କୃଷ୍ଣମୟ ରାଜଧାନୀ; ମନ୍ଦିର, ମଠ ଓ ଘରେ ଘରେ ଜନ୍ମାଷ୍ଟମୀ

ଭୁବନେଶ୍ବର : ଗୁରୁବାର ଦିନ ପବିତ୍ର ଜନ୍ମା‌ଷ୍ଟମୀ ଅବସରରେ କୃଷ୍ଣମୟ ହୋଇଉଠିଥିଲା ରାଜଧାନୀ। ମନ୍ଦିର, ମଠ, ଶିକ୍ଷାନୁଷ୍ଠାନ ଓ ଘରେ ଘରେ ପାଳିତ ହୋଇଥିଲା ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ମନ୍ଦିର ଓ ମଠମାନଙ୍କରେ ଦିନସାରା ଲାଗିରହିଥିଲା ଭଜନ, କୀର୍ତ୍ତନ ଓ ପୂଜାର୍ଚ୍ଚନା। ସବୁଠି ଅନୁଭୂତ ହୋଇଥିଲା ଆଧ୍ୟାତ୍ମିକ ପରିବେଶ। ବ୍ରତଧାରୀମାନେ ଦିନତମାମ୍ ଉପବାସ କରି ରାତିରେ କୃଷ୍ଣଙ୍କ ଜନ୍ମ ପରେ ବ୍ରତ ଭାଙ୍ଗିଥିଲେ।

ଗୁରୁବାର ସକାଳୁ ସକାଳୁ ରାଜଧାନୀ ହୋଇପଡ଼ିଥିଲା ଉତ୍ସବ ମୁଖର। ବ୍ରତଧାରୀମାନେ ପୂଜାର୍ଚ୍ଚନା ପାଇଁ ମନ୍ଦିର ମୁହାଁ ହୋଇଥିଲେ। କୁନି କୁନି ପିଲାମାନେ ରାଧା ଓ କୃଷ୍ଣ ବେଶରେ ମନ୍ଦିର ଯାଉଥିବା ଦେଖିବାକୁ ମିଳିଥିଲା। ମନ୍ଦିର ଓ ମଠଗୁଡ଼ିକରେ ଶ୍ରୀକୃଷ୍ଣ ଜନ୍ମ ଉତ୍ସବକୁ ନେଇ ବ୍ୟାପକ ପ୍ରସ୍ତୁତି ହୋଇଥିଲା। ଭଜନ, କୀର୍ତ୍ତନ, ପୂଜାପାଠ ଓ ହୋମଯଜ୍ଞ ଚାଲିଥିଲା। ମନ୍ଦିର ଓ ମଠ ସବୁକୁ ବାଦ୍‌ ଦେଲେ, ସହରର ବିଭିନ୍ନ ଆବାସିକ କଲୋନି ଓ ଘରେ ଘରେ ଗୁରୁଣ୍ଡି ଗୋପାଳଙ୍କ ମୂର୍ତି ସ୍ଥାପନା କରି ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା। ମହାମାରୀ କରୋନା ପାଇଁ ଦୁଇ ବର୍ଷ ପରେ ବିନା କଟକଣାରେ ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳିତ ହେଉଥିବାରୁ ଆଜି ସବୁ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ଗୁରୁବାର ଦିନ ଇସ୍କନ ମନ୍ଦିରରେ ଏହି ଉତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ଇସ୍କନରେ ୫୬ତମ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଭିଡ଼କୁ ଲକ୍ଷ୍ୟ କରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ମନ୍ଦିରକୁ ବିଭିନ୍ନ ଫୁଲ ସାଙ୍ଗକୁ ଆଲୋକମାଳାରେ ସଜାଯାଇଥିଲା। ବିଧି ମୁତାବକ ସୋମବାର ସକାଳ ସାଢ଼େ ୭ଟାରେ ଦର୍ଶନ ଆଳତି କରାଯିବା ପରେ ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଗୁରୁପୂଜା ସହ ଠାକୁରଙ୍କ ରୀତିନୀତି ଆରମ୍ଭ ହୋଇଥିଲା। ସକାଳୁ ରାତି ସାଢ଼େ ୧୦ଟା ଯାଏ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ଚାଲିଥିଲା। ମନ୍ଦିର ପରିସରରେ କୃଷ୍ଣ ବେଶ ଓ କୃଷ୍ଣ ଚିତ୍ର ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସନ୍ଧ୍ୟା ସାଢ଼େ ୬ଟାରେ ସନ୍ଧ୍ୟା ଆରତି କରାଯାଇଥିଲା। ସନ୍ଧ୍ୟା ଆରତି ପରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ସମ୍ପର୍କରେ ପ୍ରବଚନ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା। ମଧ୍ୟରାତ୍ରିରେ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ମହାଆରତି ରାତି ୧ଟାରେ ହୋଇଥିଲା। ଆସନ୍ତାକାଲି ଗୁରୁପୂଜା ପରଠାରୁ ଦର୍ଶନ ଆରତି ଭଜନ କୀର୍ତ୍ତନ ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏବଂ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଆସନ୍ତା ୨୦ ତାରିଖରେ ନନ୍ଦ ଉତ୍ସବ ପାଳନ କରାଯିବ ବୋଲି ରାଧାକାନ୍ତ ଦାଶ କହିଛନ୍ତି।

ସେହିଭଳି ଗୁରୁବାର ଭୋର୍‌ ୫ଟାରୁ ରାମ ମନ୍ଦିରରେ ଆରମ୍ଭ ହୋଇଯାଇଥିଲା ଖଚାଖଚ୍‌ ଭିଡ଼। ଶୃଙ୍ଗାର ଆଳତି, ଦର୍ଶନ ଭୋଗ, ଦେବ ପାଠ ଆଦି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ଦିନ ତମାମ ମନ୍ଦିର ଆଗରେ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗି ରହିଥିଲା। ସନ୍ଧ୍ୟା ଧୂପ ସରିବା ପରେ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା। ଜନ୍ମାଷ୍ଟମୀ ପାଇଁ ନଡ଼ିଆ କଦଳୀ, ଗୁଜୁରାତି, ଭଜା ଧନିଆ ଗୁଣ୍ଡ ଓ ଚିନି ଆଦିରେ ପ୍ରସ୍ତୁତ ‘ପଞ୍ଜୁରୀ ଭୋଗ’ ଭକ୍ତଙ୍କୁ ବଣ୍ଟା ଯାଇଥିଲା। ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ମନ୍ଦିର ପରିସରରେ ପ୍ରବଚନ ଓ କୀର୍ତ୍ତନ ଆଦି ଚାଲିଥିଲା। ସେହିପରି ବାୟାବାବା ମଠ, ୟୁନିଟ୍‌-୪ ଦୁଗ୍ଧ ଉତ୍ପାଦନକାରୀ ସଂଘ , ନୂଆପଲ୍ଲୀ ବେହେରାସାହି, ସାଲିଆସାହି ଓ ବିଭିନ୍ନ ସ୍କୁଲରେ ଶ୍ରୀକୃଷ୍ଣ ଜନ୍ମ ଅବସରରେ କୌତୁକବେଶ ପ୍ରତିଯୋଗିତା ସହ ଜନ୍ମାଷ୍ଟମୀ ଉତ୍ସବ ପାଳନ ହୋଇଥିଲା।

ସମ୍ବନ୍ଧିତ ଖବର