ଜନତା ଜନାର୍ଦ୍ଦନ: ଓଡ଼ିଆ ଜାତି ଓ ଓଡ଼ିଶା ପ୍ରତି ଅସମ୍ମାନ

ପୂଜ୍ୟପୂଜା ଓଡ଼ିଆ ଜାତିର ସଂସ୍କୃତି। ହେଲେ ଅନେକ କ୍ଷେତ୍ରରେ ଏହାର ବିଡ଼ମ୍ବନା ଦେଖିବାକୁ ମିଳୁଛି। ସରକାରୀ ଇଚ୍ଛାଶକ୍ତିର ଅଭାବ ଅଥବା ପ୍ରଶାସନିକ ଅବହେଳାରୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଅସମ୍ମାନିତ କରାଯାଉଛି। ପଦ୍ମଭୂଷଣ ପ୍ରଫେସର ତ୍ରିଲୋଚନ ପ୍ରଧାନ ଓ ପଦ୍ମଶ୍ରୀ ଡ. ଗୋପାଳ ଚନ୍ଦ୍ର ମିତ୍ରଙ୍କ ଶେଷଯାତ୍ରାରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ଉଭୟଙ୍କ ପରଲୋକ ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଯଥାରୀତି ସମ୍ମାନ ଦିଆନଯିବା ବୁଦ୍ଧିଜୀବୀ ମହଲକୁ ବିସ୍ମିତ କରିଛି। ଏହି ପ୍ରସଙ୍ଗରେ ଆଜିର ‘ଜନତା ଜନାର୍ଦ୍ଦନ’ରେ ମତାମତକୁ ନେଇ ବିଶେଷ ଉପସ୍ଥାପନା…

ସମ୍ମାନ ସଂସ୍କୃତି‌ରେ ନବୀକରଣ ଜରୁରୀ
ସ୍ବୀକୃତି ପାଇବା ସାଧାରଣତଃ ଏକ ମାନବୀୟ ଆବଶ୍ୟକ। ଯିଏ ଭଲ କାମ କରେ, ସେ ବି ଚ‌ାହେ ‌ଯେ କେହି ଜଣେ ପିଠି ଥାପୁଡ଼ାଇ ତାକୁ ସାବାସ୍‌ ବୋଲି କହୁ। ଏଥିସହ ଆମ ସଂସ୍କୃତି ଆମକୁ ପୂଜ୍ୟପୂଜା ପରମ୍ପରା କଥା ଶିଖାଇଛି। ଏଣୁ ଜଣକୁ ଯଥୋଚିତ ସମ୍ମାନ ଦେବା ଆମ କର୍ତ୍ତବ୍ୟ। ଏହାଦ୍ବାରା ଆମେ ଅନ୍ୟ କାହାରିକୁ ନୁହେଁ, ନିଜକୁ ସମ୍ମାନିତ କରିବା ଭଳି କଥା ହେବ। କିନ୍ତୁ ଏବେ ପୁରସ୍କାର ଅନେକ କିନ୍ତୁ ଉଦ୍ଦେଶ୍ୟ ଅତି କ୍ଷୀଣ। ଏଥିସହ ଆମେ ଯେତିକି ବି ପୁରସ୍କାର ଦେଉଛୁ, ସେଥିରେ ବି ସ୍ବଚ୍ଛତା ନାହିଁ। ଯଥା ସମୟରେ ଆମେ ଯୋଗ୍ୟଙ୍କୁ ସମ୍ମାନିତ କରିପାରୁନାହେଁ। ଏ ସବୁରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ସମ୍ମାନ ସଂସ୍କୃତିର ଏବେ ଉଲ୍ଲେଖନୀୟ ନବୀକରଣ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଲାଣି। ନଚେତ ଜ୍ଞାନୀଗୁଣୀମାନେ ପୁରସ୍କାର ଫେରାଇବାର ରେକର୍ଡ ଜାରି ରହିବ।
-ଭଗବାନ ପ୍ରକାଶ, ବିଶିଷ୍ଟ ସ୍ତମ୍ଭକାର

