ସାମାଜିକ ଦୂରତା ରଖି ଶ୍ରୀଲିଙ୍ଗରାଜ ମନ୍ଦିରରେ ହେବ ଜନ୍ମାଷ୍ଟମୀ, ମଠରେ ନିରାଡ଼ମ୍ବରରେ ହେବ ନନ୍ଦୋତ୍ସବ

ପୁରୁଣା ଭୁବନେଶ୍ୱର: ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ କରାଯାଏ। ଶ୍ରୀଲିଙ୍ଗରାଜ ମନ୍ଦିରରେ ଆସନ୍ତା ମଙ୍ଗଳବାର ଏହା ପାଳିତ ‌ହେବ। ମଧ୍ୟ ରାତିରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କର ନାଭି କଟା ହେବ। ପରମ୍ପରା ଅନୁଯାୟୀ ଦୁଇ ଜଣ ସେବାୟତ ଉଗ୍ରସେନ ଓ ବାସୁଦେବ ହୋଇ ବ୍ରାହ୍ମଣ ସାହିରୁ ଆସିବେ। ଏହି ସମୟରେ ମନ୍ଦିରରେ ସନ୍ଧ୍ୟା ଧୂପ, ନୀତି ପୂଜା ଓ ଆଳତି ସମାପନ ହେବ। ପରେ ଦକ୍ଷିଣୀ ଗୃହରୁ ଶ୍ରୀକୃଷ୍ଣଙ୍କ ପ୍ରତିମାକୁ ଅଣାଯାଇ ଜନ୍ମାଷ୍ଟମୀ ନୀତି କରାଯିବ। ତେବେ ଚଳିତ ବର୍ଷ ସାମାଜିକ ଦୂରତା ରଖି ଏହି ନୀତି ସମାପନ କରାଯିବ। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ କୁହନ୍ତି, ଶ୍ରୀଲିଙ୍ଗରାଜ ମନ୍ଦିରରେ ପରମ୍ପରା ବଜାୟ ରଖାଯିବ। କରୋନା ପାଇଁ ସାମଜିକ ଦୂରତା ରଖି ମାସ୍କ ବ୍ୟବହାର କରାଯାଇ ଏହି ନୀତି କରାଯିବ।

ଏକାମ୍ର କ୍ଷେତ୍ରରେ ବିଭିନ୍ନ ମଠରେ ଶ୍ରୀକୃଷ୍ଣଙ୍କ ନନ୍ଦୋତ୍ସବ ଓ ଜନ୍ମାଷ୍ଟମୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। କାଠିଆ ମଠ, ରାଧାକୃଷ୍ଣ ମଠ, ରାଧା ବଲ୍ଲଭ ମଠ, ଗୌଡ଼ିୟ ମଠ, ଶ୍ୟାମା ଶଙ୍କର ମଠ ଆଦିରେ ମଙ୍ଗଳବାର ନାଭି କଟା ପରମ୍ପରା କରାଯାଇ କୃଷ୍ଣଙ୍କ ଜନ୍ମୋତ୍ସବ ପାଳନ ହେବ। ଏହା ପରଦିନ ନନ୍ଦୋତ୍ସବ ନିରାଡ଼ମ୍ବର ଭାବେ କରାଯିବ। ପୂର୍ବ ବର୍ଷ ମାନଙ୍କରେ ଏହି ଉତ୍ସବ ଦେଖିବାକୁ ଶତାଧିକ ଭକ୍ତଙ୍କ ସମାଗମ ହୁଏ। ସନ୍ଧ୍ୟାରେ ମଠରେ ପ୍ରସାଦ ସେବନ ମଧ୍ୟ କରାଯାଏ। ଏବେ କାମ ଚଳା ନନ୍ଦୋତ୍ସବ କରାଯିବ ବୋଲି ମଠର ମହନ୍ତ କୁହନ୍ତି। ଶ୍ୟାମାଶଙ୍କର ମଠ ମହନ୍ତ ଅରୁଣ ଗାଙ୍ଗୁଲି କୁହନ୍ତି ଚଳିତ ବର୍ଷ କରୋନା ଯୋଗୁଁ ନନ୍ଦୋତ୍ସବ ଉପରେ ପ୍ରଭାବ ପଡ଼ିଛି। ସନ୍ଧ୍ୟାରେ ପ୍ରସାଦ ଓ ଖିରୀ ପିଠା ଭୋଗ ଭକ୍ତମାନଙ୍କ ପାଇଁ ହୁଏ। ତେବେ ଚଳିତ ବର୍ଷ କେବଳ ନୂଆ ବସ୍ତ୍ର, ସକାଳେ ମାଖନ ମିଶ୍ରି ଭୋଗ ଲାଗି କରାଯିବ। ନନ୍ଦୋତ୍ସବ ଦିନ ଝୁଲଣ କରାଯିବା ସହ ଆଳତି ନାମ ସଂକୀର୍ତନ କରାଯାଇ ଝୁଲଣ କରାଯିବ। ଭକ୍ତଙ୍କୁ ଆସିବା ଲାଗି ବାରଣ ରହିଛି। ସେହିପରି କାଠିଆ ମଠ, ରାଧାକୃଷ୍ଣ ମଠ, ରାଧା ବଲ୍ଲଭ ମଠ, ଗୌଡ଼ିୟ ମଠରେ ସମାନ ଅବସ୍ଥା। କେବଳ ମଠ ଭିତରେ ଠାକୁରଙ୍କର ନିରାଡ଼ମ୍ବର ଭାବେ ନନ୍ଦୋତ୍ସବ ଆୟୋଜନ କରାଯାଇଛି। ସେଠାରେ ମଧ୍ୟ ଭକ୍ତ ଆସିବା ବାରଣ ରହିଛି। ଚଳିତ ବର୍ଷ କରୋନା ଯୋଗୁଁ ଠାକୁରଙ୍କ ଏହି ଅପୂର୍ବ ଲୀଳା ଦେଖିବାରୁ ଭକ୍ତ ବଞ୍ଚିତ ରହିବେ।

ସମ୍ବନ୍ଧିତ ଖବର