କରୋନା ପଜିଟିଭ୍ ରିପୋର୍ଟ ଜାଲ୍ରେ ମିଳିପାରୁଛି। ଆଜି ଏଭଳି ଏକ ଭୟଙ୍କର ସତ୍ୟ ପ୍ରକାଶ ପାଇବା ପରେ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଛି। ଏଭଳି କେଳେଙ୍କାରୀ ଯୋଗୁଁ ରାଜଧାନୀରେ ସଂକ୍ରମଣ ଥମିବା ଜଣାପଡ଼ୁନାହିଁ। ବରଂ କରୋନା ସଂକ୍ରମଣ ବଢ଼ୁଛି ବୋଲି କୁହାଯାଉଛି। ଯଦି ଏଭଳି ଆଗକୁ ଜାରି ରହେ, ତେବେ ପୁଣି ଲକ୍ଡାଉନ୍ ଓ ସଟ୍ଡାଉନ୍ ଫେରିବା ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ଗରିବ ସାଧାରଣ ଲୋକେ ହନ୍ତସନ୍ତ ହେବେ ଓ ଏଥିରୁ ବଡ଼ବଡ଼ିଆ ଫାଇଦା ଉଠାଇବେ। ଏହା ପଛରେ ଏକ ବଡ଼ ଦୁର୍ନୀତିର ନୀଳନକ୍ସା ରହିଛି। ତେଣୁ ସରକାର ତୁରନ୍ତ ବିହିତ ତଦନ୍ତ କରି ସମ୍ପୃକ୍ତ ସଂସ୍ଥା ବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ। ଆଜି ‘ସମ୍ବାଦ’ ଜନତା ଜନାର୍ଦ୍ଦନ ସ୍ତମ୍ଭରେ ରାଜଧାନୀବାସୀଙ୍କ ମତକୁ ନେଇ ଏହି ଉପସ୍ଥାପନା...
ଜାଲ୍ ରିପୋର୍ଟ ଲକ୍ଡାଉନ୍ର କାରଣ ହେବ
କୋଭି଼ଡ୍ ପଜିଟିଭ ରିପୋର୍ଟ ଜାଲ୍ରେ ମିଳିବା ବଡ଼ ସାଂଘାତିକ ପ୍ରସଙ୍ଗ। ଏହା ଉପରେ ସରକାର ଧ୍ୟାନ ଦେବା ଉଚିତ। ଚଢ଼ଉ କରି ଏପରି ଜାଲ୍ କରୁଥିବା ଦଲାଲ୍ମାନଙ୍କୁ ଧରିବା ଦରକାର। ଏମିତି ହେଲେ କରୋନା ସଂକ୍ରମଣ ବଢ଼ୁଛି ବୋଲି ଆକଳନ ହେବ ଓ ପୁଣି ଲକ୍ଡାଉନ୍ ଫେରିବ। ଫଳରେ ସବୁ ବର୍ଗର ଲୋକେ ହଇରାଣ ହେବେ। ଯଦି ଟଙ୍କା ଦେଲେ ପଜିଟିଭ୍ ରିପୋର୍ଟ ମିଳୁଛି, ତେବେ ନେଗେଟିଭ୍ ରିପୋର୍ଟ ମଧ୍ୟ ମିଳୁଥିବ। ଏହା ବି ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ।
ସାଇରାମ ରାଉତ
ନିନ୍ଦନୀୟ ଘଟଣା
ମିଛ କରୋନା ପଜିଟିଭ୍ ରିପୋର୍ଟ ବାହାର କରିବା ସଂପୂର୍ଣ୍ଣ ଭାବେ ନିନ୍ଦନୀୟ। ସେଥିପାଇଁ ଭୁବନେଶ୍ବରରେ ପଜିଟିଭ୍ ହାର ଅଧିକ ରହୁଛି। ଏତେ ଲୋକ ଟିକା ନେବା ପରେ ବି ଖାସ୍ ଏହି ଜାଲିଆତି କାରଣରୁ ରାଜଧାନୀରେ ସଂକ୍ରମଣ ଅଧିକ ରହୁଛି ବୋଲି ପ୍ରଚାର ହେଉଛି।
ସମ୍ବିତ ସୌମ୍ୟରଞ୍ଜନ ସାହୁ
ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ
ଜାଲ୍ କୋଭି଼ଡ୍ ପ୍ରମାଣପତ୍ର ଭୁବନେଶ୍ବରରେ କୋଭିଡ୍ ସଂକ୍ରମଣ ସଂଖ୍ୟା ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆଜି ‘ସମ୍ବାଦ’ ପକ୍ଷରୁ ଅନୁସନ୍ଧାନ କରାଯିବାରୁ ଏହା ଜଣାପଡ଼ିଲା। ଏହିପରି ଅନେକ ଲୋକ ଛୁଟି ପାଇଁ ହେଉ କି କାର୍ଯ୍ୟରୁ ବିରତି ନେବା ପାଇଁ ଜାଲ୍ କୋଭିଡ୍ ପଜିଟିଭ୍ ରିପୋର୍ଟ ବାହାର କରୁଥିବେ। ତେଣୁ ସରକାର ତୁରନ୍ତ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।
ଲିପନ୍ ମହାପାତ୍ର
ସରକାରଙ୍କ ମୁକାବିଲା ପ୍ରସ୍ତୁତିରେ ବାଧକ
କୋଭିଡ୍ ସ୍ଥିତିକୁ ମୁକାବିଲା କରିବାକୁ ସରକାର ନୂଆନୂଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ ଏଭଳି ଜାଲ୍ ପ୍ରମାଣପତ୍ର ସରକାରଙ୍କୁ ମଧ୍ୟ ଅଡ଼ୁଆରେ ପକାଇବ। ସରକାରୀ ଯୋଜନା ବାଧାପ୍ରାପ୍ତ ହେବ। ଏଥିରୁ କେହି କିଛି ଫାଇଦା ଉଠାନ୍ତୁ ନା କାହିଁକି ସରକାର ଅଧିକ କ୍ଷତିଗ୍ରସ୍ତ ହେବେ।
ରାଜେନ୍ଦ୍ର ସାହୁ
ଚାକିରିଆ ଏଭଳି ଜାଲିଆତି କରୁଛନ୍ତି
ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର ଚାକିରିଆମାନେ ଏଭଳି ମିଛ ରିପୋର୍ଟ ବାହାର କରି ଛୁଟିରେ ରହୁଛନ୍ତି। ସେମାନେ ଛୁଟିରେ ରହି ମଜାମସ୍ତି କରିବେ ଓ ସାଧାରଣ ଲୋକେ ଲକ୍ଡାଉନ୍ ସଟ୍ଡାଉନ୍ରେ ଘାଣ୍ଟି ହେବେ। ତେଣୁ ଏହାର ତଦନ୍ତ କରାଯାଇ ସେମାନଙ୍କୁ ଚାକିରିରୁ ବିଦା କରାଯିବା ଆବଶ୍ୟକ।
ନିରଞ୍ଜନ ପ୍ରଧାନ
ଏକ ବୃହତ୍ତର ଦୁର୍ନୀତିର ଗନ୍ଧ ଆସୁଛି
ଜାଲ୍ କୋଭିଡ୍ ପଜିଟିଭ୍ ରିପୋର୍ଟ ମିଳିବା ପଛରେ ଏକ ବଡ଼ ଦୁର୍ନୀତିର କଥା ରହିଛି। ଏଭଳି ଜାଲିଆତି କରି କରୋନା ସଂକ୍ରମଣ ବଢ଼ୁଥିବା ଆଳରେ ମହାଦୁର୍ନୀତି ହେବ ବୋଲି ଗନ୍ଧ ବାରି ହୋଇପଡ଼ୁଛି। ଏହା ନିଶ୍ଚିତଭାବେ ରାଜଧାନୀରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଉପରେ କୁପ୍ରଭାବ ପକାଉଛି। ଯଥା ଶୀଘ୍ର ଏହି ଜାଲିଆତିରେ ସଂପୃକ୍ତ ସମସ୍ତ ଅପରାଧୀଙ୍କୁ ଗିରଫ କରାଯାଉ।
ଶାରଦା ମହାପାତ୍ର
ଦଣ୍ଡ ବିଧାନ ଜରୁରୀ
ପୂର୍ବରୁ କରୋନା ପଜିଟିଭ୍ ରିପୋର୍ଟ ଲୁଚାଉଥିଲେ। ଫଳରେ ସଂକ୍ରମଣ ବଢ଼ୁଥିଲା। ଏବେ ଜାଲ୍ ରିପୋର୍ଟ ନେଇ ମସ୍ତି କରୁଛନ୍ତି। ଏହାର ବିଧିବଦ୍ଧ ତଦନ୍ତ ହେବା ଆବଶ୍ୟକ ଓ ଦୋଷୀକୁ ଦଣ୍ଡିତ କରାଯିବା ଆବଶ୍ୟକ।
ଗଣେଶ ବର୍ମା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/65sfh654fs8hfs47jh65f4h4fs65hfhsffhshfhfs.jpg)