ଜନତା ଜନାର୍ଦ୍ଦନ: ସାଇବର ଠକେଇ ରୋକିବାକୁ ଜନ ସଚେତନତା ଜରୁରୀ

ସାଇବର ଅପରାଧ ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏହାକୁ ରୋକିବାକୁ ଯେତେସବୁ କୌଶଳ ଅପଣାଯାଉଛି, ଠକ ସେତେ ନୂଆ ନୂଆ ତରିକାରେ ଲୋକଙ୍କୁ ଠକୁଛନ୍ତି। ସାଇବର ଠକଙ୍କ ଆଗରେ ପୁଲିସ ଯେପରି ଅସହାୟ ହୋଇପଡ଼ିଛି। ଲୋକଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି। ତା’ ‌ସତ୍ତ୍ବେ ଲୋକମାନେ ପ୍ରଲୋଭନର ଶିକାର ହୋଇ ଠକଙ୍କ ହାବୁଡ଼ରେ ପଡ଼ୁଛନ୍ତି। ଜନ ସଚେତନତା ଦ୍ବାରା ହିଁ ଏହି ଅପରାଧରେ ରୋକ ଲାଗିପାରିବ ବୋଲି ମତ ପ୍ରକାଶ ପାଉଛି।

ଉନ୍ନତ ତାଲିମ ଓ ସରଞ୍ଜାମ ଯୋଗାଇ ଦିଆଯାଉ
ସାଇବର କ୍ରାଇମ୍‌ ରୋକିବାକୁ ହେଲେ ପ୍ରଥମେ ପୁଲିସ ସାଇବର ସେଲ୍‌କୁ ପୁନର୍ଗଠନ କରାଯାଉ। ବୈଷୟିକ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆହୁରି ଅଧିକ ତାଲିମ୍‌ ଓ ସରଞ୍ଜାମ ଯୋଗାଇ ଦିଆଯାଉ। ତେବେ ଯାଇ ସାଇବର ଅପରାଧୀଙ୍କ ସହ ଲଢ଼ିବା ଓ ତାଙ୍କୁ ଧରିବା ପୁଲିସ ପକ୍ଷେ ସମ୍ଭବ ହେବ।
ସୁଶାନ୍ତ କୁମାର ସାହୁ, ସୁନ୍ଦରପଦ‌ା
ଏବେଠୁ ସର୍ତକ ନ ହେଲେ ଅପରାଧ ରୋକି ହେବନି
ସାଇବର କ୍ରାଇମ୍‌କୁ ରୋକିବା ଏତେ ସହଜ ନୁହେଁ। ଜମ୍‌ତରା ଗ୍ୟାଙ୍ଗ୍‌ ଭଳି ଦେଶରେ କେତେ ଯେ ଗ୍ୟାଙ୍ଗ ଥିବେ ତା’ର ଖବର କାହାପାଖେ ନାହିଁ। ବୈଷୟିକ ଜ୍ଞାନ କୌଶଳ ଆମକୁ ଯେତିକି ସୁବିଧା ଦେଇଛି ତା’ଠାରୁ ଅଧିକ ବିପଦ ଟାଣି ଆଣିଛି। ଏଣୁ ପୁଲିସ ସାଇବର ସେଲ୍‌ ଅପରାଧୀଙ୍କଠାରୁ ଦୁଇ ପାଦ ଆଗକୁ ଯାଇ ଚିନ୍ତା କରିବାକୁ ପଡ଼ିବ। ଏନେଇ ଦକ୍ଷ ପ୍ରଶିକ୍ଷକଙ୍କ ଦ୍ବାରା ପ୍ରଶିକ୍ଷଣ ନେବାର ଆବଶ୍ୟକତା ରହିଛି। ନହେଲେ ଆଗକୁ ସାଇବର୍‌ କ୍ରାଇମ୍‌ ଏମିତି ବଢ଼ିବ ଯେ ପୁଲିସ ଏହାର ଟେର୍‌ ପାଇବନି।
ଅର୍ପିତା ପ୍ରିୟଦର୍ଶନୀ, କର୍ମଜୀବୀ
ଜନସାଧାରଣଙ୍କୁ ସଚେତନ କରାଯିବା ଉଚିତ
ସାଇବର ଅପରାଧୀ ବିଭିନ୍ନ ନୂଆ ନୂଆ ବିଷୟରେ ଆମ ରାଜ୍ୟରେ ଅଭିଜ୍ଞ ଅଧିକାରୀ ଖୁବ କମ। ତେଣୁ ସାଇବର ଅପରାଧ ରୋକିବା କାଠିକର ପାଠ ହୋଇପଡ଼ିଛି। ଏନେଇ ପ୍ରଶାସନ ନିଜେ ପ୍ରଥମେ ସଚେତନ ହେବା ସହ ଜନସାଧାରଣଙ୍କୁ ସଚେତନ କରାଇଲେ ଭଲ। ତେବେ ଯାଇ ରାଜ୍ୟରେ ସାଇବର ଅପରାଧ ରୋକଯାଇ ପାରିବ।.
-ବିଚିତ୍ର କୁମାର ଓଝା, ଆଇଟି ଇଞ୍ଜିନିୟର
ସାଇବର ଅପରାଧୀଙ୍କୁ କଠୋର ଦଣ୍ଡ ଆବଶ୍ୟକ
ପ୍ରଥମ କାମ ହେଲା ଯୁବ ପିଢ଼ିଙ୍କୁ ସଚେତନତା କରାଇବା। ତା’ପରେ ବରିଷ୍ଠ ନାଗରିକ ଓ ପିଲାମାନଙ୍କୁ ସଚେତନ କରାଇବା ଉଚିତ। କାହାକୁ ବିଶ୍ୱାସ କରି କୋଣସି ତଥ୍ୟ ଦେବା ଅନୁଚିତ। ଏହାଛଡ଼ା ସାଇବର ଅପରାଧୀଙ୍କୁ ଧରି କଠୋର ଦଣ୍ଡ ଦେଲେ ତେବେଯାଇ ଏହି ଅପରାଧ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ହୋଇପାରିବ।
ଆରତୀ ବିଷୋଗୀ, ଆଇଟି ଇଞ୍ଜିନିୟର
ନୂଆ ବାଟରେ ଠକେଇ କରୁଛନ୍ତି ଚୋର
ସାଇବର ହେଲ୍‌ପ ଡେସ୍କ ପାଇଁ ଯେଉଁ ନମ୍ବର ଦିଆଯାଇଥିଲା ସେଥିରେ ଲୋକ ସହଜରେ ଅଭିଯୋଗ କରିପାରୁଛନ୍ତି। ପୁଲିସ ଯେତିକି ପଦକ୍ଷେପ ନେଉଛି, ଚୋର ନୂଆ ନୂଆ ବାଟ ବାହାର କରି ଠକେଇ କରୁଛନ୍ତି। ତେବେ ଠକାମି ବଢ଼ି ଚ‌ାଲିଥିବାରୁ ବରିଷ୍ଠ ଲୋକ ଓ ନୂଆ ଫୋନ ବ୍ୟବହାରକାରୀ ସମସ୍ତଙ୍କୁ ସତର୍କ ହେବାକୁ ପଡ଼ିବ।
ଲଷ୍ମୀପ୍ରିୟା ଦାସ, ଶିଶୁଭବନ
ସବୁ ଜାଣି ମଧ୍ୟ ଲୋକ ବାଟ ହୁଡ଼ୁଛନ୍ତି
ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଇବାରେ ଲାଗିଛି। ଏସବୁ ଜାଣି ମଧ୍ୟ ଲୋକ ବାଟ ହୁଡୁଛନ୍ତି। ଟ୍ୱିନସିଟି କଟକ ଭୁବନେଶ୍ୱରରେ ସାଇବର ଠକଙ୍କୁ ଧରିବାରେ ପୁଲିସ ଯେଉଁ ପଦକ୍ଷେପ ନେଉଛି ତାହା ଯଥେଷ୍ଟ ନୁହେଁ। ଅଧିକ କ୍ରିୟାଶୀଳ ଓ ଅତ୍ୟାଧୁନିକ ଟେକ୍ନୋଲୋଜି ଦ୍ୱାରା ସେମାନଙ୍କୁ ଧରାଯିବା ଉଚିତ।
ସରୋଜ କୁମାର ସାହୁ, ଆଇନଜୀବୀ
ନିଜକୁ ସତର୍କ ରହିବାକୁ ପଡ଼ିବ
ରାଜ୍ୟରେ ସାଇବର ଠକେଇ ପ୍ରଥମେ ପାର୍ସଲ ଦେବା ଆଳରେ ଲୁଟ୍ ହୋଇଥିଲା। ନାଇଜେରିଆନ୍ ଗ୍ୟାଙ୍ଗ୍ ଏହି ଠକେଇ ଆରମ୍ଭ କରିଥିବା ବେଳେ ଧୀରେ ଧୀରେ ଏହା ଏଟିଏମ୍, ଡେବିଟ୍, କ୍ରେଡିଟ୍ କାର୍ଡ, ଅନଲାଇନ୍ ମାଧ୍ୟମରେ ହେଉଛି। ଦିନକୁ ଦିନ ଏହି ଠକେଇ ବଢ଼ିବାରେ ଲାଗିଛି। ପୁଲିସ୍ ଏହାକୁ ଧରିବାକୁ ସକ୍ଷମ ହେଉନଥିଲେ ହେଁ ସଂପୂର୍ଣ୍ଣ ବିଫଳ ହେଉଛି କୁହାଯାଇପାରିବ ନାହିଁ। କୌଣସି ଅଜଣା ବ୍ୟକ୍ତି ଫୋନ କରି ଏଟିଏମ ପାସୱାର୍ଡ, ସିଭିଭି ନମ୍ବର କିମ୍ବା ଅନ୍ୟ ଆଉ କିଛି ତଥ୍ୟ ମାଗିଲେ ତାହା ନଦେବା ଉଚିତ। ‌ସୋସିଆଲ ମିଡିଆ ସାଇଟ୍‌ରେ ଆସୁଥିବା ଅଜଣା ଲିଙ୍କ୍‌କୁ ମଧ୍ୟ କ୍ଲିକ କରିବା ଅନୁଚିତ। ଲୋକେ ନିଜେ ସତର୍କ ରହିଲେ ସାଇବର ଠକେଇରୁ ବର୍ତ୍ତିପାରିବେ।
ଅଭିମନ୍ୟୁ ଧ​ଳ, ବରମୁଣ୍ଡା

ସମ୍ବନ୍ଧିତ ଖବର