ଜନତା ଜନାର୍ଦ୍ଦନ: ବିକଳ୍ପ ନ ହେଲେ ବି ଏନ୍‌କାଉଣ୍ଟର୍‌ ଯଥାର୍ଥ

ଅପରାଧୀଙ୍କୁ ଧରିବାକୁ ଯାଇ ପୁଲିସ ବେଳେବେଳେ ଏନ୍‌କାଉଣ୍ଟର୍‌ କରିବାକୁ ବାଧ୍ୟ ହୋଇଥାଏ। ଚଢ଼ଉ ବେଳେ ଅପରାଧୀ ଖସିଯିବା ପାଇଁ ପୁଲିସକୁ ଗୁଳି କରିବାରୁ ପୁଲିସ ଏମିତି ପାଲଟା ଜବାବ୍ ଦେଇଥାଏ ବୋଲି ସୂଚନା ଦେଇଥାଏ। ପୁଲିସର ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଏ ଓ କିଛି ଏହାକୁ ବିରୋଧ ମଧ୍ୟ କରନ୍ତି। ଏବେ ରାଜଧାନୀରେ କୁଖ୍ୟାତ ଡକାୟତ ଚକରା ବାରିକକୁ ପୁଲିସ ଏନ୍‌କାଉଣ୍ଟର୍‌ କରି କାବୁ କରିଛି। ଗତ କିଛି ଦିନ ହେଲା ରାଜଧାନୀରେ ଲୁଟ୍‌, ଛିନ୍‌ତାଇ ଓ ରାହାଜାନି ବେଶ୍ ବଢ଼ିଥିବାରୁ ପୁଲିସର ଏହି ପଦକ୍ଷେପକୁ ବହୁ ମହଲରୁ ସ୍ବାଗତ କରାଯାଉଛି। ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ଅପରାଧୀଙ୍କୁ ସାବାଡ୍‌ କରିବାକୁ ପୁଲିସର ଏହି ପଦକ୍ଷେପ ଯଥାର୍ଥ ବୋଲି କୁହାଯାଉଛି। ପୁଲିସ ମଝିରେ ମଝିରେ ଏମିତି ଏନ୍‌କାଉଣ୍ଟର୍‌ କଲେ, ଅପରାଧୀମାନେ ଭୟ କରିବେ ବୋଲି ବହୁ ମତ ପ୍ରକାଶ ପାଇଛି। ତେବେ ଅପରାଧୀଙ୍କୁ ଆୟତ୍ତ କରିବାକୁ ଏହା ବିକଳ୍ପ ନୁହେଁ ବୋଲି କିଛି ମାନବାଧିକାର କର୍ମୀ ବିରୋଧ କରିଛନ୍ତି। ପୁଲିସ ପ୍ରକୃତରେ କେଉଁ ପରିସ୍ଥିତିରେ ଏନ୍‌କାଉଣ୍ଟର୍‌ କରୁଛି, ତାହାର ବିଧିବଦ୍ଧ ତଦନ୍ତ ହେବା ଦରକାର ବୋଲି ସେମାନେ ମତ ଦେଇଛନ୍ତି।

ଏନ୍‌କାଉଣ୍ଟର୍‌ ଠିକ୍ ନୁହଁ

‌ମୋ ମତରେ ଅପରାଧୀଙ୍କୁ ଏନକାଉଣ୍ଟର୍ କରିବା ଠିକ୍‌ ପଦକ୍ଷେପ ନୁହଁ। ସେମାନଙ୍କ ପାଇଁ ଅଯଥାରେ ଗୁଳି ଖର୍ଚ୍ଚ କରାଯିବା ଉଚିତ ନୁହେଁ, ବରଂ ସେମାନଙ୍କ ଦ୍ବାରା ରାସ୍ତାଘାଟ ସଫା କରାଇବା, ପାଇଖାନା ଟାଙ୍କି ସଫେଇ ଭଳି କାମ କରାଯାଉ। ତାହା ସେମାନଙ୍କ ପାଇଁ ଉଚିତ ଶାସ୍ତି ହେବ। ଏମିତି ହେଲେ, ସମାଜରୁ ଅପରାଧ କମିଯିବ।
-ଶିବସୁନ୍ଦର ସ୍ୱାଇଁ, ମାନବାଧିକାର କର୍ମୀ

