ଜଟଣୀ: ଭୁବନେଶ୍ବର ମହାନଗର ନିଗମ(ବିଏମସି) ଅଞ୍ଚଳରୁ ପ୍ରତିଦିନ ବାହାରୁଛି ଶହଶହ ଟନ୍ ଅଳିଆ ଆବର୍ଜନା। ଏହାର ପରିଚାଳନା ପାଇଁ ବିଏମସି ପାଖରେ ଯଥେଷ୍ଟ ବ୍ୟବସ୍ଥା ନାହିଁ। ଏଥିପାଇଁ ବିଏମ୍ସି ପକ୍ଷରୁ ବାରମ୍ବାର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ପକାଇବା ପାଇଁ ଉଦ୍ୟମ ହେଉଛି। ଆଉ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି। ଏ ପରିପ୍ରେକ୍ଷୀରେ ଜଟଣୀସ୍ଥିତ ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟ ଆଗରେ ଥିବା ପଥରଖଣିରେ ବିଏମ୍ସିର ଆବର୍ଜନା ପକାଇବାକୁ ନେଇ ଆଜି ଏଠାରେ ଅସନ୍ତୋଷ ଦେଖାଦେଇଛି। ଏପରିକି ଅଳିଆ ଆବର୍ଜନା ନେଇ ଆସିଥିବା ବିଏମ୍ସିର ଗାଡ଼ିକୁ ଘୋର ବିରୋଧ କରାଯିବାରୁ ସେମାନେ ଏହି ଆବର୍ଜନା ପକାଇ ନ ପାରି ଫେରି ଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ଅଳିଆ ଆବର୍ଜନା ନେଇ ୧୫ରୁ ଊର୍ଦ୍ଧ୍ବ ଟ୍ରକ୍ ଜଟଣୀସ୍ଥିତ ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟ ଆଗରେ ଥିବା ପଥରଖଣିରେ ପକାଇବାକୁ ଆସିଥିବା ବେଳେ ଛଣଘର ପଞ୍ଚାୟତର ଜନସାଧାରଣ ଓ ଜଟଣୀ ଜନସାଧାରଣ ଏହାକୁ ବିରୋଧ କରିଥିଲେ। ଏହି ଗାଡ଼ିଗୁଡ଼ିକ ନେଇ ଆସିଥିବା ଡେପୁଟି କମିସନର ଲୋକଙ୍କ ବିରୋଧ ଯୋଗୁଁ ବାଧ୍ୟ ହୋଇ ଏଗୁଡ଼ିକୁ ଫେରାଇ ନେଇଥିଲେ। କିନ୍ତୁ ଲୁଚାଛପା ଭାବେ ପ୍ରଥମେ ଏହି ଅଳିଆକୁ ଜଟଣୀ ପୌର ପରିଷଦର ଡମ୍ପିଂୟାର୍ଡରେ ପକାଇବାକୁ ଯାଇଥିବା ବେଳେ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟିକୁ ଆସିଥିଲା। ସେ ଜଟଣୀ ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ମନା କରିଥିଲେ। ଫଳରେ ବିଏମସି ପକ୍ଷରୁ ଅଳିଆ ନେଇ ଆସିଥିବା ଏହି ଗାଡ଼ିଗୁଡ଼ିକ ପଥରଖଣି ଗାତରେ ପକାଇବାକୁ ଯାଇଥିଲେ। ଏହି ଖବର ପ୍ରଚାର ହେବା ପରେ ଛଣଘର ସରପଞ୍ଚ, ଜଟଣୀ ପୌରାପରିଷଦ ପୂର୍ବତନ ଅଧ୍ୟକ୍ଷ ଲୋକମାନଙ୍କ ସହ ମିଶି ସେମାନଙ୍କୁ ବିରୋଧ କରିଥିଲେ। ଏଭଳି ଚକ୍ରାନ୍ତକୁ ଜଟଣୀବାସୀ ବରଦାସ୍ତ କରିବେ ନାହିଁ। ଆଗାମୀ ଦିନରେ ବିଏମ୍ସିର ଗୋଟେ ଗାଣ୍ତୁଆ ଅଳିଆ ଯେପରି ଜଟଣୀ ଅଞ୍ଚଳରେ ନ ପଡ଼େ ସେଥିପ୍ରତି ଜନସାଧାରଣ ସଜାଗ ରହିବାକୁ ବୁଦ୍ଧିଜୀବୀ ମହଲରେ ଆହ୍ବାନ କରାଯାଇଛି।