ଝରଣା ସାହିରେ ଜଣ୍ଡିସ୍‌: ଖାଦ୍ୟ ଯୋଗୁଁ ହୋଇନି ଜଣ୍ଡିସ୍‌: ସ୍ୱାସ୍ଥ୍ୟ ବିଭାଗ

ବଣ୍ଟା ଗଲାଣି ୧୦ହଜାର ହାଲୋଜେନ୍‌ ବଟିକା

ଭୁବନେଶ୍ୱର: ଝରଣା ସାହିରେ ଗତ ଦେଢ଼ ମାସରେ ୧୦ଜଣ ବ୍ୟକ୍ତିଙ୍କୁ ଜଣ୍ଡିସ୍‌ ଦେଖାଯିବା ଘଟଣାରେ ନିଜ ଉପରୁ ଦୋଷ ଝାଡ଼ି ଦେଇଛି ସ୍ୱାସ୍ଥ୍ୟ ବିଭାଗ। ପରୀକ୍ଷା ପାଇଁ ପଠାଯାଇଥିବା ଖାଦ୍ୟ ନମୁନାରୁ ସେଠାରେ ଜଣ୍ଡିସ୍‌ ବ୍ୟାପି ନ ଥିବା ରିପୋର୍ଟରୁ ଜଣାପଡ଼ିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ସ୍ୱାସ୍ଥ୍ୟ ବିଭାଗର ଏଭଳି ରିପୋର୍ଟ ଜନସ୍ୱାସ୍ଥ୍ୟ ବିଭାଗ ଆଡ଼କୁ ଅଙ୍ଗୁଳି ନିର୍ଦେଶ କରିଛି। ପାଇପ୍‌ ପାଣି କିମ୍ବା କୂଅ ପାଣି ପିଇବା ଯୋଗୁଁ ଜଣ୍ଡିସ୍‌ ବ୍ୟାପିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ସାହିରେ କିଭଳି ଅଧିକ ସଂଖ୍ୟାରେ ଜଣ୍ଡିସ୍‌ ନ ବ୍ୟାପିବ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଝରଣା ସାହିରେ ଗତ ଦେଢ଼ ମାସରୁ ୨ମାସ ମଧ୍ୟରେ ୧୦ଜଣ ଜଣ୍ଡିସ୍‌ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେଠାରେ ଥିବା ଜଳ ଉତ୍ସରୁ ନମୁନା ଓ ରକ୍ତ ନମୁନା ସଂଗ୍ରହ କରାଯାଇ ରାଜ୍ୟ ଜନସ୍ୱାସ୍ଥ୍ୟ ପରୀକ୍ଷାଗାରକୁ ପଠାଯାଇଥିଲା। ତେବେ ବିଷାକ୍ତ ଖାଦ୍ୟ ଖାଇବା ଯୋଗୁଁ ଝରଣା ସାହିରେ ଜଣ୍ଡିସ୍‌ ଦେଖା ଦେଇ ନ ଥିବା ରକ୍ତ ନମୁନାରୁ ସ୍ପଷ୍ଟ ହୋଇଛି। ତେଣୁ ସ୍ଥାନୀୟ ଅଞ୍ଚଳରେ ଦୂଷିତ ପାଣି ପିଇବା ଯୋଗୁଁ ଜଣ୍ଡିସ୍‌ ହୋଇପାରିଥାଏ ବୋଲି ସନ୍ଦେହ କରାଯାଉଛି। ତେବେ ବିଏମ୍‌ସି ପକ୍ଷରୁ ପିଇବା ପାଣି ଯୋଗାଇ ଦିଆଯାଉଥିବାବେଳେ ଏଠାରୁ ସଂଗ୍ରହ ହୋଇଥିବା ପାଣି ନମୁନା ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ। ଅପରପକ୍ଷରେ ଝରଣା ସାହିରେ ଜଣ୍ଡିସ୍‌ ଦେଖାଦେବା ପରେ ସେଠାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଏ ପର୍ଯ୍ୟନ୍ତ ୧୦ ହଜାର ହାଲୋଜେନ୍‌ ବଟିକା ସାହିରେ ବଣ୍ଟାଯାଇଛି। ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ତେବେ ଲୋକମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରହୁ ନାହାନ୍ତି। ଫଳରେ ଥରକୁ ଥର ଏଭଳି ସମସ୍ୟା ଦେଖା ଦେଉଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୨୦୧୬ରେ ଝରଣା ସାହିରେ ୫୦ରୁ ଅଧିକ ଲୋକ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିଲେ। ଯାହାକୁ ନେଇ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଥିଲା। ସେତେବେଳେ ସ୍ୱାସ୍ଥ୍ୟ ବିଭାଗ ଓ ଜନସ୍ୱାସ୍ଥ୍ୟ ପରସ୍ପରକୁ ଦୋଷ ଲଦାଲଦି ହୋଇଥିଲେ। ତେବେ ପାଣି ଯୋଗୁଁ ଜଣ୍ଡିସ୍‌ ବ୍ୟାପିଥିବା ଶେଷ ଯାଏ ସ୍ପଷ୍ଟ ହୋଇପାରି ନ ଥିଲା।

ସମ୍ବନ୍ଧିତ ଖବର