ଭୁବନେଶ୍ବର: ସାହିତ୍ୟ ଜନଗଣଙ୍କ ସମସ୍ୟାର କଥା କହୁ ବୋଲି ନାଟ୍ୟକାର ଓ କବି ଯଦୁମଣି କାନୁନ୍ଗୋଙ୍କ ଗୀତ ଓ ଶିଶୁ ଗୀତିନାଟ୍ୟ ସଂକଳନର ଉନ୍ମୋଚନ ଅବସରରେ କହିଛନ୍ତି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ‘ଜନକବି ଯଦୁମଣି ଗୀତିମାଳା ଓ ଶିଶୁ ଗୀତିନାଟ୍ୟ’ ଶୀର୍ଷକ ଉକ୍ତ ପୁସ୍ତକର ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଆହୁରି କହିଲେ, ଲେଖକଙ୍କ ସହିତ ତାଙ୍କର ବ୍ୟକ୍ତିଗତ ପରିଚୟ ଥିଲା ଓ ତାଙ୍କ ନାଟକଗୁଡ଼ିକରେ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ଭରପୂର ବାର୍ତା ଥିଲା। ସଭାରେ ଅଧ୍ୟକ୍ଷତା କରି ଡ. ଗୋବିନ୍ଦ ଭୂୟାଁ କହିଥିଲେ, ଯଦୁମଣିଙ୍କ କବିତା ଓ ନାଟକ ଜନଗଣଙ୍କ ପ୍ରାଣକୁ ସ୍ପର୍ଶ କରୁଥିଲା। ଗାନ୍ଧିଜୀଙ୍କ ଉପରେ ଲିଖିତ ତାଙ୍କର ‘ମହାମାନବ ଚମ୍ପୁ’ ଗ୍ରନ୍ଥଟି ଓଡ଼ିଆ କାବ୍ୟଧାରାରେ ଏକ ଅମୂଲ୍ୟ କୃତି। ସମ୍ମାନିତ ଅତିଥି ଅଧ୍ୟାପକ ଗୌରହରି ମହାନ୍ତି କହିଲେ, ଛାତ୍ର ଜୀବନରେ ସେ ଭଦ୍ରଖ ଅଞ୍ଚଳରେ ନଗସପୁର ଯାତ୍ରାଦଳ ଦ୍ବାରା ପରିବେଷିତ ଯଦୁମଣିଙ୍କର ଅନେକ ନାଟକ ଦେଖିଥିଲେ ଓ ସେଥିରେ ଥିବା ସାମାଜିକ ବାର୍ତା ତାଙ୍କୁ ସବୁବେଳେ ମୁଗ୍ଧ କରୁଥିଲା।
ଲେଖକଙ୍କ ପୁତୁରା ତଥା ଉନ୍ମୋଚିତ ପୁସ୍ତକର ପ୍ରକାଶକ ପ୍ରଫୁଲ୍ଲ କାନୁନ୍ଗୋ ପ୍ରାରମ୍ଭିକ ସୂଚନାରେ ଯଦୁମଣିଙ୍କ ଜୀବନ ଓ ଲେଖା ସଂପର୍କରେ କହିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଇଂ. ଆକାଶ ଭୂୟାଁ ଓ ରାଜେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଜନକବି ଯଦୁମଣି ସ୍ମୃତି ପ୍ରତିଷ୍ଠାନ, ନଗସପୁର, ଚାରିରକବା, କଟକଙ୍କ ଦ୍ବାରା ପ୍ରକାଶିତ ‘ଜନକବି ଯଦୁମଣି ଗୀତିମାଳା ଓ ଶିଶୁ ଗୀତିନାଟ୍ୟ’ର ମୂଲ୍ୟ ରହିଛି ୧୪୦ ଟଙ୍କା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/sfhfhfhffff.jpg)