ବାଲିଅନ୍ତା: ଯଶୁଆପୁର ବିକାଶ ପରିଷଦ ଆନୁକୂଲ୍ୟରେ ଗତ ଦୁଇଦିନ ଧରି ଚାଲିଥିବା ଷଷ୍ଠ ଯଶୁଆପୁର ମହୋତ୍ସବ ଆଜି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସଂଧ୍ୟାରେ ଗାଁର କୁନି କୁନି ପିଲାମାନେ ଆଧୁନିକ ସଙ୍ଗୀତ, ନୃତ୍ୟ ଏବଂ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ସ୍ଥାନୀୟ ଭିଙ୍ଗାରପୁର ଜୟଦେବ ଗୋଟିପୁଅ ନୃତ୍ୟ ଅନୁଷ୍ଠାନର ଗୁରୁ ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ସଂଯୋଜିତ ଗୋଟିପୁଅ ନୃତ୍ୟ ଦଶର୍କଙ୍କୁ ବିମୋହିତ କରିଥିଲା। ଏହାପରେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳଙ୍କ ଦ୍ବାରା ପରିବେଷିତ ସଙ୍ଗୀତ ଉନ୍ମାଦନା ସୃଷ୍ଟି କରିଥିଲା।
ସ୍ଥାନୀୟ ଅଞ୍ଚଳର ବଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଅନୁଷ୍ଠାନରେ ଅଧ୍ୟୟନରତ କୁନି ଓଡ଼ିଶୀ ନୃତ୍ୟ ଶିଳ୍ପୀମାନଙ୍କ ଦ୍ବାରା ପରିବେଷିତ ଏକକ ଓଡ଼ିଶୀ ନୃତ୍ୟ ଦର୍ଶକମାନଙ୍କ କରତାଳି ସାଉଁଟିଥିଲା। ବିଶିଷ୍ଟ ସମାଜସେବୀ ତଥା ସିନେ ପ୍ରଯୋଜକ ସତ୍ୟପ୍ରିୟ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏ ଅଞ୍ଚଳର କଳା ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ବେଣୁଧର ଭୋଇ, ସରପଞ୍ଚ ରମାଲତା ନାୟକ, ଦୁର୍ଯ୍ୟୋଧନ ବେହେରା, ବ୍ଲକ ବିଜେଡି ସଭାପତି ପ୍ରିୟବ୍ରତ ପାତ୍ର, ସିଦ୍ଧେଶ୍ବର ମହାନ୍ତି, ପ୍ରଧାନ ଶିକ୍ଷକ ନାରାୟଣ ବେହେରା ଓ ଜୟକୃଷ୍ଣ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅଞ୍ଚଳର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରଞ୍ଜନ ମହାପାତ୍ର, ଦୀନବନ୍ଧୁ ଭୋଇ ଓ ନଳିନୀକାନ୍ତ ମହାପାତ୍ରଙ୍କ ସମେତ ଯଶୁଆପୁର ବିକାଶ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।