ସାଧାରଣ ଜନତାଙ୍କ ନେତା ଜାନକୀ ବାବୁ: ବାଚସ୍ପତି

ଜାନକୀ ବଲ୍ଲଭଙ୍କ ୭ମ ଶ୍ରଦ୍ଧାଞ୍ଜଳି ଉତ୍ସବ

ଭୁବନେଶ୍ବର: ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ଆଜି ହୋଟେଲ ପାର୍କ ପ୍ରିମିୟମ୍‌ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭଙ୍କ ୭ମ ଶ୍ରାଦ୍ଧୋତ୍ସବ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ଉତ୍ସବକୁ ଉଦ୍‌ଘାଟନ କରି କହିଲେ ଓଡ଼ିଶାରେ ଯେଉଁ କେତେ ଜଣ ବିଚକ୍ଷଣ ରାଜନେତା ଜନ୍ମ ନେଇଛନ୍ତି, ସେମାନଙ୍କ ମଧ୍ୟରୁ ଜାନକୀ ବାବୁ ଅନ୍ୟତମ। ସେ ଜଣେ ଦୂରଦୃଷ୍ଟିସମ୍ପନ୍ନ ଜନନେତା ଥିଲେ। ସାଧାରଣ ପରିବାରରୁ ଆସିଥିବାରୁ ସାଧାରଣ ଜନତାଙ୍କ ଦୁଃଖକୁ ‌ସେ ହୃଦୟଙ୍ଗମ କରିପାରୁଥିଲେ। ବିଶିଷ୍ଟ ଅତିଥି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଜାନକୀ ବାବୁଙ୍କ ଶାସନ କାଳକୁ ଓଡ଼ିଶାର ସୁବର୍ଣ୍ଣ ଯୁଗ ବୋଲି ବର୍ଣ୍ଣନା କରିଥି‌ଲେ। କୃଷିକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ବାଲିରେ ଆଳୁଚାଷର ପରୀକ୍ଷା କରାଇଥିଲେ। ସେ ୪୬ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ସହ ଜଳସେଚନକୁ ସବୁଠାରୁ ଗୁରୁତ୍ବ ଦେଉଥିଲେ।

କାର୍ଯ୍ୟକ୍ରମର ମୁଖ୍ୟବକ୍ତା କିସ୍‌ର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଜାନକୀ ବାବୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସମର୍ପିତ ଥିଲେ ବୋଲି କହିଥିଲେ। ଶ୍ରୀମନ୍ଦିର ଆୟ ବୃଦ୍ଧି ପାଇଁ ପ୍ରଥମ କରି ସେ ହୁଣ୍ଡି ସ୍ଥାପନ କରିଥିଲେ। ସେବାୟତଙ୍କ ଶିକ୍ଷା ଓ ପ୍ରଶିକ୍ଷଣ ପାଇଁ ସେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଜାନକୀ ବାବୁଙ୍କ ପୁତ୍ର ପୃଥ୍ବୀବଲ୍ଲଭ ପଟ୍ଟନାୟକ କହିଲେ ତାଙ୍କ ପିତାଙ୍କ ପ୍ରତି ଅତିଥିମାନଙ୍କ ଭଲପାଇବା ତାଙ୍କୁ ଅଭିଭୂତ କରିଛି। ଡ. ବିମଳେନ୍ଦୁ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓଡ଼ିଶାରେ ଦୀର୍ଘ ୧୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତି ରକ୍ଷା ଦିଗ‌ରେ କୌଣସି କାର୍ଯ୍ୟ କରାଯାଉନି ବୋଲି କ୍ଷୋଭ ପ୍ରକାଶ କରିଥିଲେ। ଶେଷରେ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନୋଜ ଲେଙ୍କା, ପ୍ରଦୀପ ମହାପାତ୍ର, ଆଲୋକ ମହାନ୍ତି, ବିବେକାନନ୍ଦ ପାତ୍ର, ବାବା ବୈକୁଣ୍ଠନାଥ, ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ସମାଜସେବା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ପୁରୀ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ମଞ୍ଜୁ ମହାନ୍ତି, ଓଡ଼ିଆ ସାହିତ୍ୟ କ୍ଷେତ୍ର ପାଇଁ ସାହିତ୍ୟିକ ପ୍ରଭାକର ସ୍ବାଇଁ ଓ ସାମ୍ବାଦିକ ଅଶୋକ ପଣ୍ଡାଙ୍କୁ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ-୨୦୨୨ରେ ସମ୍ବର୍ଦ୍ଧିତ କରାଯାଇଥିଲା। ସଂସ୍କୃତି ପରିଷଦ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର