏମ୍ସିକୁ ଲେଖିଛୁ। କିନ୍ତୁ ସମ୍ଭବ ହୋଇ ନାହିଁ। ଷଣ୍ଢ ମରିବା ପରେ ବିଏମ୍ସି ଗାଡ଼ି ଏଠାରୁ ନେଇ ଯାଇଥାଏ। କିନ୍ତୁ କିଛି ଦିନ ତଳେ ବିଏମ୍ସି ଗାଡ଼ି ଆସିନଥିବାରୁ ଏଠାରେ ଦୁଇଟି ଶବ ପୋତା ଯାଇଥିଲା। ଡେପୁଟି କମିସନର ରମେଶ ଜେନା କହିଛନ୍ତି, ଅଭିଯୋଗ ଆସିବା ପରେ ଆମେ କ୍ଷେତ୍ର ପରିଦର୍ଶନ କରିଛୁ। କେଉଁ ପରିସ୍ଥିତିରେ ଏତେ ଷଣ୍ଢ ମରୁଛନ୍ତି ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବ। ତେବେ ଏଠାରେ ସେଡ୍ ନିର୍ମାଣ କାର୍ଯ୍ୟ ଚାଲିଛି। ୧୦ ଦିନ ଭିତରେ ସେଡ୍ ପ୍ରସ୍ତୁତ ହେବ। ବୃକ୍ଷରୋପଣ ପାଇଁ ବ୍ୟବସ୍ଥା ହେଉଛି। ଜମି ମିଳିଥିଲେ ମଧ୍ୟ ଏହା ପଞ୍ଚାୟତ ଅଧୀନରେ ଥିବାରୁ ବିଳମ୍ବ ହୋଇଛି ବୋଲି ସେ କହିଛନ୍ତି।