ରାଜଧାନୀରେ ଆଗୁଆ କର୍ଫ୍ୟୁ

ଭୁବନେଶ୍ବର : ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ସାରା ଦେଶରେ ଜନତା କର୍ଫ୍ୟୁ ଜାରି ହୋଇଛି। ରାଜ୍ୟ ସରକାର ୫ ଜିଲ୍ଲା ଓ ୮ସହରରେ ଲକ୍‌ ଡାଉନ୍ ଘୋଷଣା କରିଛନ୍ତି। ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ଦୋକାନ ବଜାର ବନ୍ଦ କରିବା ସହ ଲୋକଙ୍କୁ ଘରୁ ବାହାରିବାକୁ ମନା କରିଛନ୍ତି। ୨୨ ତାରିଖରୁ ଏହି କଟକଣା ଲାଗୁ ହେବାକୁ ଥିଲେ ହେଁ ଦିନକ ଆଗରୁ ରାଜଧାନୀରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ରାଜଧାନୀ ପୂରା ଶୂନ୍‌ଶାନ୍ ହୋଇଯାଇଛି। ବ୍ୟସ୍ତବହୁଳ ଓ ଜଳଗହଳିପୂର୍ଣ୍ଣ ଅଞ୍ଚଳ କୁହାଯାଉଥିବା ବାପୁଜୀନଗର, ସହିଦନଗର, ଜନପଥ ଭଳି ଅଞ୍ଚଳରେ ଆଜି ଦିନତମାମ ଦୋକାନ ବଜାର ବନ୍ଦ ଥିଲା। ରାଜ୍ୟ ସରକାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, କପଡ଼ା, ଜୁଏଲାରି, ଖାଇବା ହୋଟେଲ ଆଦି ବନ୍ଦ କରିବା ପରେ ଏହାର ପ୍ରଭାବ ଆଜି ରାଜଧାନୀରେ ଦେଖିବାକୁ ମିଳିଛି। ଏପଟେ ଧର୍ମାନୁଷ୍ଠାନ, ପାର୍କ ଆଦି ବନ୍ଦ ହୋଇଯାଇଥିବାରୁ ଲୋକଙ୍କ ଗହଳି ବି ଦେଖିବାକୁ ମିଳି ନ ଥିଲା। ଏପରିକି ମଧ୍ୟାହ୍ନରେ କୁଆପଥର ସହ ବର୍ଷା ପବନ ହେବାରୁ ଯେଉଁ କେତେକ ସ୍ଥାନରେ ଲୋକଙ୍କ ଯାତାୟାତ ଥିଲା, ତାହା ବି ବନ୍ଦ ହୋଇଯାଇଥିଲା। ଯାହାର ଜରୁରୀ କାମ ନ ଥିଲା, ସେମାନେ ଘରୁ ବାହାରି ନ ଥିଲେ।

ହେଲେ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପରିବା ହାଟ, ଗ୍ରୋସରି, ଫଳ ଦୋକାନ ଖୋଲା ରହିଥିବାରୁ ଏହି ଦୋକାନଗୁଡ଼ିକରେ ଦିନତମାମ ଭିଡ଼ ଜମିଥିଲା। ଏପରିକି ଦିନ ପ୍ରାୟ ୨ଟା ବେଳେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ୍ ହେବା ନେଇ ଘୋଷଣା କରିବା ପରେ ସବୁ ହାଟରେ ଲୋକଙ୍କ ଗହଳି ଜମିଥିଲା। ଲୋକମାନେ ଘରକୁ ପନିପରିବା, ସଉଦା ଓ ଫଳ କିଣି ନେଉଥିବା ଦେଖିବାକୁ ମିଳିଥିଲା। ସଂଧ୍ୟାରେ ତ ମଦ ଦୋକାନଗୁଡ଼ିକରେ ଲମ୍ବା ଧାଡ଼ି ଲାଗି ରହିଥିଲା। ୮ଦିନ ମଦ ଦୋକାନ ବନ୍ଦ ହେବ ଜାଣିବା ପରେ ମଦୁଆମାନେ ଘରକୁ ମଦ ବୋହି ନେଇଥିଲେ।

ବୁଲି ବୁଲି ସଚେତନ କରୁଛି କମିସନରେଟ ପୁଲିସ
ଭୁବନେଶ୍ବର : କରୋନା ମୁକାବିଲା ସତର୍କତାମୂଳକ ପଦକ୍ଷେପସ୍ବରୂପ କମିସନରେଟ୍‌ ପୁଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ବିଭିନ୍ନ ଥାନା ପୁଲିସ ସେମାନଙ୍କ ଅଞ୍ଚଳରେ ଥିବା ହସ୍ପିଟାଲ, ବସ୍ତି, ମାର୍କେଟ୍, କଲୋନି, ସର୍ବସାଧାରଣ ସ୍ଥାନରେ ବୁଲି ବୁଲି ସଚେତନତା କରିଛନ୍ତି। ପୁଲିସ ଅଧିକାରୀ ପିସିଆର୍ ଭ୍ୟାନ୍‌ରେ ପହଞ୍ଚି ମାଇକ୍‌ରେ ସଚେତନତା କରିଛନ୍ତି। ଜନସାଧାରଣ କ’ଣ କ’ଣ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବେ, ସେ ନେଇ ପୁଲିସ ସଚେତନତା କରିଛି। ଏହାସହ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରତିଷ୍ଠାନ ବନ୍ଦ ସମ୍ପର୍କରେ ପୁଲିସ ବିସ୍ତୃତ ଭାବେ କହିଛି। ଯଥେଷ୍ଟ ସଚେତନ ରହିବାକୁ ପୁଲିସ ଲୋକଙ୍କୁ ପରାମର୍ଶ ଦେଇଛି। ଆଗକୁ ଏହି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜଣାପଡ଼ିଛି। ଏହାବ୍ୟତୀତ ପୁଲିସ ବିଭିନ୍ନ ଆଡ଼େ ପାଟ୍ରୋଲିଂ ଜାରି ରଖିଛି।

ସମ୍ବନ୍ଧିତ ଖବର