କଟକଣା ରହିଲେ ୱେବ୍‌ ପୋର୍ଟାଲ୍‌ ସମାଜକୁ ଶ୍ରେଷ୍ଠ ସେବା ଦେବ

ଜନତା ଜନାର୍ଦ୍ଦନ

ୱେବ୍‌ ପୋର୍ଟାଲ୍‌କୁ କିଛି ଅସାଧୁ ବ୍ୟକ୍ତି ଅକ୍ତିଆର କରି ଭୁଲ ବାଟରେ ବ୍ୟବହାର କରୁଛନ୍ତି। ବୁମ୍‌କୁ ଭୁଜାଲି ଭଳି ବ୍ୟବହାର କରି ବଟି ଆଦାୟ କରୁଛନ୍ତି। କାରଣ ଏହି ବ୍ୟବସ୍ଥା ପାଇଁ କୌଣସି କଟକଣା ନାହିଁ। କିନ୍ତୁ ଯଦି ଆଇନଗତ ଭାବେ କିଛି କଟକଣା ରହନ୍ତା, ଏହି ସଂସ୍ଥା ସମାଜକୁ ଶ୍ରେଷ୍ଠ ସେବା ଯୋଗାଇ ପାରନ୍ତା। କାରଣ ଏମାନେ ତୃଣମୂଳସ୍ତରରେ କାମ କରିବାକୁ ଅଧିକ ସୁଯୋଗ ପାଇଥା’ନ୍ତି। ଯେଉଁ କଥାକୁ ବଡ଼ ସଂସ୍ଥାମାନେ ଗୁରୁତ୍ବ ଦିଅନ୍ତି ନାହିଁ, କିନ୍ତୁ ସାଧାରଣ ଜନତାଙ୍କ ପାଇଁ ନିହାତି ଦରକାର, ତାହାକୁ ପୋର୍ଟାଲ ଦ୍ବାରା ପ୍ରଦର୍ଶନ କରିବା ସହଜ ହୋଇଥାଏ। ତେଣୁ ୱେବ୍ ପୋର୍ଟାଲ୍‌ ବ୍ୟବସ୍ଥାକୁ କଟକଣା ଭିତରେ ଚାଲୁ ରଖିବା ଦରକାର। ଆଜି ‘ଜନତା ଜନାର୍ଦ୍ଦନ’ ସ୍ତମ୍ଭରେ ସାଧାରଣ ଲୋକଙ୍କ ଏଭଳି ମତାମତକୁ ନେଇ ଏହି ଉପସ୍ଥାପନା…

ବଟି ଆଦାୟ ଏକ କଳଙ୍କିତ ଅଧ୍ୟାୟ
ଗଣମାଧ୍ୟମକୁ ଢାଲ କରି କିଛି ୱେବ୍‌ ସାମ୍ବାଦିକ ସାମ୍ବାଦିକତା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରି ସାରିଲେଣି। ବ୍ଲାକ୍‌ମେଲ୍ କରି ବଟି ଆଦାୟ କରି ଆତଙ୍କ ଖେଳାଉଛନ୍ତି। ତେଣୁ ଗଣମାଧ୍ୟମ ଉପରେ ଥିବା ଭରସା ଓ ବିଶ୍ୱାସ ଦୁର୍ବଳ ହେଉଛି।
ମାନସୀ ନାଥ

ସରକାର କଠୋର ନିୟମ ଆଣନ୍ତୁ
କିଛି ୱେବ୍‌ ସାମ୍ବାଦିକ ବଟି ପାଇଁ ଅତ୍ୟାଚାର କରିବାକୁ ପଛାଉ ନାହାନ୍ତି। ତେଣୁ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ସରକାର କିଛି କଠୋର ନିୟମ ଆଣିବା ଜରୁରୀ। ନଚେତ ଭବିଷ୍ୟତରେ ଗଣମାଧ୍ୟମ କଳୁଷିତ ହେବ।
ଆଶିଷ କୁମାର ସାମନ୍ତରାୟ

ସ୍ବତନ୍ତ୍ର ଆଇନ ରହିବା ଜରୁରି
ମାଳମାଳ ୱେବ୍ ଚ୍ୟାନେଲ୍ ଖୋଲିବା ସମାଜ ପାଇଁ ଭଲ। ପ୍ରତିଯୋଗିତା ଦ୍ବାରା ଲୋକେ ଉପକୃତ ହେବେ। କିନ୍ତୁ ସାମ୍ବାଦିକମାନେ ଅପରାଧରେ ଲିପ୍ତ ହେବା ବଡ଼ ଦୁଃଖଦ କଥା। ତେଣୁ ସ୍ବତନ୍ତ୍ର ଆଇନ ପ୍ରଣୟନ ହେଲେ କୌଣସି ସମସ୍ୟା ରହିବ ନାହିଁ।
ଅମନ୍ ମିଶ୍ର

କଟକଣା ରହିବା ଉଚିତ
ବହୁ ୱେବ୍ ପୋର୍ଟାଲ୍‌ କେବଳ ବଟି ଆଦାୟ କରିବାକୁ ଖୋ‌ଲୁଛି। କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ଲୋକେ ଏହି ପବିତ୍ର ପେସାକୁ ପଶି ଆସି ଗଣମାଧ୍ୟମକୁ କଳୁଷିତ କରୁଛନ୍ତି। ତେଣୁ ଖବର ପ୍ରସାରଣ କରିବା ଉପରେ କିଛି ଆଇନଗତ କଟକଣା ରହିବା ଉଚିତ।
ଗାୟତ୍ରୀ ତ୍ରିପାଠୀ

ସମସ୍ତେ ଖରାପ ନୁହଁନ୍ତି
କିଛି ଖରାପ ୱେବ୍ ଚ୍ୟାନେଲ୍‌ ପାଇଁ ଗଣମାଧ୍ୟମ ଆଜି ବଦ୍‌ନାମ। କିନ୍ତୁ ସମସ୍ତେ ଖରାପ ନୁହନ୍ତି, ବରଂ କିଛି ୱେବ୍‌ ସାମ୍ବାଦିକ ତୃଣମୂଳସ୍ତରର ଖବର ପରିବେଷଣ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଛନ୍ତି। ତେଣୁ ୱେବ୍‌ ଚ୍ୟାନେଲ୍‌ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ କିଛି ବ୍ୟବସ୍ଥା କରିବା କଥା।
ପଙ୍କଜ କୁମାର ମହାନ୍ତି

ଲାଇସେନ୍‌ସ ବ୍ୟବସ୍ଥା କଡ଼ାକଡ଼ି ହେଉ
ୱେବ୍‌ ପୋର୍ଟାଲ୍‌ ଚଲାଇବା ପାଇଁ ସରକାର ଲାଇସେନ୍‌ସ ପ୍ରଦାନ ବ୍ୟବସ୍ଥାରେ କଡ଼ାକଡ଼ି ନିୟମ ରଖିବା ଜରୁରୀ। ବିଭାଗୀୟ ଅଧିକାରୀ କୌଣସି ପ୍ରକାର କୋହଳ ମନୋଭାବ ପ୍ରଦର୍ଶନ କରିବା ଉଚିତ ନୁହେଁ। ଏହି ପ୍ରକ୍ରିୟା ଠିକ୍‌ରେ ସମ୍ପାଦନା ହେଲେ, ବଟି ଆଦାୟ ଆପେ ବନ୍ଦ ହୋଇଯିବ।
ବିଜୟ କୁମାର ସାହୁ

ଦଲାଲ୍‌ଙ୍କ ହାତରେ ବୁମ୍‌
ୱେବ୍ ଚାନେଲ୍‌ର ବୁମ୍‌ ଦଲାଲଙ୍କ ହାତରେ ରହିଛି। ସରକାରୀ କଟକଣା ନଥିବାରୁ ଧୂର୍ତ୍ତମାନେ ବୁମ୍‌କୁ ଅସ୍ତ୍ର କରି ବଟି ଆଦାୟ କରୁଛନ୍ତି। ତେଣୁ ସରକାର ଏଥିପ୍ରତି ସତର୍କ ହେବାର ବେଳ ଆସିଛି।
ସଞ୍ଜୟ ସାହୁ

ଆଇନ ଅନୁସାରେ ଅଙ୍କୁଶ ରହୁ
ୱେବ୍ ଚ୍ୟା‌ନେଲ୍‌ ନାଁରେ ବହୁ ନକଲି ସାମ୍ବାଦିକ ବୁଲୁଛନ୍ତି। ଡରାଇ ଧମକାଇ ବଟି ମାଗୁଛନ୍ତି। ତେଣୁ ସରକାର ସ୍ବତନ୍ତ୍ର ଆଇନ ଲାଗୁ କରି ଏହି ବ୍ୟବସ୍ଥା ଉପରେ ଅଙ୍କୁଶ ଲଗାଇବା ନିହାତି ଆବଶ୍ୟକ।
ଜଲିଲ୍ ଖାନ୍

ଦୃଢ଼ କାର୍ଯ୍ୟାନୁଷ୍ଠାନ ଦରକାର
କେବଳ ଅନୈତିକ ଉପାୟରେ ଟଙ୍କା ରୋଜଗାର କରିବାକୁ ୱେବ୍ ଚ୍ୟାନେଲ୍ ମାଧ୍ୟମ ପାଲଟିଛି। ପାନ ଦୋକାନ ଭଳି ପୁଳାପୁଳା ୱେବ୍ ଚ୍ୟାନେଲ୍। ବୁମ୍ ଖଣ୍ଡେ ଧରି ସମାଜରେ ଅଯଥା ହଇଚଇ ସୃଷ୍ଟି କରୁଛନ୍ତି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଆବଶ୍ୟକ।
ଭେଙ୍କଟେଶ ପ୍ରଧାନ

ଭୁଜାଲି ଆଉ ବୁମ୍‌ ଭିତରେ ଫରକ୍‌ ନାହିଁ
ବହୁ ୱେବ୍‌ ଚ୍ୟାନେଲ୍‌ ସାମ୍ବାଦିକ ବ୍ଲାକ୍‌ମେଲ୍ କରିବାରେ ମାଷ୍ଟର। ସେମାନେ ମାଲିକଠାରୁ ଆଇକାର୍ଡ କିଣୁଛନ୍ତି ଓ ବୁମ୍‌ ଖଣ୍ଡେ ଦେଖାଇ ବଟି ଆଦାୟ କରୁଛନ୍ତି। ଏହି ସଫେଦ୍‌ ଲୁଟ୍‌ରେ ବ୍ୟବହାର ହେଉଥିବା ବୁମ୍‌ ଓ ଭୁଜାଲି ଭିତରେ କିଛି ଫରକ୍‌ ନାହିଁ।
ସ୍ବାଗତ ସାମନ୍ତରାୟ

ସମ୍ବନ୍ଧିତ ଖବର