ଜଟଣୀ: ଗଣେଶ ପୂଜା ପାଇଁ ପାଞ୍ଚ ଦିନ ହେଲା ଜଟଣୀ ସହର ଚଳଚଞ୍ଚଳ ହୋଇଉଠିଛି। ପୂରା ସହରଟା ଏକପ୍ରକାର ମେଳାପଡ଼ିଆ ପାଲଟିଯାଇଛି। ଖୁଦୁପୁର ତଥା ନାଇଜର୍ ଛକରୁ କୁଦିଆରୀ, ହାଟବଜାରରୁ ରେତଙ୍ଗ କଲୋନି ଓ ବାଛେରାରୁ ବାଲିଛକସାହି ସବୁଠି ଉତ୍ସବର ମାହୋଲ। ଦିନ ଭିଡ଼ଠୁ ରାତିର ଗହଳି ବଳେଇପଡ଼ୁଛି। ଦିନରେ ମେଢ଼ ଦେଖିବାକୁ ସହରର ଆଖପାଖ ଗାଁଗଣ୍ଡାରୁ ଲୋକଙ୍କ ସୁଅ ଛୁଟୁଛି। ସଂଜ ନଉଁନଉଁ ସହରବାସୀ ଘରୁ ବାହାରି ଆସୁଛନ୍ତି। ଗଳିକନ୍ଦିରେ ସବୁଠି ଲୋକଙ୍କ ଭିଡ଼। ମେଢ଼ ଦେଖିବାକୁ ମଣ୍ଡପରେ ଯେତିକି ଭିଡ଼ ରାସ୍ତାଘାଟରେ ଚଟପଟି ଖାଇବାକୁ ଓ ମୀନାବଜାରରେ ସେତିକି ଗହଳି। ବଡ଼ କଥା ହେଉଛି, ସ୍ବାଭାବିକ ଭାବେ ରାତିରେ ଶୋଇଯାଉଥିବା ସହରଟି ଏବେ ଗଣେଶ ପୂଜା ପାଇଁ ରାତି ଅନିଦ୍ରା ରହୁଛି। ରାତିରେ ଅପେରା ପାର୍ଟି ପାଇଁ ସହର ‌ଚେଇଁ ରହୁଛି।   

Advertisment

ଜଟଣୀରେ ଏହି ଉତ୍ସବ ଏଗାର ଦିନ ପାଇଁ ଅର୍ଥାତ୍ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ଭିତରେ ପାଞ୍ଚ ଦିନ ବିତିଗଲାଣି। ପୂଜା ମାହୋଲ ଓ ସନ୍ଧ୍ୟା ଭିଡ଼ କମିନାହିଁ। ଆଲୋକ ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ରାତିରେ ଅଧିକ ଲୋକଙ୍କ ସମାଗମ ହେଉଛି। କେଉଁ ମଣ୍ଡପ‌‌ରେ ଭଜନ ସମାରୋହ ତ କେଉଁ ମଣ୍ଡପରେ ମେ‌ଲୋଡି ଚାଲିଛି। ହରିଭାଇନା ଛକରେ ଦେଖିବାକୁ ମିଳୁଛି ଓଡ଼ିଆ ପ୍ରାଚୀନ ସଂସ୍କୃତିର ଅନ୍ୟତମ ପରିଚୟ ପାଲା। କଟକ ବାଙ୍କୀର ଗାୟକ ସୁଦର୍ଶନ ଜେନା ଏବେ ପାଲା ପରିବେଷଣ କରୁଛନ୍ତି ଏବଂ ଆସନ୍ତା ୨ତାରିଖରୁ ଭୁବନେଶ୍ବରର ମେରୁନାଥ ମହାପାତ୍ର ଏହି ମଞ୍ଚରେ ପାଲା ପରିବେଷଣ କରିବେ। ସାହିତ୍ୟ ଓ ପୁରାଣକୁ ନେଇ ଚାଲିଥିବା ଚର୍ଚ୍ଚା ଆଜିର ଦିନରେ ବି ଲୋକଙ୍କୁ ଆକର୍ଷିତ କରୁଛି। ଏଠାରେ ପାଲାପ୍ରେମୀଙ୍କ ଭିଡ଼ ହେଉଛି। ସେହିଭଳି ଶରତ ପାଇକରାୟ ଷ୍ଟାଡିୟମ୍‌ରେ ଚାଲିଛି କଳିଙ୍ଗ ଯୁବ ପରିଷଦ ଆୟୋଜିତ ଗଣେଶ ମହୋତ୍ସବ। ସବୁଦିନ ରାତିରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକକଳା ଓ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରୁଛି। ଗତକାଲି ବାରିପଦା ଉତ୍ତରସାହିର ଛଉ ନୃତ୍ୟ ଓ ଗଞ୍ଜାମ ନରେନ୍ଦ୍ରପୁରର ଯୋଡ଼ି ଶଙ୍ଖ ଓ ରଣପା ନୃତ୍ୟ ବେଶ୍‌ ଆକର୍ଷଣୀୟ ହୋଇଥିଲା। ଥାନା ଛକରେ ଚାଲିଛି ଅପେରା ପାର୍ବତୀ ଗଣନାଟ୍ୟ। ଗୋଟିଏ ଅପେରା ଦଳ ହୋଇଥିବାରୁ ଦର୍ଶକଙ୍କ ଭିଡ଼ ଜମୁଛି। ଆଗକୁ କୋଣାର୍କ ଗଣନାଟ୍ୟ ଆସିବ ବୋଲି କୁହାଯାଉଛି। 

