୩ ବେଳା ଅଳିଆ ଉଠାଇବ ‘ଜନପଥ ଏକ୍ସପ୍ରେସ୍‌’

ଜନପଥରେ ୨୩୪ ବଲ୍କ ଜେନେରେଟର

ଭୁବନେଶ୍ବର: ଜନପଥରେ ଛୋଟ ବଡ଼ ୮୭୬ ପ୍ରତିଷ୍ଠାନରୁ ଦିନକୁ ବାହାରୁଛି ୨୩ କୁଇଣ୍ଟାଲ ୯୪୭ କେଜି ଅଳିଆ। ଏଥିରେ ଅଛନ୍ତି ୨୩୪ ବଲ୍କ ଜେନେରେଟର। ଏହି ‘ବଲ୍କ ଜେନେରେଟର’ମାନେ ଦିନକୁ ୧୭ କୁଇଣ୍ଟାଲ ୧୭୩ କେଜି ଅଳିଆ ସୃଷ୍ଟି କରୁଛନ୍ତି। ବାକି ୬୪୨ ବ୍ୟବସାୟୀଙ୍କ ପାଖରୁ ୬ କୁଇଣ୍ଟାଲ ୭୭୪ କେଜି ଆବର୍ଜନା ବାହାରୁଛି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌‌ସିଏଲ୍‌) କରିଥିବା ସର୍ଭେରୁ ଏହି ତଥ୍ୟ ମିଳିଛି। ଆସନ୍ତାକାଲିଠାରୁ ଏହି ଜନପଥରେ ଅଳିଆ ଉଠା ଗାଡ଼ି ‘ଜନପଥ ଏକ୍ସପ୍ରେସ୍‌’ର ଟ୍ରାଏଲ୍‌ ରନ୍‌ ହେବ। ଏହି ଗାଡ଼ି ଦିନକୁ ତିନିଥର ଜନପଥରୁ ଆବର୍ଜନା ଉଠାଇବ। ଆଜି ଏହି ବ୍ୟବସାୟୀମାନଙ୍କୁ ବିଏସ୍‌ସିଏଲ୍‌ ପ୍ରଶିକ୍ଷଣ ପ୍ରଦାନ କରିଛି। କେଉଁ ସମୟରେ ଗାଡ଼ି ଆସିବ ଓ ସେମାନେ କିଭଳି ବାହାରେ ନ ପକାଇ ଗାଡ଼ିରେ ହିଁ ଆବର୍ଜନା ଦେବେ ସେ ନେଇ ସୂଚନା ଦିଆଯାଇଛି। ମାଗଣା ଟ୍ରା‌ଏଲ୍‌ ରନ୍‌ ସରିବା ପରେ ଦେୟ ଧାର୍ଯ୍ୟ ହେବ ବୋଲି ଜଣାପଡ଼ିଛି।

 ଆଜିଠାରୁ ‘ଟ୍ରାଏଲ୍‌ ରନ୍‌’
ଏପର୍ଯ୍ୟନ୍ତ କିଏ ବୋହୁଥିଲା?

ହକି ପାଇଁ ସହରକୁ ସ୍ବଚ୍ଛ ରଖିବାକୁ ସ୍ବତନ୍ତ୍ର ଟିମ୍‌ ଗଠନ ହେବା ସହ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜନପଥକୁ ଏକ ଆଦର୍ଶ ରାସ୍ତା ଭାବରେ ନିଆଯାଇ ଏହାକୁ ୨୪ ଘଣ୍ଟା ସଫା ରଖିବାକୁ ଯୋଜନା ହୋଇଛି। ଏହାର ପରିମଳ ଦାୟିତ୍ବ ବିଏସ୍‌ସିଏଲ୍‌କୁ ଦିଆଯାଇଛି। ଏହାର ପ୍ରଥମ ପଦକ୍ଷେପ ଭାବରେ ଜନପଥ ଭାବରେ ଚିହ୍ନିତ ବାଣୀବିହାରରୁ ଶିଶୁଭବନ ପର୍ଯ୍ୟନ୍ତ କେ‌ତେ ବ୍ୟବସାୟୀ ଅଛନ୍ତି ଓ କେତେ ଆବର୍ଜନା ସୃଷ୍ଟି କରୁଛନ୍ତି ତାହା ଜାଣିବା ପାଇଁ ବିଏସ୍‌ସିଏଲ୍‌ ସର୍ବେକ୍ଷଣ କରିଥିଲା। ଦିନକୁ ୧ରୁ ୧୦ କେଜି, ୧୧ରୁ ୨୫ କେଜି ଓ ୩୦ କେଜିରୁ ଅଧିକ ଶ୍ରେଣୀକୁ ନେଇ ହୋଇଥିବା ସର୍ବେକ୍ଷଣରେ ଏହି ବଲ୍କ ଜେନେରେଟରଙ୍କ ତଥ୍ୟ ହାସଲ କରାଯାଇଛି।
ବାଣୀବିହାରରୁ ମହର୍ଷି କଲେଜ୍‌ ଛକ ପର୍ଯ୍ୟନ୍ତ ରାସ୍ତାରେ ୯୪ ବ୍ୟବସାୟୀ ଥିବା ବେଳେ ଦିନକୁ ୩୦ କେଜିରୁ ଅଧିକ ଆବର୍ଜନା ସୃଷ୍ଟି କରୁଥିବା ବା ବଲ୍କ ଜେନେରେଟରଙ୍କ ସଂଖ୍ୟା ୫୦ ଓ ଏମାନଙ୍କ ପାଖରୁ ୩୭୧୯ କେଜି ଆବର୍ଜନା ବାହାରୁଛି। ଠିକ୍‌ ସେହିଭଳି ମହର୍ଷି କଲେଜ ଛକରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ଏହି ଶ୍ରେଣୀର ବ୍ୟବସାୟୀଙ୍କ ସଂଖ୍ୟା ୬୯ ଓ ଆବର୍ଜନା ପରିମାଣ ୪୩୯୦ କେଜି, ଶ୍ରୀୟା ଛକରୁ ମାଷ୍ଟର କ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ ଏମାନଙ୍କ ସଂଖ୍ୟା ୩୨ ଓ ଆବର୍ଜନା ପରିମାଣ ୩୧୧୪, ମାଷ୍ଟରକ୍ୟାଣ୍ଟିନ୍‌ରୁ ରାଜମହଲ ପର୍ଯ୍ୟନ୍ତ ଏମାନଙ୍କ ସଂଖ୍ୟା ୬୪ ଓ ଆବର୍ଜନା ପରିମାଣ ୪୬୩୦ ଏବଂ ରାଜମହଲରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ଏମାନଙ୍କ ସଂଖ୍ୟା ୧୯ ଓ ଆବର୍ଜନା ପରିମାଣ ୧୩୨୦ କେଜି ରେକର୍ଡ କରାଯାଇଛି।

ଏହି ତଥ୍ୟ ହାସଲ ହେବା ପରେ ଏବେ ପ୍ରଶ୍ନ ଉଠିଛି କି ଏତେ ପରିମାଣର ଅଳିଆ କୁଆଡ଼େ ଯାଉଥିଲା? ନିଜ ଆବର୍ଜନା ନିଜେ ପରିଚାଳନା କରିବାକୁ ବଲ୍କ ଜେନେରେଟରମାନଙ୍କୁ ନିର୍ଦ୍ଦେଶ ଥିଲେ ମଧ୍ୟ ସେମାନେ ନ କରି ବିଏମ୍‌ସି ଜରିଆରେ ଆବର୍ଜନା ଫିଙ୍ଗି ଦେଉଥିଲେ। କେତେକ ମୋଟା ଅଙ୍କର ହାତଗୁଞ୍ଜା ଦେଇ ଏଭଳି କାମ କରୁଥିଲେ। ସେପଟେ ଟିଟିଏସ୍‌କୁ ଏ ସବୁ ଯିବା ବେଳେ ଓଜନ ଅନୁସାରେ ଏଜେନ୍‌ସି ପଇସା ପାଉଥିଲା। ଏଭଳି ଉଭୟପଟୁ ବିଏମ୍‌ସି କ୍ଷତି ସହୁଥିଲା। ସେହିଭଳି ରାତି ଅଧରେ କେହି କେହି ରାସ୍ତା କଡ଼ରେ ଗଦା କରୁଥିଲେ। ଏବେ ତଥ୍ୟ ହାସଲ ହେବା ପରେ ବ୍ୟବସାୟୀ ଓ ବିଏମ୍‌ସିର କେତେକ ଅଧିକାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ଏହି ବଲ୍କ ଜେନେରେଟରମାନେ ଆଉ ଖସି ପାରିବେ ନାହିଁ। ଏବେ ଟ୍ରାଏଲ୍‌ ରନ୍‌ ପରେ ଦେୟ ଧାର୍ଯ୍ୟ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର