ଜନତା ମଇଦାନରେ ହେବ ମୁଖ୍ୟ ପାର୍କିଂ, ଫୁଡ୍‌‌ ଫେଷ୍ଟିଭାଲ୍‌ ସ୍ଥାନ ନିରୂପଣ ଆଜି

ଭୁବନେଶ୍ବର: ବିଶ୍ବକପ୍‌ ପୁରୁଷ ହକି ଆୟୋଜନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟତଃ ଟ୍ରାଫିକ ସମସ୍ୟାକୁ ଆଖି ଆଗରେ ରଖି ଜନତା ମଇଦାନରେ ମୁଖ୍ୟ ପାର୍କିଂ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଆଜି ସଚିବାଳୟରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଶ୍ବକପ୍‌ ହକି ଆୟୋଜନ ଜନିତ ସମୀକ୍ଷା ବୈଠକରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯାଇଛି। ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ବିଶ୍ବକପ୍‌ ହକି ଆୟୋଜନ ନିମନ୍ତେ ଭିତ୍ତିଭୂମିଠାରୁ ଆରମ୍ଭ କରି ହକି ଆୟୋଜନ ପର୍ଯ୍ୟନ୍ତ ପୂର୍ବରୁ ଯେଉଁସବୁ ନିଷ୍ପତ୍ତି ନିଆଯାଇଛି, ସେସବୁ କାର୍ଯ୍ୟକାରୀ କରାଯାଇଛି। ଖେଳ ଚାଲିଥିବା ବେଳେ ଟ୍ରାଫିକ ସମସ୍ୟା ଉପୁଜିବାର ଆଶଙ୍କା ରହିଥିବାରୁ ଜନତା ମଇଦାନରେ କେନ୍ଦ୍ରୀୟ ପାର୍କିଂ ବ୍ୟବସ୍ଥା କରାଯିବ। ସେଠାରୁ କଳିଙ୍ଗ ଷ୍ଟାଡିୟମକୁ ସ୍ବତନ୍ତ୍ର ଭାବେ ସଟଲ୍‌ ପରିବହନ ସେବା ଯୋଗାଇ ଦିଆଯିବ। ବର୍ତମାନ ପ୍ରଦର୍ଶନୀ ପଡ଼ିଆରେ ଆନ୍ତର୍ଜାତିକ ଫୁଡ୍‌ ଫେଷ୍ଟିଭାଲ୍‌ ଆୟୋଜନ ପାଇଁ ସଜବାଜ ଚାଲିଛି। କିନ୍ତୁ ଟ୍ରାଫିକ ସମସ୍ୟା ଯୋଗୁଁ ଏହି ଫେଷ୍ଟିଭାଲ୍‌ ସ୍ଥାନକୁ ଜନତା ମଇଦାନକୁ ସ୍ଥାନାନ୍ତର କରିବାକୁ ଚିନ୍ତା କରାଯାଉଛି। ଏ ନେଇ ଶନିବାର ଚୂଡ଼ାନ୍ତ ନିଷ୍ପତ୍ତିି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି। କେବଳ ଫେଷ୍ଟିଭାଲ୍‌ ନୁହେଁ, ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ପାଇଁ ସ୍ଥାନ ନିରୂପଣ ଚୂଡ଼ାନ୍ତ ହେବ। ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସମେତ ବହୁ ପଦାଧିକାରୀ ଯୋଗ ଦେଇଥିଲେ।

ବିମାନବନ୍ଦରରେ ହକି ଖେଳାଳିଙ୍କୁ ସ୍ବାଗତ କରାଯିବ
ଭୁବନେଶ୍ବର: ନଭେମ୍ବର ୨୮ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ହକି ବିଶ୍ବକପ୍‌ ପାଇଁ ୧୬ଟି ଦେଶର ଖେଳାଳି ଏବଂ ଖେଳ ଅଧିକାରୀ ଆସିବେ। ସେମାନଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯିବ। ଏଥିପାଇଁ ଆଜି ବିମାନବନ୍ଦରରେ ବିଏମ୍‌ସି କମିସନର, କମିସନରେଟ୍ ପୁଲିସ, କ୍ରୀଡ଼ା ଅଧିକାରୀ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷ ପ୍ରସ୍ତୁତି ବୈଠକ କରିଛନ୍ତି। ଖେଳାଳିମାନଙ୍କୁ ଟର୍ମିନାଲ ପରିସରରେ କେଉଁଠି ଓ କିପରି ସ୍ବାଗତ କରାଯିବ ସେନେଇ ଆଜି ଆଲୋଚନା କରାଯାଇଛି।

ସମ୍ବନ୍ଧିତ ଖବର