ଅମିତ, ନିକିତା ଓ ବେନୀଙ୍କ ଗୀତରେ ଝୁମିଲେ

ଜନତା ମଇଦାନରେ ମ୍ୟୁଜିକ୍‌ ଆଣ୍ଡ ଡ୍ୟାନ୍ସ ଫେଷ୍ଟିଭାଲ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ଲାଗି ମେଟ୍ରୋ ସିଟି ଶୈଳୀରେ ମ୍ୟୁଜିକ ଆଣ୍ଡ ଡ୍ୟାନ୍ସ ଫେଷ୍ଟିଭାଲର ଅୟୋଜନ କରାଯାଇଛି। ଓଡ଼ିଆ ଦୈନିକ ‘ପ୍ରଗତିବାଦୀ’ ଓ ରେଡ୍‌ ଏଫ୍‌ଏମ୍‌ (୯୩.୫) ପ୍ରଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଜନତା ମଇଦାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ କଣ୍ଠଶିଳ୍ପୀ ଅମିତ ତ୍ରିିଦେବୀ, ନିକିତା ଗାନ୍ଧୀ ଓ ବେନୀ ଦୟାଲ ଭଳି କଳାକାର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ କଣ୍ଠଶିଳ୍ପୀ ନିକିତା ଦର୍ଶକଙ୍କ ମନ ଜିଣଥିବା ବେଳେ ଚର୍ଚିତ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ ସାରା ଭୁବନେଶ୍ୱରକୁ ଝୁମାଇ ଦେଇଥିଲା। ପରବର୍ତୀ ସମୟରେ ବେନି ଦୟାଲ ମଞ୍ଚକୁ ଆସିଥିଲେ। ବେନୀକୁ ଦେଖି ଉପସ୍ଥିତ ଦର୍ଶକ ବିମୋହିତ ହେବା ସହ କରତାଳିରେ ସ୍ୱାଗତ କରିଥିଲେ। ପରେ ତାଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ହିନ୍ଦୀ ଗୀତରେ ଦର୍ଶକ ଝୁମିଥିଲେ। ବିଶେଷ କରି ଯୁବପିଢ଼ିଙ୍କ ମନକୁ ତାଙ୍କ ଗୀତ ବେଶ ଛୁଇଁଥିଲା। ଗୀତରେ ତାଳେ ତଳେ ସାରା ଜନତା ମଇଦାନ ନାଚି ଉଠିଥିଲା। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ବେନୀ ଦର୍ଶକକୁ ବାନ୍ଧି ରଖିଥିଲେ। ମଝିରେ ମଝିରେ ର‍୍ୟାମ୍ପ ସୋ’, କମେଡି ଓ ବିଭିନ୍ନ ପ୍ରକାର ମନୋରଂଜନ କାର୍ଯ୍ୟକ୍ରମ କରାଯାଇଥିଲା। ଶେଷ ଭାଗରେ ଅମିତ ତ୍ରିବେଦୀ ଦର୍ଶକଙ୍କୁ ନାଚିବାକୁ ଏକ ପ୍ରକାର ବାଧ୍ୟ କରିଥିଲେ। କାର୍ଯ୍ୟକ୍ରମର ନାଁ ମ୍ୟୁଜିକ ଡ୍ୟାନ୍ସ ରଖାଯାଇଥିବା ବେଳେ କଳାକାରମାନେ ଅତ୍ୟାଧୁନିକ ମ୍ୟୁଜିକ ଦ୍ୱାରା ଏହାର ବାସ୍ତବତାକୁ ପ୍ରମାଣିତ କରିଛନ୍ତି। ଶେଷରେ ଓଲିଉଡ୍‌ କଳାକଳାମାନେ ଓଡ଼ିଶାକୁ ପ୍ରଂଶସା କରିବା ସହ ପ୍ରଯୋଜନା ସଂସ୍ଥାକୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର