ଜନତା ଜନାର୍ଦ୍ଦନ: ପରୀକ୍ଷା ବନ୍ଦ ଠିକ୍‌, ମୂଲ୍ୟାୟନ ଠିକ୍‌ ହେବା ଜରୁରୀ

ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ‌କରୋନାର ଭୟଙ୍କର ଦ୍ବିତୀୟ ଲହର ସବୁଆଡ଼େ ମୃତ୍ୟୁର ବିଭୀଷିକା ରଚୁଥିବା ବେଳେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ଜୀବନ ଥିଲେ, ଆଗକୁ ବହୁ ପରୀକ୍ଷା ଆସିବ। ଭବିଷ୍ୟତ ଗଠନ ଦିଗରେ ଏହା ଗୋଟିଏ ମାତ୍ର ସୁଯୋଗ ନୁହେଁ ବୋଲି ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ ମତ ପୋଷଣ କରିଛନ୍ତି। ଆଗକୁ ବହୁ ପରୀକ୍ଷା ବହୁ ସୁଯୋଗ ନେଇ ଆସିବ। ତେବେ ମୂଲ୍ୟାଙ୍କନ ଠିକ୍‌ ନହେଲେ ମେଧାବୀ ପିଲାମାନେ ଉଚିତ୍ ନ୍ୟାୟ ପାଇବାରୁ ବଞ୍ଚିତ ହେବେ। ତେଣୁ ମୂଲ୍ୟାଙ୍କନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରି ସବୁ ପିଲାଙ୍କୁ ନ୍ୟାୟ ଦେବା ପାଇଁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଭଳି କିଛି ମତାମତକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା…

ପରୀକ୍ଷା ବାତିଲ ସ୍ବାଗତଯୋଗ୍ୟ ପଦକ୍ଷେପ
ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ସରକାରଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ। କରୋନା ସଂକ୍ରମଣର ଦ୍ବିତୀୟ ଲହର ଯେମିତି ଭୟଙ୍କର ହୋଇଛି, ସେଥିରେ କୌଣସି ପିତାମାତା ପିଲାଙ୍କୁ ପରୀକ୍ଷା ଦେବା ପାଇଁ ବାହାରକୁ ଛାଡ଼ିବାକୁ ସୁରକ୍ଷିତ ମଣୁ ନାହାନ୍ତି। ପୁଣି ଏଥର ଭୂତାଣୁ ବାୟୁବାହିତ ବୋଲି କୁହାଯାଉଥିବାରୁ ଆହୁରି ଅଧିକ ଭୟ ରହିଛି।
ଶିବ ପ୍ରସାଦ ସ୍ବାଇଁ, ଅଭିଭାବକ

ଯୁକ୍ତ ୩ ନାମଲେଖା ପାଇଁ ସମସ୍ୟା ଉପୁଜିପାରେ
ପରୀକ୍ଷା ବାତିଲ୍‌ କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଫଳ ପ୍ରକାଶନ ଏବଂ ଯୁକ୍ତ ୩ ନାମଲେଖା ପାଇଁ ସମସ୍ୟା ଉପୁଜିପାରେ। ସେଥିପାଇଁ ସ୍ବତନ୍ତ୍ର ଦୂରଦୃଷ୍ଟିସଂପନ୍ନ ନୀତି ଆପଣାଇବାକୁ ପଡ଼ିବ। ଯେଉଁଥିରେ ଛାତ୍ରଛାତ୍ରୀଙ୍କର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ।
ହରେକୃଷ୍ଣ ଦାଶ, ଶିକ୍ଷାବିତ୍‌

ମୂଲ୍ୟାୟନ ପଦ୍ଧତି ଠିକ୍ ଓ ସ୍ବଚ୍ଛ ହେଉ
ଭଲ ମେଧାବୀ ପିଲା ସବୁବେଳେ ଭଲ ପଢ଼ିବେ। ବଞ୍ଚିଥିଲେ ଆଗକୁ କେତେ ପରୀକ୍ଷା ଦେବେ। ଏହି ପରୀକ୍ଷାଟି ‌କେବଳ ଗୋଟିଏ ସୁଯୋଗ ନୁହେଁ। ଆଗକୁ ବହୁ ପରୀକ୍ଷା ବହୁ ସୁଯୋଗ ନେଇ ଆସିବ। ତେଣୁ ପରୀକ୍ଷା ବାତିଲ ପଦକ୍ଷେପ ଠିକ୍‌। ତେବେ ସରକାରଙ୍କୁ ଅନୁରୋଧ ମୂଲ୍ୟାୟନ ଠିକ୍ ଓ ସ୍ବଚ୍ଛ କରନ୍ତୁ।
ମନୋଜା ରାଣୀ ପାତ୍ର, ଅଭିଭାବକ

ଖୁସି ହେଲା ଭଳି ପଦକ୍ଷେପ ନୁହେଁ
ବର୍ଷତମାମ ପିଲାମାନେ ଏତେ ପରିଶ୍ରମ କଲା ପରେ ଯଦି ପରୀକ୍ଷା ଦେବାରୁ ବଞ୍ଚିତ ହେବେ, ତାହା କେବେ ଖୁସି ହେଲା ଭଳି ପଦକ୍ଷେପ ନୁହେଁ। ମୂଲ୍ୟାୟନରେ ନିଶ୍ଚୟ ତ୍ରୁଟି ରହିବ ଓ ଭଲ ପିଲାଙ୍କୁ ନ୍ୟାୟ ମିଳିବ ନାହିଁ। ତେଣୁ ଅଭିଭାବକ ହିସାବରେ ଏହା ଖୁବ୍‌ ବାଧିବ।
ଜୟରାମ ବେହେରା, ଅଭିଭାବକ

ମୂଲ୍ୟାଙ୍କନକୁ ନେଇ ମନରେ ଦ୍ବନ୍ଦ୍ବ
ଏହି ଭୟଙ୍କର ସମୟରେ ପରୀକ୍ଷା ବାତିଲ ସରକାରଙ୍କ ଏକ ଠିକ ନିଷ୍ପତ୍ତି। କିନ୍ତୁ ମୂଲ୍ୟାଙ୍କନକୁ ନେଇ ମୋ ମନରେ ଦ୍ବନ୍ଦ୍ବ ଉପୁଜୁଛି। ଅଧିକ ମାର୍କ ପାଇଁ ବର୍ଷ ସାରା କଠିନ ପରିଶ୍ରମ କରିଛି। ପରୀକ୍ଷା ହେଇଥିଲେ ମନ ବୁଝିଥା’ନ୍ତା। ବିନା ପରୀକ୍ଷାରେ ମୂଲ୍ୟାଙ୍କନ କେମିତି ହେବ ଓ ମୋତେ ଉପଯୁକ୍ତ ନ୍ୟାୟ ମିଳିବ କି ନା, ସେହି ସନ୍ଦେହ ମୋତେ ବିଚଳିତ କରୁଛି। ତେଣୁ ସରକାର ମୂଲ୍ୟାୟନ ପଦ୍ଧତି ସ୍ପଷ୍ଟ କଲେ, ଭଲ ହୁଅନ୍ତା।
ଶୋଭନ୍‌ ରାଉତରାୟ, ଛାତ୍ର

ମହାମାରୀ ସଂକ୍ରମଣ ଭିତରେ ପରୀକ୍ଷା ଏକ ଚାପ ଥିଲା
ମହାମାରୀ ସଂକ୍ରମଣ ଭିତରେ ପରୀକ୍ଷ‌ା ଏକ ଚାପ ସୃଷ୍ଟି କରିଥିଲା। ସରକାର ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କଲେ। ଆମ ପରିଶ୍ରମ ବୃଥା ଯିବନି, ଆଗକୁ ହେବାକୁ ଥିବା ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ତାହା କାମରେ ଆସିବ।
ମାନସ କୁମାର ମହାପାତ୍ର, ପ୍ରାଣନାଥ କଲେଜ, ଖୋର୍ଦ୍ଧା

ମୂଲ୍ୟାୟନ ତ୍ରୁଟି ମାନସିକ ରୋଗର କାରଣ ହେବ
ପରୀକ୍ଷା ବାତିଲ ନିଷ୍ପତ୍ତି ମନରେ ହତାଶଭାବ ଭରି ଦେଇଛି। କ୍ୟାରିଅର୍ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲୁ। ଅନଲାଇନ୍ କୋଚିଂ ନେଇ କେତେ କଷ୍ଟରେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲୁ। ଯଦି ମୂଲ୍ୟାୟନରେ କିଛି ବି ତ୍ରୁଟି ହୁଏ, ତେବେ ମାନସିକ ଅବସାଦ ସୃଷ୍ଟି ହେବ ଓ ପରେ ଏହା ମାନସିକ ରୋଗର କାରଣ ହୋଇପାରେ।
ଲିପୁ ବେହେରା, ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ

ଜୀବନଠାରୁ ପରୀକ୍ଷା ମୂଲ୍ୟବାନ ନୁହେଁ
ପୂର୍ବରୁ ଆମ କଲେଜର ଦୁଇ ଛାତ୍ର କରୋନା ଆକ୍ରାନ୍ତ ହେବା ପରେ ଆମେ ସମସ୍ତେ ଭୟଭୀତ ହୋଇ ପଡ଼ିଥିଲୁ। ତେଣୁ ପରୀକ୍ଷା ହୋଇଥିଲେ ସଂକ୍ରମଣ ବ୍ୟାପିବା ସମ୍ଭାବନା ବଢ଼ି ଯାଇଥା’ନ୍ତା। ଜୀବନଠାରୁ ପରୀକ୍ଷା ମୂଲ୍ୟବାନ ନୁହେଁ। ତେଣୁ ସରକାରଙ୍କ ନିଷ୍ପତ୍ତି ଠିକ୍‌।
ବିକାଶ ବର୍ଦ୍ଧନ, ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ଜୀବନରକ୍ଷା ଦୃଷ୍ଟିର ଭଲ ହୋଇଛି
ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିଲା। ଦୃଢ଼ ଆଶା ମଧ୍ୟ କରିଥିଲି ପରୀକ୍ଷାରେ ଭଲ ମାର୍କ ରଖିଥା’ନ୍ତି। ଏବେ ମନରେ ସନ୍ଦେହ ଓ ଭୟ ଯେ ଠିକ୍ ମାର୍କ ପାଇବି କି ନାହିଁ। ତେବେ ଜୀବନରକ୍ଷା ଦୃଷ୍ଟିରୁ ପରୀକ୍ଷା ବନ୍ଦ ନିଷ୍ପତ୍ତି ଭଲ ହୋଇଛି।
ଗଣେଶ ସାବତ୍, ଛାତ୍ର

ମେଧାବୀ ଛାତ୍ରଛାତ୍ରୀଙ୍କର କ୍ଷତି ହୋଇପାରେ
ସର୍ବଭାରତୀୟସ୍ତରରେ ଯାହା ହେଲା, ଓଡ଼ିଶା ଅନୁସରଣ କଲା। ନଚେତ୍‌ ପୂର୍ବରୁ ସେମାନେ ହୁଏତ ଅନ୍ୟ ବିକଳ୍ପ ବ୍ୟବସ୍ଥା ମଧ୍ୟ ଚିନ୍ତା କରୁଥିଲେ। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଯଦିଓ ଏ ନିଷ୍ପତ୍ତି ଠିକ୍‌ ବୋଲି ଆମେ କହିବା, କିନ୍ତୁ ଏଥିରେ ମେଧାବୀ ଛାତ୍ରଛାତ୍ରୀଙ୍କର କ୍ଷତି ହୋଇପାରେ। ବର୍ତ୍ତମାନ ମହାମାରୀ ପରିସ୍ଥିତିରେ ଏହା ହିଁ ସମୟ ଉପଯୋଗୀ ପଦକ୍ଷେପ ବୋଲି ସମସ୍ତେ ଗ୍ରହଣ କରିନେବା ଉଚିତ।
ଦିଲ୍ଲୀପ ନାୟକ, ଶିକ୍ଷାବିତ୍‌

ଅନୁକରଣ କରିବା ଠିକ୍‌ ହେଲାନି
ପରୀକ୍ଷା ବାତିଲ ଦ୍ବାରା ବହୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବ। ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଉଦାହରଣ ସୃଷ୍ଟି କରିବା ପରିବର୍ତ୍ତେ ଅନ୍ୟକୁ ଅନୁକରଣ କରିବାରେ ଲାଗିଛି।
ଶୁଭ୍ରକଳି ରାଉତ,
ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରୀ

ପରୀକ୍ଷାଠାରୁ ଜୀବନ ଗୁରୁତ୍ବପୂର୍ଣ୍ଣ
ବର୍ତ୍ତମାନର ପରିସ୍ଥିତିରେ ପରୀକ୍ଷାଠୁ ମଣିଷର ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ସରକାରଙ୍କ ନିଷ୍ପତ୍ତି ନିଶ୍ଚିତ ସ୍ୱାଗତଯୋଗ୍ୟ। ମାତ୍ର ପରୀକ୍ଷା ନ ହେବାରୁ ପରବର୍ତ୍ତୀ ସମୟରେ ଏହାର ଫଳାଫଳକୁ ନେଇ ମଧ୍ୟ ଚିନ୍ତିତ ଅଛି।
ଭାଗ୍ୟଶ୍ରୀ ପ୍ରିୟଦର୍ଶିନୀ ଦାସ, ଛାତ୍ରୀ

ପରିଶ୍ରମ କରିଥିଲି, ଫଳାଫଳକୁ ଅପେକ୍ଷା
ପରୀକ୍ଷା ପାଇଁ ବହୁତ ପରିଶ୍ରମ କରିଥିଲେ ମଧ୍ୟ ପରିଶ୍ରମର ସଠିକ୍ ଫଳ ପାଇପାରିଲୁ ନାହିଁ। ଏଥିପାଇଁ ଆମେ ଦୁଃଖିତ। ଏଥିସହ ପରୀକ୍ଷା ଫଳାଫଳକୁ ନେଇ ମଧ୍ୟ ଅପେକ୍ଷା।
ତୃପ୍ତି ସାମଲ, ଛାତ୍ରୀ

ଭବିଷ୍ୟତ ଉପରେ ପ୍ରଭାବ ପକାଇବ
ପରୀକ୍ଷା ପାଇଁ ଅନେକ ପିଲା ନିଜକୁ ପ୍ରସ୍ତୁତ କରିଥିଲେ। କିନ୍ତୁ ବାତିଲ୍ ହେବା ଖବର ପିଲାଙ୍କ ଭବିଷ୍ୟତ ଓ ମାନସିକ ସ୍ଥିତି ଉପରେ ପ୍ରଭାବ ପକାଇବ। ତେବେ କରୋନାକୁ ଦୃଷ୍ଟିରେ ରଖି ସରକାରଙ୍କ ଏଭଳି ନିଷ୍ପତ୍ତି ଠିକ୍‌ ବୋଲି ଭାବୁଛି।
ପ୍ରଣତି ଦାସ, ଅଭିଭାବକ

ସରକାର ଉଚିତ ପଦକ୍ଷେପ ନେଇଛନ୍ତି
କରୋନା ସ୍ଥିତିକୁ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍‌ କରିବା ସ୍ବାଗତଯୋଗ୍ୟ ପଦକ୍ଷେପ। ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଇଛନ୍ତି। ସମୟରେ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ରହିଥିବା ଦ୍ୱନ୍ଦ୍ବ ଏବେ ସରକାର ଦୂର କରିଛନ୍ତି।
ସରୋଜ କୁମାର ସାହୁ, ଆଇନଜୀବୀ

ଟିକା ନେଇଥିଲେ ସମସ୍ୟା ହୋଇନଥା’ନ୍ତା
ଯେଉଁ ଛାତ୍ରଛାତ୍ରୀମାନେ ପରିଶ୍ରମ କରିଥିଲେ, ପରୀକ୍ଷା ବାତିଲ୍‌ ନିଷ୍ପତ୍ତି ନିହାତି ଭାବେ ସେମାନଙ୍କ ମନ ଦୁଃଖ କରିବ। ତେବେ ପରୀକ୍ଷାଠାରୁ ଜୀବନ ଅଧିକ ଗରୁତ୍ବପୂର୍ଣ୍ଣ ବୋଲି ସେମାନେ ଭାବିବା ଉଚିତ। ତେବେ ଟିକା ବ୍ୟବସ୍ଥା ହୋଇଥିଲେ ଛାତ୍ରଛାତ୍ରୀ ଟିକା ନେବା ପରେ ପରୀକ୍ଷା ଦେଇ ପରିଥା’ନ୍ତେ। ଏବେ ଟିକା ଆସି ନଥିବାରୁ ବାତିଲ୍‌ ନେଇ ଘୋଷଣା ସ୍ବାଗତଯୋଗ୍ୟ।
ପ୍ରସନ୍ନ କୁମାର ଚୌଧୁରୀ, ଶିକ୍ଷାବିତ୍‌, ଅଧ୍ୟକ୍ଷ ପେସ୍‌ ଏକାଡେମି

ସମ୍ବନ୍ଧିତ ଖବର