ଜଟଣୀ: ଗଣେଶ ପୂଜା ଆଉ ମାତ୍ର କିଛି ଦିନ ଥିବା ବେଳେ ପୂଜା ପ୍ରସ୍ତୁତିରେ ଜଟଣୀ ସହର ଚଳଚଞ୍ଚଳ ହୋଇଉଠିଛି। ବିଭିନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ସହରର ଛକ ଛକରେ ପୂଜା ସହ ମଣ୍ଡପରେ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିବାକୁ ବସିଲାଣି। ଗୋଟିଏ ପଟେ ମୂର୍ତ୍ତି ତିଆରିରେ ଶେଷ ସ୍ପର୍ଶ ଦେବାରେ କାରିଗରମାନେ ବ୍ୟସ୍ତ ଥିବାବେଳେ ଅନ୍ୟପଟେ ପୂଜାମଣ୍ଡପ ନିର୍ମାଣ ପାଇଁ କର୍ମକର୍ତ୍ତା ଲାଗି ପଡ଼ିଛନ୍ତି। ଜଟଣୀ ସହରରେ ଆୟୋଜିତ ହୋଇ ଆସୁଥିବା ପ୍ରସିଦ୍ଧ ଗଣେଶ ପୂଜାକୁ ନେଇ ବିଭିନ୍ନ ପୂଜା ମଣ୍ଡପରେ ଭିନ୍ନ ଭିନ୍ନ ପରମ୍ପରା ରହିଆସିଛି। ତେବେ ଚଳିତବର୍ଷ ରେଳବାଇ ଗୋଲେଇ ମାର୍କେଟ୍ ବ୍ୟବସାୟୀ ସଂଘ ପକ୍ଷରୁ ପାରମ୍ପରିକ ପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିବାକୁ ବସିଲାଣି। ସବୁଠୁ ପୁରୁଣା ପୂଜା ମଣ୍ଡପ ଭାବେ ଏହି ମାର୍କେଟ୍ ଜଣାଶୁଣା। ଚଳିତବର୍ଷ ପୂଜା ଏଠାରେ ୧୦୩ ବର୍ଷରେ ପହଞ୍ଚିଛି। ଏଠାରେ ପରମ୍ପରା ଅନୁସାରେ ଗଣେଶ ପୂଜା ପାଳନ କରାଯିବା ସହ ପୁରୁଣା ରୀତିନୀତି ଅନୁସାରେ ଗଜାନନଙ୍କ ପୂଜା କରାଯାଉଛି। ପୂଜା ପାଇଁ ଏଥର ଅନୁଷ୍ଠାନ ପକ୍ଷରୁ ୧୭ ଲକ୍ଷ ଟଙ୍କାର ବଜେଟ୍‌ ରଖଯାଇଛି। ଗଣେଶ ପୂଜାରେ ପ୍ରତିବର୍ଷ ବାଉଁଶରେ ତୋରଣ ତିଆରି ହୋଇଥାଏ। ତେବେ ଏଥର ପ୍ଲାଏରେ ତୋରଣ ତିଆରି କରାଯାଉଛି। ଏହା ସମସ୍ତଙ୍କ ପାଇଁ ଆକର୍ଷଣ ସାଜିବ। ସେହିପରି ୧୪ ଫୁଟ୍‌ର ମୂର୍ତ୍ତିକୁ ବଙ୍ଗାଳି କାରିଗରମାନେ ନିର୍ମାଣ କରିବାରେ ଲାଗି ପଡ଼ିଛନ୍ତି। ଏଥିସହ ୩ଟି ସ୍ଥାନରେ ୪୦ ଫୁଟର ଏଲ୍‌ଇଡି ଲାଇଟ୍‌ରେ ସଜେଇ ହୋଇଥିବା ଗେଟ୍ ଶୋଭା ପାଇବ। ଅନ୍ୟପଟେ ଏଠାରେ ପରମ୍ପରା ଅନୁସାରେ ଗଜାନନଙ୍କ ନିକଟରେ ପୂଜା ଆରମ୍ଭ ଦିନଠୁ ୧୧ ଦିନ ପର୍ଯ୍ୟନ୍ତ ଅଲଗା ଅଲଗା ଭୋଗ ଲାଗି ହେବାର ପରମ୍ପରା ରହିଆସିଛି। ଶେଷ ଦିନ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ରେଳବାଇ ଗୋଲେଇ ମାର୍କେଟ ଗଣେଶ ପୂଜା ଏଥର ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯିବ ବୋଲି କହିଛନ୍ତି ପୂଜା କମିଟି ସଭାପତି ସୁଜିତ କୁମାର ରାଉତରାୟ।