ଜନତା ଜନାର୍ଦ୍ଦନ : ଭୟ ଯାଇନି, କିନ୍ତୁ ଖୁସି ଲାଗୁଛି

ସିଧା ସିଧା ଶିକ୍ଷାଦାନରୁ ଖୁସି
ପିଲାଙ୍କ ସହ ସିଧାସଳଖ ସମ୍ପର୍କରେ ଆସିଲୁ। ପିଲାଙ୍କ ଉତ୍ସାହ ଯେତିକି, ଆମେ ଶିକ୍ଷକମାନେ ବି ସେତିକି ଉତ୍ସାହିତ ଥିଲୁ।
ସଂଗୀତା ଦାଶ, ପ୍ରଧାନ ଶିକ୍ଷୟିତ୍ରୀ, ବିବେକାନନ୍ଦ ଉଚ୍ଚଶିକ୍ଷା କେନ୍ଦ୍ର

ଖୁସି ଆଗରେ ଭୟ ଫିକା
ସ୍କୁଲ ଖୋଲିବାର ଖୁସି କରୋନା ଭୟକୁ ପଛରେ ପକାଇ ଦେଇଛି। ସ୍କୁଲ୍ ବସ୍‌କୁ ସମ୍ପୂର୍ଣ୍ଣ ସାନିଟାଇଜ୍‌, ପ୍ରବେଶ ସମୟରେ ଥର୍ମାଲ୍ ସ୍କ୍ରିନିଂ, ଶ୍ରେଶୀଗୃହଗୁଡ଼ିକରେ ସିଟ୍‌କୁ ସଠିକ୍ ଦୂରତ୍ୱରେ ରଖାଯାଇଛି। ସ୍କୁଲ ପକ୍ଷରୁ ସବୁପ୍ରକାର କୋଭିଡ୍‌ ସଚେତନ କରାଯାଇଛି।
ଅପୂର୍ବା ସୁଧିର୍‌, ଦ୍ୱାଦଶ ଶ୍ରେଣୀ, ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ

ମିଶିବାକୁ ପୁଣିଥରେ ସୁଯୋଗ ମିଳିଲା
ଘରର ଚାରିକାନ୍ଥ ଭିତରୁ ବାହାରି ସହପାଠୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ମିଶିବାର ପୁଣିଥରେ ସୁଯୋଗ ମିଳିଲା। ସ୍କୁଲରେ ସାନିଟାଇଜ୍ ବ୍ୟବସ୍ଥା ଭଲ ଭାବେ କରାଯାଇଛି। କୋଭିଡ୍ ନିୟମକୁ ସମ୍ପୂର୍ଣ୍ଣ ରୂପେ ପାଳନ କରାଯାଇଛି। ଆମେ ସଠିକ୍ ରୂପେ ନିୟମକୁ ମାନିବୁ। ସମସ୍ତଙ୍କୁ ସଚେତନ କରିବୁ।
ଅଂଶୁଲ୍ ଝାଝରିଆ, ଦଶମ ଶ୍ରେଣୀ, ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ

ଅଲଗା ଅଲଗା ଯୋଜନା କରିବୁ
୧୦୦ ଦିନ ମଧ୍ୟରେ ଗୋଟେ ବର୍ଷର ପାଠ୍ୟକ୍ରମ ସାରିବା ଆହ୍ବାନକୁ ଆମେ ସଫଳ କରି ଦେଖାଇବୁ। ଭିନ୍ନ ଭିନ୍ନ ଯୋଜନା କରି ପିଲାଙ୍କୁ ପାଠ ପଢ଼ାଇବାକୁ ଉଦ୍ୟମ କରିବୁ।
ସୁନନ୍ଦା ମେକାପ୍, ପ୍ରଧାନ ଶିକ୍ଷୟିତ୍ରୀ
ଆଇଆର୍‌ସି ଭିଲେଜ୍ ହାଇସ୍କୁଲ୍

୪୦% ପାଠ୍ୟକ୍ରମ ସାରିଦେଇଛି
ଅନ୍‌ଲାଇନ୍ ପାଠପଢ଼ା ଯୋଗୁଁ ମୁଁ ୪୦ ପ୍ରତିଶତ ପାଠ୍ୟକ୍ରମ ସାରିଦେଇଛି। ବାକି ୩୦ ପ୍ରତିଶତ ୧୦୦ ଦିନରେ ଶେଷ କରିବାକୁ ମୋତେ କିଛି ଅସୁବିଧା ହେବନାହିଁ। ସ୍କୁଲ୍ ଖୋଲିବା ଯୋଗୁଁ ବିଭିନ୍ନ ବିଷୟକୁ ନେଇ ମନ ଭିତରେ ଥିବା ସଂଶୟ ମଧ୍ୟ ଦୂର ହୋଇଛି। ଏବେ ସମସ୍ତ ପାଠ୍ୟକ୍ରମକୁ ପୁନର୍ବାର ପଢ଼ାଯାଉଥିବାରୁ ପାଠ ରିଭାଇଜ୍ ହୋଇଯାଉଛି।
ସୋନାଲି ବେହେରା, ଛାତ୍ରୀ

ଅନ୍‌ଲାଇନ୍‌ରେ ପାଠପଢ଼ା ଯାଉନି
ଆମ ସ୍କୁଲ୍‌ରେ ଅନ୍‌ଲାଇନ୍‌ରେ କିଛି ପାଠ ପଢ଼ା ହେଉନି। ସାର୍ ମୋତେ ହ୍ବାଟ୍ସଆପ୍‌ ଗ୍ରୁପରେ ସାମିଲ୍ କରିନାହାନ୍ତି। ତେଣୁ ମୋର ଗୋଟିଏ ବର୍ଷର ପାଠପଢ଼ା ନଷ୍ଟ ହୋଇଗଲା। ପରୀକ୍ଷା ଦେବା ବେଳକୁ କ’ଣ ଲେଖିବି, ମୋତେ ବହୁତ ଚିନ୍ତା ଲାଗୁଛି। ତେଣୁ ଆମର ମଧ୍ୟ ସ୍କୁଲ୍ ଖୋଲାଯାଉ।
ଏସ୍‌କେ ନୁର୍ ଇସଲାମ୍, ମଧୁସୂଦନ ୟୁପି ହାଇସ୍କୁଲ, ଶ୍ୟାମପୁର

ଦ୍ବନ୍ଦ୍ବ ଦୂର ହୋଇପାରିବ
ସ୍କୁଲ ଖୋଲିଥିବାରୁ ବହୁତ ଖୁସି। ସାଙ୍ଗମାନଙ୍କ ସହ ମିଶିବାର ସୁଯୋଗ ଓ ବିଶେଷକରି ପରୀକ୍ଷା ଓ ଫାଇନାଲ୍ ରିଭିଜନ୍‌ ପାଇଁ ଆମେ ପ୍ରସ୍ତୁତ ହୋଇପାରିବୁ। ସ୍କୁଲରେ ଶିକ୍ଷକଙ୍କ ସହ ପାଠ୍ୟ ସମ୍ବନ୍ଧୀୟ ସମସ୍ତ ଡାଉଟ୍‌କୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିପାରିବୁ।
ଅନୁରାଗ ପଟ୍ଟନାୟକ, ଦ୍ୱାଦଶ ଶ୍ରେଣୀ, ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ

ଅନ୍‌ଲାଇନ୍‌ ଓ ସ୍କୁଲ୍ ପାଠପଢ଼ା ମଧ୍ୟରେ ଫରକ୍ ଅଛି
କରୋନା ପାଇଁ ଅନ୍‌ଲାଇନ୍‌ରେ ହ୍ବାଟ୍‌ସଆପ୍ ଗ୍ରୁପ୍ ଖୋଲାଯାଇ ପାଠ ପଢ଼ା ଯାଉଛି। ହେଲେ ପିଲା ମୋବାଇଲ୍ ଫୋନ୍‌ ନେଇ ପଢ଼ିବା ବାହାନାରେ ବଦ୍‌ମାସି କରୁଛନ୍ତି। ପାଠପଢ଼ା ପ୍ରତି ଗୁରୁତ୍ବ ଦେଉନାହାନ୍ତି। ଫଳରେ ତା’ ପାଠ ପଢ଼ା ପ୍ରଭାବିତ ହେଉଛି। ଅନ୍‌ଲାଇନ୍ ପାଠପଢ଼ା ଓ ସ୍କୁଲ୍ ପାଠପଢ଼ା ମଧ୍ୟରେ ଫରକ୍ ଅଛି। ତେଣୁ ସରକାର ଦଶମ ଓ ଦ୍ବାଦଶ ଭଳି ଅନ୍ୟ ପିଲାଙ୍କୁ ମଧ୍ୟ ସ୍କୁଲ୍ ଯିବାକୁ ଅନୁମତି ଦେଉ।
ଶୈଳବାଳା ସେଠୀ, ଅଭିଭାବକ, ଖଣ୍ଡଗିରି

