ଜନତା କର୍ଫ୍ୟୁ ପାଇଁ ବିସ୍କୁଟ୍‌ ଓ ପାଣିରେ ଦିନ କଟିଲା

ଭୁବନେଶ୍ବର: ଜନତା କର୍ଫ୍ୟୁ ପାଇଁ ରବିବାର ରାଜଧାନୀର ବିଭିନ୍ନ ହସ୍ପିଟାଲରେ ରୋଗୀ ସମ୍ପର୍କୀୟମାନଙ୍କୁ ଭୋକ ଉପାସରେ ରହିବାକୁ ପଡ଼ିଛି। ଆହାର କେନ୍ଦ୍ର ଓ ହସ୍ପିଟାଲ ନିକଟସ୍ଥ ବଜାର ବନ୍ଦ ହୋଇଯିବାରୁ ରୋଗୀ ସମ୍ପର୍କୀୟମାନେ ଖାଇବା ପାଇଁ ନାହିଁ ନଥିବା ସମସ୍ୟାରେ ପଡ଼ିଛନ୍ତି। କିଛି ସ୍ଥାନରେ ସେମାନେ ଛୋଟ ଦୋକାନମାନଙ୍କରୁ ବିସ୍କୁଟ୍‌ ଓ ପାଣି କିଣି ସେଥିରେ ଅଧା ପେଟରେ ଦିନ କାଟିଛନ୍ତି। ଭୁବନେଶ୍ବର ଏମ୍‌ସ ପାଖ ବଜାର ବନ୍ଦ ହୋଇଯାଇଥିଲା। ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ କ୍ୟାଣ୍ଟିନ୍‌ ମଧ୍ୟ ବନ୍ଦ ଥିଲା। ବାହାରେ ଥିବା ଦୁଇଟିଯାକ ଆହାର କେନ୍ଦ୍ର ଖୋଲା ନଥିଲା। ତେଣୁ ଏମ୍‌ସରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କ ସମ୍ପର୍କୀୟମାନଙ୍କୁ ଆଜି କିଛି ଖାଇବାକୁ ମିଳିନଥିଲା। ଫଳରେ କିଛି ଲୋକ ନିକଟସ୍ଥ ଗାଁ ଭିତରକୁ ଯିବାକୁ ବାଧ୍ୟ ହୋଇଥିଲେ ଓ ଗାଁ ଭିତରେ ଥିବା ଛୋଟ ଦୋକାନ ଗୁଡ଼ିକରୁ ବିସ୍କୁଟ୍‌ ଓ ପାଣି କିଣିଥିଲେ। ମାତ୍ର କରୋନା ଆକ୍ରାନ୍ତଙ୍କୁ ନେଇ ସୃଷ୍ଟି ହୋଇଥିବା ହଇଚଇ କାରଣରୁ କେତେକ ଗାଁର ଲୋକେ ଏହି ବାହାର ଲୋକଙ୍କୁ ଗାଁକୁ ପଶିବାକୁ ମନା କରିଥିଲେ। କିନ୍ତୁ ସେମାନଙ୍କ କାକୁତିମିନତି ପରେ ଦୋକାନକୁ ଯିବା ପାଇଁ ଅନୁମତି ଦେଇଥିଲେ ବି ସେମାନଙ୍କୁ ଅଛୁଆଁଙ୍କ ଭଳି ବ୍ୟବହାର ପ୍ରଦର୍ଶନ କରିଥିଲେ। ଦୋକାନ ସଂଖ୍ୟା ନଗଣ୍ୟ ଥିବାରୁ ଦି’ପହର ସୁଦ୍ଧା ବିସ୍କୁଟ୍‌ ସରିଯାଇଥିଲା। ଫଳରେ ସେମାନେ ପାଞ୍ଚ ଟଙ୍କିଆ ବିସ୍କୁଟ୍‌ ପ୍ୟାକେଟ୍‌କୁ ଅଧା ଅଧା କରି ବାଣ୍ଟି ଖାଇବା ଦେଖିବାକୁ ମିଳିଥିଲା। ସନ୍ଧ୍ୟାବେଳେ ମଧ୍ୟ ଅନୁରୂପ ଅବସ୍ଥା ସୃଷ୍ଟି ହୋଇଥିଲା। ଲୋକେ ଚା’ ପିଇବା ପାଇଁ ବଡ଼ ବ୍ୟାକୁଳ ହେଉଥିଲେ ବି ମିଳିନଥିଲା। ସମାନ ଅବସ୍ଥା ଦେଖିବାକୁ ମିଳିଥିଲା ସମ୍ ହସ୍ପିଟାଲ ନିକଟରେ। ଶ୍ୟାମପୁର ବଜାର ବନ୍ଦ ରହିଥିବାବେଳେ ସେଠାରେ ଥିବା ଆହାର କେନ୍ଦ୍ର ଖୋଲା ନଥିଲା। ତେଣୁ ଲୋକେ ଖାଇବା ଯୋଗାଡ଼ ପାଇଁ ଡହଳବିକଳ ହୋଇଥିଲେ। ୨୯ ତାରିଖ ପର୍ଯ୍ୟନ୍ତ ତାଲା ବନ୍ଦ ଚାଲିବ। ଯଦି ଏଭଳି ଅବସ୍ଥା ଲାଗି ରହେ, ତେବେ ହସ୍ପିଟାଲକୁ ଆସିଥିବା ରୋଗୀମାନଙ୍କ ସମ୍ପର୍କୀୟମାନଙ୍କ ଅବସ୍ଥା ସଂଗିନ୍ ହୋଇପଡ଼ିବ। ତେଣୁ ପ୍ରଶାସନ ଏହି ଦିଗକୁ ଦୃଷ୍ଟିରେ ରଖି ବ୍ୟବସ୍ଥା ଗ୍ରହଣ କରୁ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।

ଉଲ୍ଲେଖଯୋଗ୍ୟ ଯେ ଗତ ଦୁଇ ଦିନ ଭିତରେ ଭୁବନେଶ୍ବର ଏମ୍‌ସକୁ ଆସିଥିବା ବହୁ ରୋଗୀ ଚାଲିଗଲେଣି। ଦୂରଦୂରାନ୍ତରୁ ଆସିଥିବା ଯେଉଁମାନେ ଆଡ୍‌ମିସନ୍ ପାଇଁ ଅପେକ୍ଷା କରି ସେଠାରେ ପଡ଼ି ରହିଥିଲେ, ଏବେ ଖାଇବା ପିଇବା ସମସ୍ୟା କାରଣରୁ ସେମାନେ ଛାଡ଼ି ପଳାଉଛନ୍ତି। ତେଣୁ ଏମ୍‌ସ ପ୍ରତୀକ୍ଷାଳୟ ଏବେ ଖାଁ ଖାଁ ଲାଗିଲାଣି।

ସମ୍ବନ୍ଧିତ ଖବର