ଅପରାଧୀଙ୍କୁ ଦମନ ପାଇଁ ଏନ୍‌କାଉଣ୍ଟର୍‌ର ଆବଶ୍ୟକତା ରହିଛି

‌ଯେଉଁଠି ଜନସଂଖ୍ୟା, ସହରୀକରଣ ବଢ଼ିବ, ସେଠା‌ରେ ଅପରାଧ ମଧ୍ୟ ସେହି ଅନୁପାତରେ ବଢ଼ିବ। ଏହା କିଛି ନୂଆ କଥା ନୁହେଁ। ତେବେ କରୋନା ପରଠାରୁ ରାଜଧାନୀରେ ଅପରାଧ ବେଶି ବଢ଼ି ଯାଇଛି। ପୁଲିସ୍‌ ଅପରାଧୀମାନଙ୍କୁ ଗିରଫ କରୁଛି। ହେଲେ ଜାମିନ୍‌ରେ ଆସି ସେମାନେ ପୁଣି ଆତଙ୍କ ଖେଳାଉଛନ୍ତି। ତେଣୁ ଅପରାଧୀଙ୍କୁ ସାବାଡ୍‌ କରିବା ପାଇଁ ଏନ୍‌କାଉଣ୍ଟର୍‌ ନିହାତି ଆବଶ୍ୟକ।
-ହରୀଶ ପ୍ରଧାନ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ

ଅପରାଧୀ ଭୟ କରିବେ

ଏବେ ରାଜଧାନୀରେ ଅପରାଧୀମାନଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଲୁଟ୍, ଛିନ୍‌ତାଇ ଭଳି ଘଟଣା ନିତିଦିନିଆ ହୋଇଗଲାଣି। ସେହିପରି ପ୍ରାଣାନ୍ତକ ଆକ୍ରମଣ, ହତ୍ୟା ଭଳି ଘଟଣା ମଧ୍ୟ ପୂର୍ବାପେକ୍ଷା ଢେର୍‌ ବଢ଼ିଗଲାଣି। ପୁଲିସ୍‌ ସେମାନଙ୍କୁ ଗିରଫ କରୁଛି। କିନ୍ତୁ ଜାମିନ୍‌ରେ ଆସିବା ପରେ ପୁଣି ସେମାନେ ଅଶାନ୍ତି ଖେଳାଉଛନ୍ତି। ତେଣୁ ଏମିତି କିଛି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର୍‌ କରାଗଲେ, ଛୋଟ‌ମୋଟ ଅପରାଧୀମାନେ ମଧ୍ୟ ଭୟ କରିବେ।
-ମନୋରଞ୍ଜନ ନାୟକ, ଆଇନଜୀବୀ

ଏ ଘଟଣାର ନିରପେକ୍ଷ ତଦନ୍ତ ଆବଶ୍ୟକ

ଗତକାଲି ପୁଲିସ୍‌ ଚକରା ବାରିକ ନାମକ ଯେଉଁ ଅପରାଧୀକୁ ଏନ୍‌କାଉଣ୍ଟର୍‌ କରିଛି, ତାହାର ତଦନ୍ତ କରାଯିବା ଆବଶ୍ୟକ। ପ୍ରକୃତରେ ତାହା ଅପରାଧୀ-ପୁଲିସ୍‌ ଭିତରେ ଗୁଳି ବିନିମୟ ନା ତାକୁ ଧରିବା ପରେ ବାହାବା ନେବାକୁ ପୁଲିସ୍‌ ଜାଣିଶୁଣି ତା’ ଗୋଡ଼କୁ ଗୁଳି କରିଛି। ପୁଲିସ କଥା ପୂର୍ଣ୍ଣମାତ୍ରାରେ ବିଶ୍ବାସ କରି ହେବନାହିଁ। ଯଦି ଚକରା ଖସିଯାଉଥିଲା କିମ୍ବା ପୁଲିସକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲା, ତେବେ ପୁଲିସ ଗୁଳି କରିବା ଉଚିତ। କିନ୍ତୁ ପୁଲିସ ଯଦି ଏହାକୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ କରିଥାଏ, ତାହା ଠିକ୍‌ ନୁହେଁ।
-ବିଶ୍ବପ୍ରିୟ କାନୁନ୍‌ଗୋ, ମାନବାଧିକାର କର୍ମୀ

ଏନ୍‌କାଉଣ୍ଟର ଏମିତି ଜାରି ରହୁ

ପୁଲିସ୍‌ ପାଖରେ ଏନ୍‌କାଉଣ୍ଟର୍‌ ଅନ୍ତିମ ବିକଳ୍ପ। କିନ୍ତୁ ରାଜଧାନୀରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସଂଖ୍ୟା ବହୁତ ବଢ଼ିଗଲାଣି। ପୁଲିସର ଏହି ଏନ୍‌କାଉଣ୍ଟର୍‌ ପ୍ରକ୍ରିୟା ଯଦି ଜାରି ରୁହନ୍ତା, ତେବେ ରାଜଧାନୀରେ ଅପରାଧ ବହୁ ମାତ୍ରାରେ କମି ଯାଆନ୍ତା।
-ଅଭୟ କୁମାର, ଭୁବନେଶ୍ୱର

ହାତଗଣତି ପୁଲିସ ଏନ୍‌କାଉଣ୍ଟର୍‌ କରୁଛନ୍ତି

ସଂପୃକ୍ତ ଡିସିପି କଟକରେ ଥିଲା ବେଳେ ତିନି ତିନିଟା ଏନକାଉଣ୍ଟର୍ କରିଥିଲେ। ଭୁବନେଶ୍ବର ଆସିବା ପରେ ଏଠି ଆରମ୍ଭ କରିଦେଲେ। ଆଗକୁ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କରିପାରନ୍ତି। ଏ ସବୁ ନୂଆ ନୁହେଁ, କିନ୍ତୁ ହାତଗଣତି କିଛି ପୁଲିସ ଅଧିକାରୀ କରିବା ଏବଂ ଅନ୍ୟ ଅଧିକାରୀଙ୍କ ସମୟରେ ନହେବା ଚିନ୍ତାର ବିଷୟ।
-ଅନୁପ୍ ସେନାପତି, ଆଇନଜୀବୀ

ଅନ୍ୟ ଅପରାଧୀମାନେ ସାବାଡ୍‌ ହେବେ

ମୋ ମତରେ ଅପରାଧୀଙ୍କୁ ଏନକାଉଣ୍ଟର୍‌ କରିବା ଆବଶ୍ୟକ। ଏହାଦ୍ୱାରା ଅନ୍ୟ ଅପରାଧୀମାନେ ବି ସାବାଡ୍‌ ହୋଇଯିବେ। ଅପରାଧ କରିବା ପୂର୍ବରୁ ଶହେଥର ଚିନ୍ତା କରିବେ। ସେମାନଙ୍କୁ ଗିରଫ କରି ଜେଲ୍ ପଠାଇଦେଲେ ଅଯଥାରେ ରାଜସ୍ବ ହାନି ହେବ ଏବଂ ପୁଣି ସେମାନେ ଜାମିନରେ ମୁକୁଳି ଅପରାଧ ଘଟାଇବେ।
-ମିଲନ କୁମାର ସ୍ୱାଇଁ

ଏନ୍‌କାଉଣ୍ଟର୍‌ ଏକ ପ୍ରହସନ

ରାଜଧାନୀରେ ଏନ୍‌କାଉଣ୍ଟର୍‌ ଏକ ପ୍ରହସନ। ଏନ୍‌କାଉଣ୍ଟର୍‌ କରିବା ଅପେକ୍ଷା ପୁଲିସକୁ ଅଧିକ ସଜାଗ ରହିବାକୁ ହେବ। ନିଜ କର୍ତ୍ତବ୍ୟକୁ ସଚ୍ଚୋଟତାର ସହ କରିବାକୁ ପଡ଼ିବ। ରାଜଧାନୀରେ ଦାୟିତ୍ୱରେ ଥିବା ଅଧିକାରୀ ଯେମିତି ବଦଳୁଛନ୍ତି, ଅପରାଧ ମଧ୍ୟ ସେମିତି ବଢ଼ୁଛି। ତେଣୁ ପ୍ରଶାସନିକସ୍ତରରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଇନ ବ୍ୟବସ୍ଥା ମଧ୍ୟ ସ୍ଥିର ଓ ସ୍ୱଚ୍ଛ ହେବା ଦରକାର।
-ଅକ୍ଷୟ କୁମାର ନାଥ

ସମ୍ବନ୍ଧିତ ଖବର