ସ୍କୁଲ ଶିଖାଇବ ପ୍ରତିକୂଳ ପରିସ୍ଥିତି ସହ ଲଢ଼ିବା
ସ୍କୁଲ ଖୋଲିବା ଜରୁରି ଥିଲା। ପ୍ରତିକୂଳ ପରିସ୍ଥିତିରେ ପିଲାମାନଙ୍କୁ ବି ସଂଘର୍ଷ କରିବାକୁ ପଡ଼ିବ। ସେମାନେ ନିଜେ ଦାୟିତ୍ବବାନ ହୋଇ ସଚେତନ ହେବା ଉଚିତ। ଏହି ଶିକ୍ଷା ସ୍କୁଲରେ ହିଁ ସେମାନଙ୍କୁ ମିଳିପାରିବ।
ସଞ୍ଜୀବ ରାଉତ, ଅଭିଭାବକ

ପିଲାଙ୍କ ଉତ୍ସାହ ବଢ଼ିଛି
ସ୍କୁଲ୍‌ ଆସିବା ପରେ ପିଲାଙ୍କ ଉତ୍ସାହ ବଢ଼ିଛି। ପିଲାଙ୍କୁ କୋଭିଡ୍‌ ବାବଦରେ ସଚେତନ କରାଯାଇଛି। ଦୀର୍ଘ ଦିନ ପରେ ସ୍କୁଲରେ ପିଲାଙ୍କ ଗହଣରେ ରହିବା ସୁଯୋଗ ଆସିଥିବାରୁ ଖୁସି ଲାଗୁଛି।
ଶିକ୍ଷୟିତ୍ରୀ, ସ୍ବର୍ଣ୍ଣପ୍ରଭା ମେକାପ

ପୁରୁଣା ଦିନ ଫେରି ପାଇଲୁ
ପୁରୁଣା ଦିନକୁ ଫେରିପାଇ ଆନନ୍ଦ ଲାଗିଲା। ଆଗାମୀ ମେ’ ମାସରେ ପରୀକ୍ଷା ଥିବାରୁ ସେଥିପାଇଁ ପ୍ରସ୍ତୁତି ଜୋରଦାର କରିବାକୁ ପଡ଼ିବ।
ରିତ୍ ଅରବିନ୍ଦ ଦାସ, ଦଶମ ଶ୍ରେଣୀ, ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ

ସ୍ବାସ୍ଥ୍ୟ ପାଇଁ ଚିନ୍ତା ଲାଗୁଛି
ପିଲାଙ୍କ ବୌଦ୍ଧିକ ବିକାଶ ପାଇଁ ଏହା ଜରୁରି ଥିଲା। କିନ୍ତୁ ଆମମାନଙ୍କ ପାଇଁ ପିଲାଙ୍କ ସ୍ବାସ୍ଥ୍ୟ ବେଶି ଗୁରୁତ୍ବପୂର୍ଣ୍ଣ। ଏଯାଏ କୌଣସି ଉପଯୋଗୀ ଔଷଧ ବାହାରିନାହିଁ। ଟିକା ବି ଆସିନାହିଁ। ଏଣୁ ଡର ରହୁଛି।
ସରୋଜବାଳା ପରିଜା, ଅଭିଭାବକ

ସମ୍ବନ୍ଧିତ ଖବର