କହ୍ନେଇ ପ୍ରେମରେ ବିଭୋର

ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଜନ୍ମାଷ୍ଟମୀ

ଭୁବନେଶ୍ୱର: କୃଷ୍ଣ ପ୍ରେମରେ ଭିଜିଥିଲା ସାରା ସହର। ଦିନସାରା ଉପବାସ ରହିବା ପରେ କଳା କହ୍ନେଇଙ୍କୁ ଦର୍ଶନ କରିବାକୁ ବ୍ୟାକୁଳ ଶ୍ରଦ୍ଧାଳୁ ମନ୍ଦିର ଆଗରେ ଲମ୍ବା ଲାଇନ୍‌ ଲଗାଇଥିଲେ। ଦିନସାରା ଭଜନ କୀର୍ତନ ପରେ ରାତି ୧୨ଟାରେ କହ୍ନେଇଙ୍କ ଜନ୍ମ ଲୀଳାକୁ ପ୍ରତ୍ୟକ୍ଷ କରିବା ପାଇଁ ଶହଶହ ଶ୍ରଦ୍ଧାଳୁ ଚାହିଁ ରହିଥିଲେ। ବାହାରେ ବର୍ଷା ଏବଂ ମନ୍ଦିରରେ କୃଷ୍ଣ ରସରେ ଭିଜିଥିଲେ ଶ୍ରଦ୍ଧାଳୁ। ପ୍ରଭୁଙ୍କ ଜନ୍ମ ଦିବସ ପାଳିବା ପାଇଁ ସଜେଇ ହୋଇଥିଲା ମଠ ଆଉ ମନ୍ଦିର। ଲିଙ୍ଗରାଜ ମନ୍ଦିର, ଇସ୍କନ, ରାମମନ୍ଦିର, ବାୟାବାବା ମଠ, ଏକାମ୍ର ସତ୍ୟ ସେବାଶ୍ରମ, ନୟାପଲ୍ଲୀ ରାଧାମୋହନ ମନ୍ଦିର, ବରମୁଣ୍ଡା ଗ୍ରାମସ୍ଥିତ ଗୋପାଳଜୀଉ ମନ୍ଦିର ଆଦିରେ ଆଜି ବ୍ୟାପକ ବ୍ୟବସ୍ଥା ହୋଇଥିଲା। ବହୁ ଭକ୍ତ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପସ୍ଥିତ ରହି ପ୍ରଭୁଙ୍କୁ ନୂଆ ବସ୍ତ୍ର ଓ ସୁସଜ୍ଜିତ ବେଶରେ ଦର୍ଶନ କରି ଉପବାସ ଭାଙ୍ଗିଥିଲେ। କିଛି ସ୍ଥାନରେ ବସୁଦେବ କୃଷ୍ଣଙ୍କୁ ମୁଣ୍ଡାଇ ଗୋପପୁରକୁ ଯିବାର ପ୍ରତୀକାତ୍ମକ ବୃତ୍ତାନ୍ତ ଦେଖିବାକୁ ମିଳିଥିଲା। ଗୃହୀ ମତରେ ଆଜି ଜନ୍ମାଷ୍ଟମୀ ଅନେକ ସ୍ଥାନରେ ପାଳିତ ହୋଇଥିବା ବେଳେ ଇସ୍କନ୍‌ ଓ ବାୟାବାବା ମଠରେ ଆସନ୍ତାକାଲି ମହାଭିଷେକ ପାଳିତ ହେବ। ଆସନ୍ତାକାଲି ସାମାଜିକ ମତେ ଏବଂ ପଅରଦିନ ବୈଷ୍ଣବ ମତେ ନନ୍ଦ ଉତ୍ସବ ପାଳନ କରାଯିବ।

ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଜନ୍ମାଷ୍ଟମୀ, ମଧ୍ୟ ରାତିରେ ହେଲା ନାହି କଟା
ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଏଥିପାଇଁ ଆଜି ମଧ୍ୟରାତିରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ନାହି କଟା ହୋଇଥିଲା। ପରମ୍ପରା ଅନୁଯାୟୀ ଦୁଇଜଣ ସେବାୟତ ଉଗ୍ରସେନ ଓ ବସୁଦେବ ହୋଇ ଆସଥିଲେ। ଏହି ସମୟରେ ମନ୍ଦିରରେ ସନ୍ଧ୍ୟା ଧୂପ, ନୀତି ପୂଜା ଓ ଆଳତୀ ହୋଇଥିଲା। ପରେ ଦକ୍ଷିଣୀ ଗୃହରୁ ଶ୍ରୀକୃଷ୍ଣ ପ୍ରତିମାକୁ ଅଣାଯାଇ ଜନ୍ମାଷ୍ଟମୀ ନୀତି କରାଯାଇଥିଲା। ଶ୍ରୀକୃଷ୍ଣଙ୍କୁ ପିତ୍ତଳ ପାତ୍ରରେ ଶୁଆଇ ମନ୍ଦିରକୁ ସମ୍ପୂର୍ଣ୍ଣ ଅନ୍ଧାର କରାଯାଇ ପଞ୍ଚ ଉପଚାରରେ ପୂଜା ଓ ଆଳତୀ କରାଯାଇଥିଲା। ପରେ ଶ୍ରୀକୃଷ୍ଣଙ୍କୁ ମନ୍ଦିର ପରିସରରେ ଥିବା କ୍ଷୁଦ୍ର ଗଙ୍ଗା ଯମୁନା ପୋଖରୀ ପାର କରାଯାଇଥିଲା। ସେଠାରୁ ତାଙ୍କୁ ନାହିକଟା ମଣ୍ଡପକୁ ନିଆଯାଇଥିଲା। ମହାପ୍ରଭୁଙ୍କୁ ଖଟୁଲିିରେ ବସାଯାଇ ନାହି କଟାଯିବା ସହ ପାନରେ ସେକ ଦିଆଯାଇଥିଲା। ପରେ ପଞ୍ଚାମୃତରେ ପୂଜାପଣ୍ଡା ସ୍ନାନ କରାଯାଇ ନୂତନ ବସ୍ତ୍ର ପିନ୍ଧାଇଥିଲେ। ଷୋଡ଼ଶ ଉପଚାରରେ ପୂଜା ଓ ଆଳତୀ ହେବା ପରେ ପ୍ରଭୁଙ୍କୁ ଦକ୍ଷିଣୀ ଗୃହକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର