ଉତ୍କଳ ବିଶ୍ବବିଦ୍ୟାଳୟରେ ଜାପାନୀ ଭାଷା ପ୍ରୋଜେକ୍ଟର ଆଲୋଚନାଚକ୍ର

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ଜାପାନୀ ଭାଷା ପ୍ରୋଜେକ୍ଟ ପକ୍ଷରୁ ଆଜି ଏକ ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମାନବ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ. କାହ୍ନୁଚରଣ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଆମ ଓଡ଼ିଶା ସମ୍ପାଦକ ସ୍ବରାଜ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାପାନରେ ସାଂସ୍କୃତିକ ଓ ସାମାଜିକ ଜୀବନଶୈଳୀ, ବୌଦ୍ଧିକ ବିଚାରବୋଧତାରେ କିଭଳି ଭାରତର ଛାପ ରହିଛି ତାହା ତାଙ୍କର ଜାପାନ ରହଣୀ ଅଭିଜ୍ଞତାରୁ ବର୍ଣ୍ଣନା କରିଥିଲେ।

ଜାପାନୀ ଭାଷାର ଅତିଥି ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ, ପ୍ରଫେସର ସତ୍ୟନାରାୟଣ ପାଲ୍‌ ଓ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଜାପାନୀ ଭାଷା ବିଭାଗ ପ୍ରଫେସର ନବୀନ କୁମାର ପଣ୍ଡା ଜାପାନୀ ଭାଷା ଶିକ୍ଷାର ଉପାଦେୟତା ବର୍ଣ୍ଣନା କରିଥିଲେ। ଜାପାନୀ ଭାଷା ପ୍ରସାରରେ ରହିଥିବା ଭୂମିକା ପାଇଁ ପ୍ରଫେସର ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପାଇଲଟ୍‌ ପ୍ରୋଜେକ୍ଟର ସଂଯୋଜକ ଡ. ପ୍ରସନ୍ନ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ରୀ ଅର୍ଚ୍ଚିତା ପାତ୍ର ଧନ୍ୟବାଦ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଉତ୍କଳ ବିଶ୍ବବିଦ୍ୟାଳୟରେ ଏହି ପାଇଲଟ୍‌ ପ୍ରୋଜେକ୍ଟ ୨୦୧୫ ମସିହାରୁ ଚାଲିଛି। ଏଠାରୁ ଶିକ୍ଷା ଲାଭ କରି ଏଯାବତ୍‌ ୮୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ଫାକଲ୍‌ଟିଙ୍କ ମଧ୍ୟରୁ ୪ ଜଣ ଜାପାନ ବୁଲିବାର ସୁଯୋଗ ପାଇଛନ୍ତି। ଏହା ସହିତ ଭାରତ-ଜାପାନ ସମ୍ପର୍କ ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି।

ସମ୍ବନ୍ଧିତ ଖବର