ଏହି ପୂଜା ପାଇଁ ଏବେ ଜଟଣୀକୁ ରେଳଯାତ୍ରୀଙ୍କ ସଂଖ୍ୟା ବଢ଼ିଛି। ବ୍ରହ୍ମପୁର, ପୁରୀ ଓ ଦଶପଲ୍ଲା ପଟୁ ଟ୍ରେନ୍‌ ଯୋଗେ ବହୁ ଲୋକ ଜଟଣୀ ଗଣେଶ ପୂଜା ଦେଖିବାକୁ ଆସୁଛନ୍ତି। ଟ୍ରେନ୍‌ରେ ଆସୁଥିବା ଲୋକେ ଗୋଲେଇ ମାର୍କେଟ୍‌, ମାଛ ମାର୍କେଟ୍‌, ସୀତାରାମ ଛକ ଆଦି ମେଢ଼ ନିକଟରେ ଭିଡ଼ କରୁଛନ୍ତି। ସେହିଭଳି ଖୋର୍ଦ୍ଧା, ପିପିଲି ଓ ଭୁବନେଶ୍ବରରୁ ଲୋକମାନେ ଗାଡ଼ିମଟରରେ ଆସୁଛନ୍ତି। ଚଳିତବର୍ଷ ସହରର ୪୫ଟି ଜାଗାରେ ପୂଜା ହେଉଛି। ସହରକୁ ବାଦ୍‌ଦେଲେ ଆଖପାଖ ଗାଁ ଯଥା କୁସୁମାଟି-ଛଣଘର, ରଥିପୁର, କନ୍ତିଆ, ଷଣ୍ଢପୁର, ଖୁଦୁପୁର, କୁମାରଖାତିଆ, ବେଲପଡ଼ା, ବଡ଼ତୋଟା, ପାତ୍ରପଡ଼ା ଆଦି ଗାଁରେ ଘରେ ଘରେ କୁଣିଆ ଭର୍ତ୍ତି ହୋଇଛନ୍ତି। ଅନ୍ୟପଟେ ପୂଜାରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ୪୦ଜଣ ଅଧିକାରୀଙ୍କ ସମେତ ୧୨ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ ହୋଇଛନ୍ତି। ଟ୍ରାଫିକ୍ ସମସ୍ୟା ନ ଉପୁଜିବା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ପୌର ପ୍ରଶାସନ, ଅଗ୍ନିଶମ ବିଭାଗ, ହସ୍ପିଟାଲ୍ କର୍ତ୍ତୃପକ୍ଷ ଓ ବିଦ୍ୟୁତ୍ ବିଭାଗ ମଧ୍ୟ ସଜାଗ ରହିଛି।