କରୋନା ଆଳରେ ସାମ୍ବାଦିକମାନଙ୍କୁ ଲୋକସେବା ଭବନକୁ ଯିବା ପାଇଁ ଅନୁମତି ମିଳୁନାହିଁ। ଦୀର୍ଘ ଦୁଇ ବର୍ଷ ହେଲାଣି ସାମ୍ବାଦିକମାନେ ଲୋକସେବା ଭବନ ଭିତରକୁ ପ୍ରବେଶ କରିପାରୁନାହାନ୍ତି। ଏହା ସରକାରଙ୍କ ଏକ ଚାଲ୍‌। ଗଣତନ୍ତ୍ର ପ୍ରତି ଅପମାନ। କରୋନା ମହାମାରୀ ସମୟରେ ହେଉଥିବା ଦୁର୍ନୀତି ପଦାରେ ପଡ଼ିବା ଆଶଙ୍କାରେ କିଛି ବଡ଼ବଡ଼ିଆ ଅଧିକାରୀ ଏଭଳି ନିୟମ କରିଛନ୍ତି। ରୢାଲି, ଶୋଭାଯାତ୍ରା, ନିର୍ବାଚନ ପ୍ରଚାର ଭଳି ଭିଡ଼ କାର୍ଯ୍ୟକ୍ରମ ହୋଇପାରୁଛି, ଅଥଚ ସାମ୍ବାଦିକ କେତେଜଣ ଲୋକସେବା ଭବନକୁ ଗଲେ, କରୋନା ସଂକ୍ରମଣ ବଢ଼ିବ, ଏହା ଏକ ବିଚିତ୍ର ନୀତି ନୁହେଁ ତ ଆଉ କ’ଣ! ବରଂ ସରକାରଙ୍କ ସବୁ ଦୁର୍ନୀତିକୁ ଲୋକଲୋଚନରୁ ଦୂରେଇ ରଖିବା ପାଇଁ ଏହା ଏକ ବଡ଼ ସୁଚିନ୍ତିତ ଷଡ଼୍‌ଯନ୍ତ୍ର। ସାମ୍ବାଦିକମାନଙ୍କ ଭିତରେ ଏକତା ଅଭାବରୁ ସରକାର ଫାଇଦା ନେଉଛନ୍ତି। ଗଣମାଧ୍ୟମର କଣ୍ଠରୋଧ କରିବାକୁ ହୋଇଥିବା ଏହି ଚାଲ୍‌ ବିରୋଧରେ ସ୍ବର ଉତ୍ତୋଳନ ଜରୁରୀ। ସାମ୍ବାଦିକମାନଙ୍କୁ ଲୋକସେବା ଭବନ ମନା ପ୍ରସଙ୍ଗକୁ ନେଇ ଆଜି ‘ଜନତା ଜନାର୍ଦ୍ଦନ’ ସ୍ତମ୍ଭରେ କିଛି ବୁଦ୍ଧିଜୀବୀଙ୍କ ମତାମତ...

Advertisment

ବିନା ନିୟମରେ ସାମ୍ବାଦିକଙ୍କୁ ମନା
କରୋନା ଆଳରେ ଲୋକସେବା ଭବନ ଭିତରକୁ ବର୍ଷାଧିକ କାଳ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରିବା ଏକ ଅଗଣତାନ୍ତ୍ରିକ କାର୍ଯ୍ୟ। ହଜାର ହଜାର ସଂଖ୍ୟାରେ ଲୋକ ଯାଉଛନ୍ତି, କରୋନା ବ୍ୟାପୁନି, ଅଥଚ ସାମ୍ବାଦିକ ଗଲେ, କରୋନା ସଂକ୍ରମଣ ହୋଇଯାଉଛି! କୌଣସି ନିୟମ ନଥାଇ ଏହି ଷଡ଼୍‌ଯନ୍ତ୍ର କରାଯାଇଛି।
ସନତ ମିଶ୍ର, ବରିଷ୍ଠ ସାମ୍ବାଦିକ

ଭୁଲ ପଦାକୁ ନ ଆସିବା ପାଇଁ ଚାଲ୍‌
ଦୀର୍ଘ ଦେଢ଼ ବର୍ଷ ହେଲା କରୋନା ଆଳରେ ସାମ୍ବାଦିକମାନଙ୍କୁ ଲୋକସେବା ଭବନକୁ ଯିବା ବାରଣ କରାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି ଅତ୍ୟନ୍ତ ନିନ୍ଦନୀୟ। ଲୋକସେବା ଭବନକୁ ସାମ୍ବାଦିକମାନେ ଗଲେ, ସରକାରଙ୍କ ଭୁଲ୍‌ ପଦାକୁ ଚାଲିଆସିବ। ତେଣୁ ଭୁଲ୍‌ ଘୋଡ଼ାଇବାକୁ ସରକାରଙ୍କର ଏହା ଏକ ଚାଲ୍‌।
ପ୍ରମୋଦ ପଟ୍ଟନାୟକ, ରାଜ୍ୟ ସଭାପତି, ଉତ୍କଳ ସାମ୍ବାଦିକ ସଂଘ

ଦୁର୍ନୀତି ଭୟ ଘାରୁଛି
ଦୁର୍ନୀତି ସବୁ ଧରାପଡ଼ିବା ଭୟରେ କିମ୍ବା ନେଗେଟିଭ୍ ଖବର ପରିବେଷଣ ହେବା ଭୟରେ ସରକାର ସାମ୍ବା‌ଦିକମାନଙ୍କୁ ଲୋକସେବା ଭବନକୁ ଛାଡ଼ୁନାହାନ୍ତି। ଏହା ସାଧାରଣ ଲୋକଙ୍କ ସ୍ବରକୁ ଚାପି ଦେବାକୁ ବଡ଼ ଷଡ଼୍‌ଯନ୍ତ୍ର।
ସ୍ମୃତିଶେଖର ବାରିକ

ସାମ୍ବାଦିକମାନଙ୍କ ଏକତା ଅଭାବରୁ ସରକାର ଫାଇଦାରେ
ଲୋକସେବା ଭବନକୁ ସ୍ବାଭାବିକ ଭାବେ କର୍ମଚାରୀ, ଅଫିସର ଯାଉଛନ୍ତି। ଏମିତିକି ଠିକାଦାର ଓ ବେସରକାରୀ ସଂସ୍ଥା ଯାଇପାରୁଛନ୍ତି। କିନ୍ତୁ ସାମ୍ବାଦିକଙ୍କୁ ଛଡ଼ାଯାଉନାହିଁ। ସାମ୍ବାଦିକଙ୍କ ଏକତା ଅଭାବରୁ ସରକାର ଫାଇଦାରେ ରହୁଛନ୍ତି। ଏମିତିରେ ବି ସଚିବାଳୟର ସବୁ ଖବର ପ୍ରକାଶ ପାଉଛି। ତେଣୁ ସରକାର ଭୟ କରିବେ କାହିଁକି! ଏଥିପାଇଁ ମିଳିତ ଲଢ଼େଇ ଆବଶ୍ୟକ।
ରାମଚଣ୍ଡି ପ୍ରସାଦ ରଣସିଂହ, ସାମ୍ବାଦିକ

ଷଡ଼୍‌ଯନ୍ତ୍ର ପ୍ରତି ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବା ଆବଶ୍ୟକ
ମହାମାରୀ ସଂକ୍ରମଣ ରୋକିବା ଦିଗରେ ସରକାରୀ କଟକଣା ଠିକ୍‌। କିନ୍ତୁ ଏହି ବାହାନାରେ ଲୋକସେବା ଭବନକୁ ଯିବା ପାଇଁ ସାମ୍ବାଦିକଙ୍କ ଉପରେ ଲାଗୁ ହୋଇଥିବା କଟକଣା ଯଥାର୍ଥ ନୁହେଁ। ସରକାରୀ କାର୍ଯ୍ୟକ୍ରମ, ଦଳୀୟ କାର୍ଯ୍ୟକ୍ରମ ଭିଡ଼ରେ ହୋଇପାରୁଥିବା ବେଳେ ସାମ୍ବାଦିକଙ୍କୁ ବାରଣ କ’ଣ ପାଇଁ? ଏହା ପଛରେ ନିହାତି କିଛି ଷଡ଼୍‌ଯନ୍ତ୍ର ରହିଛି। ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟିଦେବା ନିତାନ୍ତ ଆବଶ୍ୟକ।
ତାରକ ମହାନ୍ତି, ବରିଷ୍ଠ ସାମ୍ବାଦିକ

ସିଧାସଳଖ ଗଣମାଧ୍ୟମର କଣ୍ଠରୋଧ
ଏହା ସିଧାସଳଖ ଗଣମାଧ୍ୟମର କଣ୍ଠରୋଧ। ସରକାରଙ୍କ କରୋନା ଗାଇଡ୍‌ଲାଇନ୍‌ ହିସାବରେ ନିୟମ ମାନି ସାମ୍ବାଦିକମାନେ ଲୋକସେବା ଭବନକୁ କାହିଁକି ଯାଇପାରିବେନି? ଅନ୍ୟ କର୍ମଚାରୀମାନେ ‌ଯେମିତି ଯାଉଛନ୍ତି, ଠିକ୍ ସେମିତି ସାମ୍ବାଦିକଙ୍କୁ ଯିବାକୁ ଦିଆଯିବା ଉଚିତ। ଯଦି ଏହା ପଛରେ କିଛି ଷଡ଼୍‌ଯନ୍ତ୍ର ନାହିଁ, ତେବେ ତୁରନ୍ତ କଟକଣା ହଟିବା ଦରକାର।
ଅଲ୍‌ଫା ରାୟ, ସାମ୍ବାଦିକା

କେବଳ ନାଁକୁ ଲୋକସେବା ଭବନ
ସାଧାରଣ ଲୋକଙ୍କ କାର୍ଯ୍ୟ ହେଉଥିବା ସ୍ଥାନକୁ ସାମ୍ବାଦିକମାନେ ଯାଇପାରିବେନି। ତେଣୁ ଏହା କି ଲୋକସେବା ଭବନ? କେବଳ ନାଁକୁ ଏଇ ନାଁ। କୋଭିଡ୍‌ ଆଳରେ ସାମ୍ବାଦିକଙ୍କୁ ବାରଣ କରିବା ଯୁକ୍ତିଯୁକ୍ତ ନୁହେଁ। କାରଣ ଏହି ଭବନର କାମ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ। କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ସାମ୍ବାଦିକଙ୍କୁ ପ୍ରବେଶ କରିବାକୁ ଦିଆଯାଉ।
ମନୋରଞ୍ଜନ ନାୟକ, ଆଇନଜୀବୀ

ଏହା ବଡ଼ ନିନ୍ଦନୀୟ ଘଟଣା
ଶୋଭାଯାତ୍ରା, ରୢାଲି, ବାହାଘର, ବ୍ରତଘର ସବୁ ହୋଇପାରୁଛି। ନିର୍ବାଚନ ପ୍ରଚାର ହୋଇପାରୁଛି। କିନ୍ତୁ ସାମ୍ବାଦିକଙ୍କୁ ଲୋକସେବା ଭବନ ଯିବା ମନା। ଏହା ସେମାନଙ୍କର ଅଧିକାର। ମାତ୍ର ସେମାନଙ୍କୁ ବଞ୍ଚିତ କରାଯାଉଛି। ଏହା ବଡ଼ ନିନ୍ଦନୀୟ ଘଟଣା। ସାମ୍ବାଦିକ ଭାଇମାନଙ୍କୁ ଲୋକସେବା ଭବନ ଯିବା ପାଇଁ ଅନୁମତି ମିଳିବା ଦରକାର।
ଡ. ଶିବ ସୁନ୍ଦର ସ୍ୱାଇଁ, ରାଜ୍ୟ ମାନବାଧିକାର କର୍ମୀ

ଗଣତନ୍ତ୍ର ପ୍ରତି ଅପମାନ
ସାମ୍ବାଦିକମାନେ ହିଁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। କରୋନା ଆଳରେ ସ‌େମାନଙ୍କୁ ଲୋକସେବା ଭବନକୁ ନ ଛାଡ଼ିବା ବା ଅଣଦେଖା କରିବା ଗ୍ରହଣୀୟ ନୁହେଁ। ଏହା ଗଣତନ୍ତ୍ର ପ୍ରତି ଅପମାନ। ସାମ୍ବାଦିକଙ୍କ ପ୍ରତି ଏପରି ବ୍ୟବହାର ଘୋର ନିନ୍ଦନୀୟ। ସାଧାରଣ ଜନତାଙ୍କ କଣ୍ଠରୋଧ କରିବାକୁ ଏହା ଏକ ହୀନ ପ୍ରୟାସ।
ବିଜୟ କୁମାର ସାହୁ

ସାମ୍ବାଦିକଙ୍କ ପ୍ରଶ୍ନକୁ ସାମ୍ନା କରିବା ଭୟ
ସାମ୍ବାଦିକମାନଙ୍କ ପ୍ରଶ୍ନକୁ ଡରି ଏଭଳି ଯୋ‌ଜନା କରାଯାଇଛି। ଅଧିକାରୀ ଓ କର୍ମଚାରୀମାନେ କୋଭିଡ୍‌ ନିୟମ ମାନି ଯାଉଛନ୍ତି, ତେବେ ସାମ୍ବାଦିକଙ୍କୁ ମନା କାହିଁକି? ସାମ୍ବାଦିକଙ୍କ ପ୍ରଶ୍ନ ଅଧିକାରୀମାନଙ୍କ ପୋଲ୍ ଖୋଲିଦେବା ଭୟ ଥିବାରୁ ଏଭଳି କଟକଣା ଲାଗୁ କରାଯାଇଛି। ଏହି କଟକଣାକୁ ତୁରନ୍ତ ହଟାଇବା ଜରୁରୀ।
ସତ୍ୟବ୍ରତ ମହାନ୍ତି