ସରକାର ନିଜ ସ୍ବାର୍ଥବଳୟ ବାହାରକୁ ଯାଇପାରନ୍ତି ନାହିଁ
ସରକାର ଅନେକ ସମୟରେ ଭାବନ୍ତି, ନିଜ ଦଳର ଭାବମୂର୍ତ୍ତି ରକ୍ଷା କରିବା ପାଇଁ ନିଜ ପରିସରଭୁକ୍ତ ଲୋକଙ୍କ ହିଁ ଗୁଣଗାନ କରିବେ। ସେଥିପାଇଁ ନିଜ ସ୍ବାର୍ଥବଳୟ ବାହାରକୁ ଯାଇପାରନ୍ତି ନାହିଁ। ଯେଉଁମାନଙ୍କ ଦୃଷ୍ଟି ସୁଦୂରପ୍ରସାରୀ, ସେମାନେ ସମାଜର ସବୁ ବର୍ଗର ମହତ୍ତର ଲୋକଙ୍କ ପ୍ରତି ଦୃଷ୍ଟି ରଖିଥା’ନ୍ତି। ରାଜନୀତି ସମାଜରେ ସବୁ କିଛି ନୁହେଁ। ଯେଉଁମାନେ ଏ କଥା ବୁଝି ନପାରନ୍ତି, ସେମାନେ ସହଜରେ ରାଜନୀତିର ସଂକୁଚିତ ଓ ସ୍ବାର୍ଥନ୍ବେଷୀ ଗୋଷ୍ଠୀ ଭିତରେ ବନ୍ଦୀ ହୋଇ ଅନ୍ଧ ପାଲଟିଯା’ନ୍ତି।
-ଦାଶ ବେନହୁର, ବିଶିଷ୍ଟ ଲେଖକ

ଏଭଳି ଅପକର୍ମରେ ଲିପ୍ତ ଶାସକବର୍ଗ ଅଭିଶାପଗ୍ରସ୍ତ
ପୂଜ୍ୟପୂଜା ଓଡ଼ିଆ ଜାତିର ପାତାଳଭେଦୀ ସଂସ୍କୃତି। ଯେଉଁ ମହାପୁରୁଷ ନିଜର ସମସ୍ତ ସୁଖ ସ୍ବାଚ୍ଛନ୍ଦ୍ୟକୁ ପର କରି ମଣିଷ ସମାଜ ପାଇଁ ଅବଦାନ ରଖି ଯାଇଛନ୍ତି, ସେମାନଙ୍କ ଦିବଙ୍ଗତ ଆତ୍ମା ପ୍ରତି ସମ୍ମାନ ପ୍ରଦର୍ଶନ କେବଳ କୃତଜ୍ଞତା ଆଧାରିତ ନୁହେଁ, ଅଧିକନ୍ତୁ ଏହା ପରବର୍ତ୍ତୀ ପିଢ଼ିକୁ ଅନୁପ୍ରାଣିତ କରିଥାଏ। ଏହାକୁ ଅଣଦେଖା କରିବା କେବଳ ଅସୌଜନ୍ୟ ନୁହେଁ ବରଂ ସାମାଜିକ ସଂସ୍କୃତି ପ୍ରତି କୁଠାର ଘାତ। ଯେଉଁ ଶାସକବର୍ଗ ଏଭଳି ଅପକର୍ମରେ ଲିପ୍ତ, ସେମାନେ ଖାଲି ନିନ୍ଦନୀୟ ନୁହଁନ୍ତି, ଅଭିଶାପଗ୍ରସ୍ତ।
-ପ୍ରଦ୍ୟୁମ୍ନ ଶତପଥୀ, ଅଧ୍ୟକ୍ଷ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ

ସମ୍ମାନ ନଦେବା ଅଶୋଭନୀୟ
ଜ୍ଞାନୀ ଏବଂ ବରପୁତ୍ରମାନଙ୍କୁ ସମ୍ମାନ ଦିଆନଯିବା ଅଶୋଭନୀୟ। ସରକାର କାହାକୁ ସମ୍ମାନ ଦେବା ପାଇଁ ଚାହୁନାହାନ୍ତି। କୃତୀ ବ୍ୟକ୍ତିଙ୍କୁ ଶେଷ ବିଦାୟ ସମୟରେ ସମ୍ମାନ ନଦେବା ଭବିଷ୍ୟତପିଢ଼ି ପାଇଁ ଏକ ଖରାପ ପରମ୍ପରା ସୃଷ୍ଟି କରୁଛି। ନେତା, ମନ୍ତ୍ରୀମାନେ ନିଜ ଦଳୀୟ ଲୋକଙ୍କୁ କିପରି ସମ୍ମାନିତ କରାଯିବ, ତାହା ବେଶ୍ ଭଲ ଭାବେ ଜାଣନ୍ତି। କିନ୍ତୁ ସମାଜ ପ୍ରତି ଅବଦାନ ରଖୁଥିବା ବ୍ୟକ୍ତିଙ୍କୁ ସମ୍ମାନ ନ ଦେବା ସରକାରଙ୍କ ଅହଙ୍କାର ବ୍ୟତୀତ ଆଉ କିଛି ନୁହେଁ।
-ଇଂ ଲଳିତ ମୋହନ ପଟ୍ଟନାୟକ
ସଭାପତି, ଓଡ଼ିଶା ନାଗରିକ ସମାଜ

ସମ୍ମାନିତ କଲେ ଆମ ଜାତିର ଗୌରବ ବଢ଼ିବ
ବରିଷ୍ଠ, ଜ୍ଞାନୀଗୁଣୀ ଓ ବରପୁତ୍ରମାନଙ୍କୁ ସମ୍ମାନିତ କରିବା କେବଳ ଏକ ଆବଶ୍ୟକତା ନୁହେଁ, ଏହା ଆମର କର୍ତ୍ତବ୍ୟ ମଧ୍ୟ। କାହାକୁ ସମ୍ମାନ ଦେଲେ ତ’ ଆମେ ଛୋଟ ହୋଇଯିବା ନାହିଁ। ତେଣୁ ଏତେ କୁଣ୍ଠା କାହିଁକି? ବରପୁତ୍ରଙ୍କୁ ସମ୍ମାନ ଦେଇ ଶିଖିଲେ ଆମ ଜାତିର ଗୌରବ ବଢ଼ିବ। ଏଣୁ ରାଜ୍ୟ ସରକାର ଓ ପ୍ରଶାସନ ଏ ଦିଗରେ ଧ୍ୟାନ ଦେବା ଉଚିତ।
-ଦିଲ୍ଲୀପ ଦାଶଶର୍ମା,
ସଭାପତି, ଉତ୍କଳ ସମ୍ମିଳନୀ ମଞ୍ଚେଶ୍ବର ଶାଖା

ଘୃଣ୍ୟ ପରମ୍ପରା ସୃଷ୍ଟି ହେଉଛି
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷମାନେ ହିଁ ବିଭିନ୍ନ ସମ୍ମାନରେ ବିଭୂଷିତ ହୋଇଥାଆନ୍ତି। ତେଣୁ ଶେଷଯାତ୍ରା ବେଳେ ସେହି ବରପୁତ୍ରମାନଙ୍କୁ ସରକାରଙ୍କ ପକ୍ଷରୁ ଯଥୋଚିତ ସମ୍ମାନ ଦିଆଯିବା ଉଚିତ। ପ୍ରଫେସର ତ୍ରିଲୋଚନ ପ୍ରଧାନ ଓ ଡ଼. ଗୋପାଳ ଚନ୍ଦ୍ର ମିତ୍ରଙ୍କ କ୍ଷେତ୍ରରେ ଯେଉଁ ବିଲକ୍ଷଣ ଦେଖା‌ଦେଲା, ତାହା ଏକ ଘୃଣ୍ୟ ପରମ୍ପରା ସୃଷ୍ଟି କରିଛି। ଏହା ଓଡ଼ିଆ ଜାତି ଓ ସମଗ୍ର ଓଡ଼ିଶା ପ୍ରତି ଅସମ୍ମାନ।
-ରାୟଗୁରୁ ରବୀନ୍ଦ୍ରନାଥ ମହାପାତ୍ର
-ଅବସରପ୍ରାପ୍ତ ମିଲିଟାରି ଇଣ୍ଟେଲିଜେନ୍ସି ଅଫିସର୍‌

ଏଭଳି ଘଟଣା ନିନ୍ଦନୀୟ
ଓଡ଼ିଶା ଯେଉଁ ବୈଜ୍ଞାନିକ ଓ ଐତିହାସିକମାନେ ଓଡ଼ିଶା ସମେତ ଦେଶ ବିଦେଶରେ ଓଡ଼ିଆଙ୍କ ନାମ ଉଚ୍ଚା କରିଛନ୍ତି, ସେଭଳି ଜ୍ଞାନୀଗୁଣୀଙ୍କୁ ତାଙ୍କ ଶେଷଯାତ୍ରାରେ ସରକାର ଯଥୋଚିତ ସମ୍ମାନ ନ ଦେବା ନିହାତି ଭାବେ ନିନ୍ଦନୀୟ।
-ଭକ୍ତିରଂଜନ ପଲାଇ, ଗଣିତ ଅଧ୍ୟାପକ

ଖାଲି ଅହଙ୍କାର ନୁହେଁ, ଅଜ୍ଞତାର ପ୍ରତିଫଳନ
ଓଡ଼ିଆ ଜନଜୀବନକୁ ବାଦ୍‌ ଦେଇ ଓଡ଼ିଶାରେ କେବଳ ଶାସନ ନୀତି ଆପଣାଇଥିବା ଗୋଟେ ସରକାରଠୁ କ’ଣ ବା ଅଧିକ ଆଶା କରାଯାଇପାରେ। ସମାଜ ତଥା ମାନବ ସଭ୍ୟତା ପାଇଁ ଅତୁଳନୀୟ ଅବଦାନ ଥିବା ବ୍ୟକ୍ତିତ୍ୱଙ୍କୁ ସମ୍ମାନ ନ ଦେବା ଏକ ଔଦ୍ଧତ୍ୟ ଓ ପଦ୍ମଶ୍ରୀ, ପଦ୍ମଭୂଷଣ ଭଳି ସମ୍ମାନ ପ୍ରତି ଘୋର୍‌ ଅପମାନ। ଓଡ଼ିଆ ଅସ୍ମିତାକୁ ହତ୍ୟା କରିବାର ବିଭିନ୍ନ ପ୍ରୟୋଗର ଏହା ପ୍ରତିଫଳନ।
-ସଂଘମିତ୍ରା ଜେନା, ଛାତ୍ରୀ

ଯଥାଶୀଘ୍ର ସମ୍ମାନିତ କରାଯାଉ
ଜ୍ଞାନ, ଗୁଣୀ ତଥା ବରପୁତ୍ରଙ୍କୁ ଯଥୋଚିତ ସମ୍ମାନ ନଦେବା ଓ ଶେଷଯାତ୍ରାରେ ମନ୍ତ୍ରୀ, ନେତା ସାମିଲ ନ ହେବା ସରକାରଙ୍କ ଅହଂକାର ଛଡ଼ା ଆଉ କିଛି ନୁହେଁ। ପ୍ରଫେସର ତ୍ରିଲୋଚନ ପ୍ରଧାନ ଓ ଡ. ଗୋପାଳ ଚନ୍ଦ୍ର ମିତ୍ରଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆନଯିବା ନିହାତି ଭାବେ ଦୁର୍ଭାଗ୍ୟଜନକ। ଏବେ ବି ବିଳମ୍ବ ହୋଇନି, ସରକାର ଅନ୍ୟ କେଉଁ ବାଟରେ ସେହି ବରପୁତ୍ରଙ୍କୁ ସମ୍ମାନିତ କରନ୍ତୁ।
-ବୈକୁଣ୍ଠ ଭୋଇ, ସମାଜସେବୀ

ଏଭଳି ଚରମ ଅପମାନ ବିରୋଧରେ ଆନ୍ଦୋଳନ ଆବଶ୍ୟକ
ମୃତ୍ୟୁ ବେଳେ ପଦ୍ମପୁରସ୍କାର ବିଜେତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦେବାକୁ ସରକାର ଭୁଲିଯିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ। ଏହାକୁ ଜଣେ ଓଡ଼ିଆ ଭାବେ ଯେତେ କଡ଼ା ଭାଷାରେ ନିନ୍ଦା କଲେ ବି କମ୍‌ ହେବ। ଏହା ବିରୋଧରେ ସମସ୍ତ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ଆନ୍ଦୋଳନକୁ ଓହ୍ଲାଇବା ଆବଶ୍ୟକ।
-ଶିବରାମ ମହାପାତ୍ର, ଭୁବନେଶ୍ବର

ରାଷ୍ଟ୍ରର ମର୍ଯ୍ୟାଦା ହାନି ହେଉଛି
ଏଭଳି ଅଲୋଡ଼ା ପରମ୍ପରା ଖାଲି ଓଡ଼ିଶା ନୁହେଁ, ରାଷ୍ଟ୍ରର ମର୍ଯ୍ୟାଦା ହାନି କରୁଛି। ଆଗକୁ ଏପରି ଅବ୍ୟବସ୍ଥା ଦେଖାଦେଲେ ଭାଷା ଆନ୍ଦୋଳନ ପକ୍ଷରୁ ଆନ୍ଦୋଳନ କରାଯିବ।
-ପବିତ୍ର ମହାରଥା
-ଆବାହକ, ଭାଷା ଆନ୍ଦୋଳନ, ଓଡ଼ିଶା

ସମ୍ବନ୍ଧିତ ଖବର