ଭୁବନେଶ୍ୱର: ତମାଳ ଓ କଦମ୍ବ ଗଛର ଧାରେଧାରେ ବହିବ ଛଳଛଳ ଯମୁନା ନଈ। ବୃନ୍ଦାରଣ୍ୟ ମଧ୍ୟରେ ଶୋଭା ପାଇବ ରାଶିରାଶି ଫୁଲଗଛ। ନିକଟରେ ଝରଣାର କଳକଳ ନାଦ ସାଙ୍ଗକୁ ମନ ମୋହିବ ଚଢ଼େଇଙ୍କ କିଚିରିମିଚି ଶବ୍ଦ। ଜୟଦେବଙ୍କ ଗୀତଗୋବିନ୍ଦରେ ବର୍ଣ୍ଣିତ ଯମୁନା ନଦୀର ମନମୋହକ ଦୃଶ୍ୟର ଭ୍ରମ ସୃଷ୍ଟି ହେବ ‘ଜୟଦେବ ବାଟିକା’ରେ। ପୁଣି ଗୀତଗୋବିନ୍ଦର ପଙ୍କ୍ତିଂରେ ଥିବା ଇତିବୃତ୍ତ ଉତୁରିବ ଏହି ବାଟିକା ମଧ୍ୟରେ। ନିର୍ମିତ ହେବ ୨୪ଟି କୁଞ୍ଜ। ରାଧା ମାଧବ ଯମୁନା କୂଳେ କେଳି କରିବାର ବୃତ୍ତାନ୍ତକୁ ଚମତ୍କାର ଢଙ୍ଗରେ ବର୍ଣ୍ଣନା କରାଯାଇଥିବା ବେଳେ ସେଇ ସମୟର ମନୋରମ ପରିବେଶର ଉପସ୍ଥାପନ କରାଯିବ। ବାଟିକା ମଧ୍ୟରେ ୫୦୦ ମିଟର ଲମ୍ବର ଏଇ ନଈର ନିର୍ମାଣ କାର୍ଯ୍ୟ ବର୍ତମାନ ସୁଦ୍ଧା ୭୫ ପ୍ରତିଶତ ଶେଷ ହୋଇଛି। କେବଳ ନିର୍ମାଣ କାର୍ଯ୍ୟ ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ ହୋଇଥିବା ବେଳେ ଆଗକୁ ସୌନ୍ଦର୍ଯ୍ୟକରଣ ପାଇଁ ଆହୁରି ବ୍ୟୟ ବରାଦ କରାଯିବ ବୋଲି ସୂଚନା ମିଳିଛି। ଏତିକି ନୁହେଁ, ଯମୁନା ନଈର କୂଳେକୂଳେ ଘାସ୍‌ର ଲନ୍‌ ମଧ୍ୟ କରାଯିବ। ଫଳରେ ସେଇ ବାଟିକା ମଧ୍ୟକୁ ବୁଲିବାକୁ ଯାଉଥିବା ପର୍ଯ୍ୟଟକ ଯମୁନା ନଈର ସ୍ୱର୍ଗୀୟ ଅନୁଭବରେ ଲଭି ପାରିବେ। ଯଦି ସମ୍ଭବ ହୁଏ ଯମୁନା ନଈ ମଧ୍ୟରେ ବୋଟିଂ କରିବାର ମଜା ମିଳିପାରେ। ଏନେଇ ଯଦିଓ ନିଷ୍ପତ୍ତି ଚୂଡ଼ାନ୍ତ ହୋଇନି ତେବେ ଅନେକ ସମ୍ଭାବନା ରହିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଓଏଫ୍‌ଡିସି ପକ୍ଷରୁ ଏହିଭଳି ଏକ ମନୋରମ ପରିବେଶ ଭେଟି ଦେବା ପାଇଁ କାର୍ଯ୍ୟ ଚାଲୁ ରହିଛି।

Advertisment

ବିଶିଷ୍ଟ ଐତିହାସିକ ତଥା ଜୟଦେବ ଫାଉଣ୍ଡେସନ୍‌ ଟ୍ରଷ୍ଟ୍‍ର ପ୍ରଫୁଲ୍ଲ ତ୍ରିପାଠୀଙ୍କ ମତରେ ଯମୁନା ନଈର ପରିକଳ୍ପନା ବେଶ୍‌ ସ୍ୱାଗତଯୋଗ୍ୟ। ଏହା ଜୟଦେବ ବାଟିକାର ମହତ୍ତ୍ୱ ଓ ବିଶେଷତ୍ୱକୁ ପ୍ରମାଣିତ କରିବାରେ ସହାୟକ ହେବ। ସଂପ୍ରତି ୧୦୦ ଏକର ପରିମିତ ଘଞ୍ଚ ଜଙ୍ଗଲ ପରିମିତ ଏହି ବାଟିକା ବଣଭୋଜି କରିବା ପାଇଁ ସର୍ବାଧିକ ପସନ୍ଦଯୋଗ୍ୟ ସ୍ଥାନ ପାଲଟିଥିବା ବେଳେ ଆଗାମୀ ଦିନରେ ଏଠାରେ ରାତିରେ ରହିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। ବିଶେଷକରି ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ (ଓଏଫ୍‌ଡିସି) ଏଠାରେ ୪ଟି ଇକୋ କଟେଜ୍‌ ନିର୍ମାଣ କରିବାକୁ ଯୋଜନା କରିଛି। ଏହା ହୋଇପାରିଲେ ସହର ମଧ୍ୟରେ ଜଙ୍ଗଲରେ ରାତି କାଟିବାର ଅନୁଭୂତି ସାଉଁଟିପାରିବେ ପର୍ଯ୍ୟଟକ। ମିଳିଥିବା ସୂଚନା ମୁତାବକ ଓଏଫ୍‌ଡିସି ଏଠାରୁ ପ୍ରବେଶ ଦେୟ ଓ ବଣଭୋଜି ସ୍ଥଳ ଭଡ଼ା ବାବଦରେ ଦେଇ ବର୍ଷକୁ ୧କୋଟି ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବେଳେ ଏହି ଟଙ୍କାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି।