ଜନତା କର୍ଫ୍ୟୁ : ଜନଶୂନ୍ୟ ରାଜରାସ୍ତା

କରୋନା ବିରୋଧରେ ସ୍ବତଃପ୍ରବୃତ ଲଢେଇ
ଜରୁରି କାମରେ ଯାଉଥିବା ବ୍ୟକ୍ତି ପୁଲିସଠୁ ନେଲେ ପାସ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ଶତାଧିକ ଯାତ୍ରୀଙ୍କୁ ଖାଦ୍ୟ ପରଷିଲା ପୁଲିସ
୪୦ପ୍ଲାଟୁନ୍ ଫୋର୍ସ, ୧୦୦ଅଫିସର ନିୟୋଜିତ

ଭୁବନେଶ୍ବର : ରାଜରାସ୍ତାଠାରୁ ରେଳ ଷ୍ଟେସନ୍‌, ବସ୍‌ଷ୍ଟାଣ୍ଡ୍‌ରୁ ବିମାନବନ୍ଦର; ଚାରିଆଡ଼େ ଥିଲା ଜନଶୂନ୍ୟ। ଆଜି ରାଜଧାନୀ ଭୁବନେଶ୍ବରର ପୂରା ଚିତ୍ର ଥିଲା ଏମିତି। କାଁ ଭାଁ ଗାଡ଼ି ମୋଟର, ଜରୁରୀକାଳୀନ ସେବାକୁ ଛାଡ଼ି ଦେଲେ ଚାରିଆଡ଼େ ଥିଲା ଖାଁ ଖାଁର ରାଜୁତି। ନନ୍ଦନକାନନରୁ ଆରମ୍ଭ କରି ରାଜଭବନ ଛକ, ଖଣ୍ଡଗିରିରୁ ପଳାସୁଣି, ବାଣୀବିହାରରୁ ଶିଶୁଭବନ, ବିମାନବନ୍ଦରରୁ ଆଚାର୍ଯ୍ୟବିହାର, କୌଣସି ରାଜନୈତିକ ଦଳର ବନ୍ଦ ଡା଼କରା ନଥିଲା। କରୋନା ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆହ୍ବାନରେ ଥିଲା ଜନତା କର୍ଫ୍ୟୁ। କରୋନା ବିରୋଧରେ ଜନତାଙ୍କ ସ୍ବତଃପ୍ରବୃତ ଲଢ଼େଇ ସାରି ହୋଇପଡ଼ୁଥିଲା। ଶତାଧିକ ଟ୍ରେନ୍ ବାତିଲ, ଘରୋଇ ବସ୍ ମାଲିକ ସଂଘର ସମର୍ଥନ, ଟାକ୍ସି, ଅଟୋ ବନ୍ଦକୁ ନେଇ ସବୁଆଡ଼େ ଜନଶୂନ୍ୟ ହୋଇପଡ଼ିଥିଲା। ମାର୍କେଟ୍ ବିଲ୍ଡିଂ ହେଉ କି ଏକ ନମ୍ବର ହାଟ, ରବିବାରରେ ଗହଳିଚହଳିରେ ଫାଟି ପଡୁଥିବା ଏହି ଅଞ୍ଚଳ ନିରବ ପାଲଟି ଯାଇଥିଲା। ସେହିପରି ହଜାରହଜାର ଯାତ୍ରୀଙ୍କ ଗହଳି ଲାଗୁଥିବା ଭୁବନେଶ୍ବର ରେଳ ଷ୍ଟେସନ୍‌ ପୂରା ଫାଙ୍କା ରହିଥିଲା। ବରମୁଣ୍ଡା ବସଷ୍ଟାଣ୍ଡରେ କିଛି ଯାତ୍ରୀଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ କେଉଁଠିକି ଯାଇ ପାରି ନଥିଲେ। ଶହେରୁ ଅଧିକ ଯାତ୍ରୀଙ୍କ ଲାଗି କମିସନରେଟ୍‌ ପୁଲିସ ପକ୍ଷରୁ ଖାଦ୍ୟ ତିଆରି କରାଯାଇଥିଲା।

ହସ୍ପିଟାଲ, ବିମାନବନ୍ଦର, ରେଳ ଷ୍ଟେସନକୁ ଯାଉଥିବା ଲୋକଙ୍କୁ କିଛିଟା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବିଭିନ୍ନ ଛକରେ ସେମାନଙ୍କୁ ପୁଲିସର ସାମ୍ନା କରିବାକୁ ପଡ଼ିଥିଲା। କିନ୍ତୁ ଟିକଟ ଓ ମେଡିକାଲ କାଗଜପତ୍ର ଦେଖାଇବା ପରେ ପୁଲିସ ସେମାନଙ୍କୁ ଛାଡ଼ିଥିଲା। ଏଥିପାଇଁ ପାସ୍ ବ୍ୟବସ୍ଥା ହୋଇଥିଲା। ପୁଲିସଠାରୁ ପାସ୍ ନେଇ ସମ୍ପୃକ୍ତ ବ୍ୟକ୍ତି ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। କେତେକ ଯୁବକ ଓ ବ୍ୟକ୍ତି ବିନା କାମରେ ବୁଲିଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲେ। ପୁଲିସ ସେମାନଙ୍କୁ ତାଗିଦ୍ କରି ଛାଡ଼ି ଦେଇଥିଲା। ରାଜଧାନୀର ସୁରକ୍ଷା ଲାଗି ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ କରା ଯାଇଥିଲା। ସୁରକ୍ଷା ବ୍ୟବସ୍ଥାରେ ୧୦୦ଜଣ ଅଫିସର୍‌ ମଧ୍ୟ ନିୟୋଜିତ ହୋଇଥିଲେ। ଡିସିପି ଅନୁପ ସାହୁ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।

ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି, ଆଜିଭଳି ଆସନ୍ତା ୨୯ ତାରିଖ ଯାଏ ରାଜଧାନୀରେ ଲକ୍‌-ଡାଉନ୍ ଜାରି ରହିବ। କେବଳ ମେଡିକାଲ, ଏୟାରପୋର୍ଟକୁ ପୁଲିସଠାରୁ ପାସ୍ ନେଇ ଯାଇ ପାରିବେ। ଯେଉଁମାନେ ସଉଦା, ପନିପରିବା, ଅଣ୍ଡା, ମାଛ, ମାଂସ, ଦୁଗ୍ଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ଯିବେ, ସେମାନେ ଚାଲିଚାଲି ଯିବାକୁ କୁହାଯାଇଛି। ବିନା କାମରେ ନ ଯିବାକୁ ପୁଲିସ କମିସନର୍‌ ଅନୁରୋଧ କରିବା ସହ ପୁଲିସ ସହ ଅଯଥା ଯୁକ୍ତିତର୍କରୁ କ୍ଷାନ୍ତ ରହିବାକୁ କହିଛନ୍ତି। ଏଥିରେ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିସନର୍‌ କହିଛନ୍ତି।

ସମ୍ବନ୍ଧିତ ଖବର