ଜଟଣୀ: ଜଟଣୀ ଏଖରାଜାତ ମାହାଲ ଜମି ବିବାଦ ତୁଟିବାର ନାଁ ଧରୁନି। ବର୍ଷ ବର୍ଷ ଧରି ଅପେକ୍ଷାକରି ସ୍ଥିତିବାନ ପ୍ରଜାମାନେ ନିରାଶ ହେଉଛନ୍ତି। ଲୋକଙ୍କର ଆଶା ଥିଲା, ଅନ୍ତତଃ ନିର୍ବାଚନ ପୂର୍ବରୁ ମାମଲାର ସମାଧାନ ପାଇଁ ପ୍ରଶାସନ ଓ ଜନନେତାଙ୍କ ପକ୍ଷରୁ ନିଷ୍ଠାପର ଉଦ୍ୟମ ହେବା କିନ୍ତୁ ତାହା ହେଲାନାହିଁ। ଏହାରି ମଧ୍ୟରେ ରାଜ୍ୟରେ ସରକାର ବଦଳି ଯାଇଛି, ତଥାପି ଏଖରାଜାତ ମାହାଲ ଜମି ବିବାଦ ମାମଲା ଯେଉଁଠି ଥିଲା, ସେଇଠି ରହିଛି। ଫଳରେ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିଚାଲିଛି।
ସୂଚନାନୁସାରେ, ୧୯୬୩-୧୯୬୫ ମସିହାରେ ଏଖରାଜାତ ମାହାଲ ଚୂଡ଼ାନ୍ତ ବନ୍ଦୋବସ୍ତ ପରେ ରୟତମାନେ ରୟତି ଅଧିକାର ପାଇଥିଲେ। ଶ୍ରୀମନ୍ଦିର ପ୍ରଶାସନକୁ ଖଜଣା ଦେବା ସହ ଜମିବାଡ଼ି କିଣାବିକା କରୁଥିଲେ। ୧୯୭୪ ମସିହାରେ ରାଜ୍ୟ ସରକାରଙ୍କଠାରୁ କ୍ଷତିପୂରଣ ପାଇବା ପରେ ୧୫୬ଟି ଗ୍ରାମ ରାଜ୍ୟ ସରକାରଙ୍କ ଅଧୀନକୁ ଚାଲି ଯାଇଥିଲା। ପରେ ୨୦୧୩ ମସିହାରେ ଜଟଣୀ ଏଖରାଜାତ ମାହାଲ ଜମି ବିବାଦ ଆରମ୍ଭ ହୋଇଥିଲା। ସ୍ଥିତିବାନ ପ୍ରଜାମାନେ ବାପାଅଜା ଅମଳରୁ ଭୋଗ ଦଖଲ କରି ଆସୁଥିବା ଜମିଗୁଡ଼ିକୁ ସରକାର ଶ୍ରୀଜୀଉଙ୍କ ଅମୃତମଣୋହି ଜମି ଦର୍ଶାଇ ରାତାରାତି ଶ୍ରୀଜଗନ୍ନାଥଙ୍କ ବିଜେପୁରୀଙ୍କ ନାମରେ ରେକର୍ଡ କରିଦେଇଥିଲେ। ଉକ୍ତ ଖାତାଖତିଆନରୁ ସ୍ଥିତିବାନ ପ୍ରଜାଙ୍କ ନାମ କାଟି ଦେଇଥିଲେ। ପରେ ଏହି ଜମିକୁ ନେଇ ସରକାର କିଣାବିକା ଉପରେ ରୋକ୍ ମଧ୍ୟ ଲଗାଇଲେ। ସେହିଦିନଠାରୁ ଏଖରାଜାତ ମାହାଲର ୩୬ଟି ମୌଜାର ସ୍ଥିତିବାନ ପ୍ରଜାଙ୍କ ଦୁଃଖ ଲାଗି ରହିଛି। ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ଆନ୍ଦୋଳନ ଓ ଅଦାଲତରେ ମାମଲା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହାର ସମାଧାନ ହୋଇପାରିଲା ନାହିଁ। ନିର୍ବାଚନ ପରେ ନିର୍ବାଚନ ଆସିଛି, ଲୋକ ପ୍ରତିନିଧି ବଦଳିଛନ୍ତି, ହେଲେ ସମସ୍ୟାର ସମାଧାନ କରିବାକୁ କେହି ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଗତ ୧୧ବର୍ଷ ହେଲା ପ୍ରଜାମାନେ ଜମିବାଡ଼ି କିଣାବିକା କରି ପାରୁ ନଥିବା ବେଳେ ଆର୍ଥିକ ଅନଟନରେ ଘାଣ୍ଟି ହେଉଥିବା ଅଭିଯୋଗ କରିଛନ୍ତି।
ପୂର୍ବ ସରକାରଙ୍କ ସମୟରେ ୨୦୨୩ ଅଗଷ୍ଟ ୨୩ ତାରିଖରେ ଖୁଦୁପୁର ପଡ଼ିଆରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଥିରେ ଜଟଣୀବାସୀଙ୍କ ମୁଖ୍ୟ ସମସ୍ୟା ଏଖରାଜାତ ମାହାଲ ଜମି ବିବାଦ ତୁରନ୍ତ ସମାଧାନ କରିବାକୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ପରେ ଡିସେମ୍ବର ଶେଷ ସୁଦ୍ଧା ସମାଧାନ ହୋଇଯିବ ବୋଲି ଘୋଷଣା ହୋଇଥିଲା। ସ୍ଥିତିବାନ ପ୍ରଜାମାନେ ସେଥିରେ ଅତ୍ୟନ୍ତ ଖୁସି ହୋଇଥିଲେ ଓ ତାଙ୍କ ଦୁଃଖ ଦୂରହେବ ବୋଲି ଆଶା କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ୨୦୨୪ ଜାନୁଆରି ୩୧ ପୂର୍ବରୁ ଫଳାଫଳ ଘୋଷଣା କରିବାକୁ ପୁଣି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ସେ ଅବଧି ମଧ୍ୟ ବିତିଗଲା, କିଛି ହେଲାନାହିଁ। ଏହାରି ମଧ୍ୟରେ ବିଜେଡି ସରକାର ବଦଳି ବିଜେପି ରାଜ୍ୟରେ ଶାସନ କରୁଛି। ତଥାପି ପ୍ରଜାମାନଙ୍କ କଥା ଭାବିବାକୁ କାହା ପାଖରେ ସମୟ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି ସ୍ଥିତିବାନ ପ୍ରଜାମାନେ ତାଙ୍କୁ ଜମିବାଡ଼ି ଫେରାଇ ଦେବା, ଜମିବାଡ଼ି କିଣାବିକା ପାଇଁ ଅନୁମତି ଦେବା ତଥା ୨୦୧୩ ବନ୍ଦୋବସ୍ତ ପ୍ରକ୍ରିୟାକୁ ଉଚ୍ଛେଦ କରିବାକୁ ଦାବି କରୁଛନ୍ତି। ରାଜ୍ୟ ସରକାର ଯେପରି ସ୍ଥିତିବାନ ପ୍ରଜାଙ୍କ ଜମିକୁ ସରକାରୀ ଆଦେଶ ବଳରେ ବଦଳାଇ ଶ୍ରୀଜଗନ୍ନାଥଙ୍କ ବିଜେପୁରୀଙ୍କ ନାମରେ କରି ଦେଇଥିଲେ, ଠିକ୍ ସେହିପରି ତାହାକୁ ପ୍ରଜାଙ୍କ ଖାତାକୁ ଫେରାଇ ଦିଅନ୍ତୁ ବୋଲି ସଂପୃକ୍ତ ସ୍ଥିତିବାନ ପ୍ରଜାଙ୍କ ସହ ସେମାନଙ୍କର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/jatani-tahasil-office.jpg)