ଭୁବନେଶ୍ବର: ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୁବନେଶ୍ବର ବସ୍ତି ଉନ୍ନୟନ ପରିଷଦ ପକ୍ଷରୁ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଥିଲା ‘ଜନତା ଦରବାର’। କଲେଜ ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ‘ହ୍ବାଟ୍ ଆଇ ଷ୍ଟାଣ୍ଡ ଫର’ ଢଙ୍ଗରେ ଅନୁଷ୍ଠିତ ଏହି ଦରବାରରେ ଲୋକମାନେ ଯୋଗଦେବା ସହିତ ଭୁବନେଶ୍ବରର ବିଭିନ୍ନ ନିର୍ବାଚନମଣ୍ଡଳୀ ଓ ସଂସଦ ପାଇଁ ପ୍ରାର୍ଥୀ ହୋଇଥିବା ରାଜନେତାଙ୍କୁ ସିଧାସଳଖ ପ୍ରଶ୍ନ ପଚାରିଥିଲେ। ଏଥିରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଯୋଗ ଦେବା ସହ ବସ୍ତିବାସିନ୍ଦାଙ୍କ ସାମ୍ନାରେ ପ୍ରତିଶ୍ରୁତିର ପାହାଡ଼ ରଖିଥିଲେ।ଭୁବନେଶ୍ବର ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ କହିଥିଲେ, ତାଙ୍କ ଦଳ ବିଜୟୀ ହେଲେ ମହାରାଷ୍ଟ୍ର ଭଳି ଓଡ଼ିଶାରେ ଏକ ବସ୍ତି ଉନ୍ନୟନ ପ୍ରାଧିକରଣ ଗଠନ କରାଯିବ। ଏଥିରେ ଅନ୍ୟ ବିଭାଗ ଭଳି ପ୍ରାଶାସନିକ ଅଧିକାରୀମାନେ ରହିବା ସହ ବସ୍ତିର ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିବ। ବସ୍ତିରେ ରହୁଥିବା ଲୋକଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଯୋଗାଇ ଦିଆଯିବ। ମହିଳାମାନଙ୍କୁ ସୁରକ୍ଷା, ସମ୍ମାନ ସହ ଅର୍ଥନୈତିକ ବିକାଶ ପାଇଁ କାର୍ଯ୍ୟ କରାଯିବ। ବସ୍ତିରେ କେତେ ଲୋକ ରହୁଛନ୍ତି ଓ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ ସେହି ଆଧାରରେ ନିଯୁକ୍ତି ଯୋଗାଇ ଦିଆଯିବ। ଯଦି ସାଂସଦ ଭାବେ ବିଜୟୀ ହୁଅନ୍ତି ତେବେ ୭ଟି ନିର୍ବାଚନମଣ୍ଡଳୀରେ ସାଂସଦଙ୍କ ସ୍ବତନ୍ତ୍ର କାର୍ଯ୍ୟାଳୟ ଖୋଲିବ। ଫଳରେ ଧାର୍ଯ୍ୟ ଦିନରେ ଲୋକମାନେ ସିଧାସଳଖ ସାଂସଦଙ୍କ ସହ ଆଲୋଚନା କରିପାରିବେ। ବସ୍ତିବାସିନ୍ଦାଙ୍କୁ ପରିଚୟପତ୍ର ପ୍ରଦାନ କରାଯିବା ସହ ବାସହୀନଙ୍କୁ ରାତ୍ର ଆଶ୍ରୟସ୍ଥଳୀ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରତିଶ୍ରୁତି ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମଧ୍ୟ ଭୁବନେଶ୍ବର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା କହିଲେ, ମେୟର ଥିବା ସମୟରେ ସବୁବର୍ଗର ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଛି। ରାଜୀବ ଆବାସ ଯୋଜନା ଓ ପ୍ରାଧନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇ ଦିଆଯାଇଛି। ବାକି ଲୋକଙ୍କୁ ଯୋଗାଇ ଦେବା ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି। ପାନୀୟ ଜଳ, ଶୌଚାଳୟ ମଧ୍ୟ ଦିଆଯାଇଛି। ଯେଉଁ କାମ ବାକି ରହିଛି, ଆଗାମୀ ଦିନରେ ଯଥାସମ୍ଭବ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବି। ଲୋକଙ୍କ ସହ ଆଗରୁ ଥିଲି, ଆଗକୁ ମଧ୍ୟ ରହି ବୋଲି ଶ୍ରୀ ଜେନା କହିଥିଲେ। ଭୁବନେଶ୍ବର ଉତ୍ତରର ସିପିଆଇଏମ୍ଏଲ ଲିବରେସନ୍ ପ୍ରାର୍ଥୀ ମହେନ୍ଦ୍ର ପରିଡ଼ା କହିଲେ, ଗ୍ରାମାଞ୍ଚଳରେ ରୋଜଗାର କମିବା କାରଣରୁ ଲୋକମାନେ ରାଜଧାନୀମୁହାଁ ହେଉଛନ୍ତି। ଗ୍ରାମାଞ୍ଚଳରେ ଯୁବକ/ଯୁବତୀଙ୍କ ରୋଜଗାର ସଂକୁଚିତ ହେଉଛି। ବାଧ୍ୟ ହୋଇ ସେମାନେ ସହରକୁ ଆସିବା ପରେ ଅସ୍ବାସ୍ଥ୍ୟକର ପରିବେଶରେ ରହି ଜୀବନ ବିତାଉଛନ୍ତି। ତେଣୁ ସରକାରୀ ଯୋଜନା ଗ୍ରାମାଭିମୁଖୀ ହେବା ଦରକାର। ଆମ୍ ଆଦମୀ ପାର୍ଟିର ମଧ୍ୟ ପ୍ରାର୍ଥୀ ଶୁଭାଶିଷ ପଟ୍ଟନାୟକ କହିଲେ, ମଦମୁକ୍ତ, ଶୋଷଣମୁକ୍ତ ସରକାର ପ୍ରତିଷ୍ଠା ଦିଗରେ ଉଦ୍ୟମ କରିବା ସହ ସବୁ ବର୍ଗର ଲୋକ କିଭଳି ସମ୍ମାନର ସହ ସହରରେ ବସବାସ କରିପାରିବେ, ସେଥିପାଇଁ ଉଦ୍ୟମ କରାଯିବ। ଅନ୍ୟମାନଙ୍କ ମଧ୍ୟରେ ମଧ୍ୟ ଭୁବନେଶ୍ବର ସ୍ବାଧୀନ ପ୍ରାର୍ଥୀ ସୁମନ୍ତ ସ୍ବାଇଁ ମଧ୍ୟ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ୨ଶହରୁ ଅଧିକ ବସ୍ତିନେତା ଯୋଗ ଦେଇଥିଲେ। ପରିଷଦର ସଭାନେତ୍ରୀ ରଂଜୁଲତା ମହାପାତ୍ର, ଉପଦେଷ୍ଟା ସଂଯୁକ୍ତା ପାଣିଗ୍ରାହୀ, ସଚିକାନ୍ତ ପ୍ରଧାନ, ପ୍ରଦୀପ ପ୍ରଧାନ, ଉଷାରାଣୀ ବେହେରା ଓ ଅନ୍ୟମାନେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।