ଚଳିତବର୍ଷ ଗଣେଶ ପୂଜାରେ ଜଟଣୀ ସହର ଗତ ବର୍ଷ ତୁଳନାରେ ଅଧିକ ଚଳଚଞ୍ଚଳ ହୋଇଉଠିଛି। ପୂରା ସହର ଏକପ୍ରକାର ମେଳାପଡ଼ିଆ ପାଲଟିଯାଇଛି। ନାଇଜର୍ ଛକରୁ କୁଦିଆରୀ, ହାଟବଜାରରୁ ରେତଙ୍ଗ କଲୋନି, ବାଛେରାରୁ ବାଲିଛକସାହି ସବୁଆଡ଼େ ଉତ୍ସବର ମାହୋଲ୍। ସକାଳେ ବର୍ଷା କାରଣରୁ ପୂଜା ପରିବେଶ ଟିକେ ଫିକା ପଡ଼ିଥିଲେ ମଧ୍ୟ ସନ୍ଧ୍ୟାରେ ଭକ୍ତଙ୍କ ସମାଗମ ବଢ଼ିଥିଲା। ମଣ୍ଡପମାନଙ୍କରେ ଆଧ୍ୟାତ୍ମିକ ପରିବେଶରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ମେଳାରେ ମନୋରଞ୍ଜନ ଲାଗି ଲୋକଙ୍କ ସମାଗମ ହୋଇଛି। ସନ୍ଧ୍ୟାରେ ସହର ଏକ ଭିନ୍ନ ରୂପରେ ଦୃଶ୍ୟମାନ ହେଉଛି। ରଙ୍ଗିନ ଆଲୋକ ମାଳାରେ ସବୁଆଡ଼ ଝଲସିଉଠୁଛି।

Advertisment

ଜଟଣୀ, ୨୭/୮(ଇମିସ): ପୂଜାମଣ୍ଡପରେ ରଙ୍ଗିନ୍ ଆଲୋକ ଭିତରେ ବିଗ୍ରହମାନେ ବେଶ୍ ସୁନ୍ଦର ଦେଖାଯାଉଥିବା ବେଳେ ସବୁ ତୋରଣର ଆଖି ଝଲସା ଲାଇଟ୍ ସହରର ରାଜରାସ୍ତାକୁ ଝଲମଲ କରୁଛି। ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ପାଇଁ ଭିଡ଼ ପରିଲକ୍ଷିତ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଆୟୋଜିତ ମୀନାବଜାର ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରିଛି। ସବୁ ମଣ୍ଡପରେ ସାଜସଜ୍ଜାରେ କିଛି କିଛି ନିଆରା ଝଲକ ଦେଖିବାକୁ ମିଳୁଛି। କେଉଁଠି ଗଜାନନଙ୍କୁ ଅଶ୍ୱ ଦ୍ବାରା ଟଣାଯାଇଥିବାର ଦେଖିବାକୁ ମିଳୁଛି ତ କେଉଁଠି ଯୋଦ୍ଧା ଆକୃତିରେ ମୂର୍ତ୍ତି ବସିଛନ୍ତି। ଚଳିତ ବର୍ଷ ପ୍ରାୟ ସବୁ ମଣ୍ଡପର ମୂର୍ତ୍ତି ବଡ଼ ଓ ଅଧିକ ସୁନ୍ଦର ଦେଖାଯାଉଥିବା ଦର୍ଶକମାନେ କହୁଛନ୍ତି। ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଭିନ୍ନ ପୂଜା ମଣ୍ଡପରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିବାବେଳେ ଛୋଟପିଲାଙ୍କ ମନୋରଞ୍ଜନ ପାଇଁ ମଣ୍ଡପ ନିକଟରେ ଏଲ୍‌ଇଡି ଲାଇଟ୍‌ରେ ସିଂହ, ରାବଣ, ଡ୍ରାଗନ୍, ଭାଲୁ, ପଶୁପକ୍ଷୀଙ୍କ ଆନିମେସନ୍ କାର୍ଟୁନ୍ ପୂଜା ମାହୋଲ୍‌କୁ ଆହୁରି ସରସ ସୁନ୍ଦର କରୁଛି। ଅନ୍ୟପଟେ ଜଟଣୀ ଟାଉନ୍ ସମେତ ପାତ୍ରପଡ଼ା, ନୂଆଗାଁ, ବାଛେରା, ଖୁଦୁପୁର, କୁମାରଖାତିଆ, ଉପରବସ୍ତ, ଛଣଘର-କୁସୁମାଟି, କୁଦିଆରୀ, ରଥିପୁର ଆଦି ଗାଁରେ ଘରେ ଘରେ କୁଣିଆ ଭର୍ତ୍ତି ହୋଇଛନ୍ତି। ତେଣୁ ଘରେ ଘରେ ଖୁସିର ପରିବେଶ। ଆସନ୍ତା ଦୁଇ ଦିନ ମଧ୍ୟରେ ଅପେରା ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି। ସେହିପରି ଆସନ୍ତାକାଲିଠାରୁ ୯ଦିନ ବ୍ୟାପୀ ହରିଭାଇନା ଛକରେ ପାଲା ଆରମ୍ଭ କରାଯିବ। ଶରତ ପାଇକରାୟ ଷ୍ଟାଡିୟମ୍ ଓ ଖୁଦୁପୁର ପଡ଼ିଆରେ ମୀନାବଜାର ପଡ଼ିଛି।  

ଲାଗି ହେଲା ଶିରିଣି ଭୋଗ
ପୂରାତନ ପୂଜା ମଣ୍ଡପ ଭାବେ ଜଟଣୀ ହରିଭାଇନା ବ୍ୟବସାୟୀ ସଂଘ ପକ୍ଷରୁ ଚଳିତବର୍ଷ ଧୁମ୍‌ଧାମରେ ପୂଜା ପାଳନ ଆରମ୍ଭ ହୋଇଛି। ଏଥିସହ ୪ଟି ୫୦ଫୁଟ୍‌ର ଲାଇଟ୍ ଗେଟ୍ ଶହ ୫୦ଫୁଟ୍‌ର ତୋରଣ ଶୋଭାପାଉଛି। ସେହିପରି ୧୫ଫୁଟ୍ ଉଚ୍ଚର ଗଜାନନଙ୍କ ମୂର୍ତ୍ତି ବେଶ୍‌ ଆକର୍ଷଣ ସାଜିଛି। ଏହି ପୂଜାମଣ୍ଡପରେ ଏକା ସାଙ୍ଗରେ ଗଣେଶ, ଲକ୍ଷ୍ମୀ, ସରସ୍ୱତୀ ଓ ନାରାୟଣ ଠାକୁର ଆଜିଠୁ ପୂଜା ପାଉଛନ୍ତି। ଆଜିଠୁ ଗଜାନନଙ୍କ ନିକଟରେ ଶିରିଣି ଭୋଗ ଲାଗି ହୋଇଛି।

ପୂଜା ମଣ୍ଡପରେ ‘ଥାନା ଭୋଗ’
ଜଟଣୀ ଥାନା ଛକରେ ବ୍ୟବସାୟୀ ସଂଘ ପକ୍ଷରୁ ଗଜାନନଙ୍କ ପୂଜା ଆରମ୍ଭ ହୋଇଛି। ଏହି ପୂଜା ମଣ୍ଡପରେ ପ୍ରଥମ ଦିନ ଓ ଅନ୍ତିମ ଦିନରେ ଜଟଣୀ ଥାନାରୁ ଭୋଗ ଲାଗି କରାଯିବାର ବିଧି ରହିଛି। ଏଠାରେ ସ୍ୱତନ୍ତ୍ର ଭାବେ ଗଜାନନଙ୍କ ନିକଟରେ ଲିଆ ଓ ଛେନାର ପ୍ରସ୍ତୁତି ଭୋଗ ସହ ପ୍ରତିଦିନ ଖଜା, କାକରା, ଖେଚୁଡି, ରସଗୋଲା, ଲଡୁ, ଚୁଡ଼ା ଘସା, ମାଲପୁଆ ଆଦି ଭୋଗ ଲାଗି ହୁଏ। ତେଣୁ ପ୍ରଥା ଅନୁସାରେ ଆଜିଠୁ ଏହି ପରମ୍ପରା ଆରମ୍ଭ କରାଯାଇଛି। 

୧୧ ଦିନରେ ୧୧ ପ୍ରକାର ଭୋଗ 
ପୁରୁଣା ପୂଜା ମଣ୍ଡପ ଭାବେ ରେଳବାଇ ଗୋଲେଇ ମାର୍କେଟ୍ ଜଣାଶୁଣା ରହି ଆସିଥିବା ବେଳେ ଚଳିତବର୍ଷ ପୂଜା ୧୦୩ବର୍ଷରେ ପଦାର୍ପଣ କରିଛି। ଏଥର ସଂପୂର୍ଣ୍ଣ ପ୍ଲାଏରେ ତିଆରି ତୋରଣ ସାଙ୍ଗକୁ ୧୪ଫୁଟ୍‌ର ଗଜାନନଙ୍କ ମୂର୍ତ୍ତିକୁ ମଧ୍ୟ ଶୋଭା ପାଇଛି। ପରମ୍ପରା ଅନୁସାରେ ଆଜିଠୁ ଗଜାନନଙ୍କ ନିକଟରେ ପୂଜା ଆରମ୍ଭ ଭୋଗ ଲାଗି ହେବା ସହ ଆସନ୍ତା ୧୧ଦିନ ପର୍ଯ୍ୟନ୍ତ ଅଲଗା ଅଲଗା ଭୋଗ ଲାଗି ହେବାର ପରମ୍ପରା ରହିଆସିଛି।

ଲାଗିହେବ ୨୧ ପ୍ରକାର ଶୁଖିଲା ଭୋଗ 
ପରିବା ଓ ମାଛ ମାର୍କେଟ୍ ବ୍ୟବସାୟୀ ସଂଘର ପୂଜାନୁଷ୍ଠାନ ଚଳିତବର୍ଷ ୫୨ ବର୍ଷରେ ପଦାର୍ପଣ କରିଛି। ପୂଜାରେ ଚଳିତବର୍ଷ ପରମ୍ପରା ଅନୁସାରେ ୧୧ଦିନ ବ୍ୟାପୀ ଗଜାନନଙ୍କ ନିକଟରେ ୨୧ପ୍ରକାରର ଶୁଖିଲା ଭୋଗ ଲାଗି ହେବାର ପରମ୍ପରା ରହି ଆସିଥିବା ବେଳେ ଆଜି ପ୍ରଥମ ଦିନରେ ଦୁଇ ପ୍ରକାର ଭୋଗ ଲାଗି କରାଯାଇଛି। ଏଥିସହ ଗଜାନନଙ୍କ ୯ ଫୁଟ୍ ଉଚ୍ଚ ମୂର୍ତ୍ତି ଶୋଭା ପାଉଛି।