ଜଟଣୀ: ସ୍ଥାନୀୟ ସୀତାରାମ ଛକରୁ କୁଦିଆରୀ ବଜାରକୁ ସଂଯୋଗ କରୁଥିବା ରେଳ ଭୂତଳ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ନିୟମିତ ବ୍ୟବଧାନରେ ମରାମତି ଓ ରକ୍ଷଣାବେକ୍ଷଣ ହେଉ ନଥିବାରୁ ଏହି ଭୂତଳ ରାସ୍ତା ବର୍ତ୍ତମାନ ବଡ଼ କଦର୍ଯ୍ୟ ହୋଇପଡ଼ିଛି। ପ୍ରାୟ ଅଧ କି.ମି ବିଶିଷ୍ଟ ଏହି ରାସ୍ତା ସାରା ଖାଲଖମା ଭର୍ତ୍ତି ହୋଇରହିଛି। ସମ୍ପ୍ରତି ଏଠାରେ ଫ୍ଲାଏଓଭର୍ ନିର୍ମାଣ ସରିବା ଉପରେ। ଆସନ୍ତା ୧୫ତାରିଖ ସୁଦ୍ଧା ସବୁ କାମ ସରିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଫଳରେ ଏଣିକି ଏହି ଭୂତଳ ରାସ୍ତାରେ ଉପରେ ଲୋକଙ୍କ ନିର୍ଭରଶୀଳତା ବହୁତ କମିଯିବ। କିନ୍ତୁ ଏହି ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହେବ ନାହିଁ। କାରଣ ଏହି ଭୂତଳ ରାସ୍ତା ଫ୍ଲାଏଓଭର୍ ସର୍ଭିସ୍ ରୋଡ୍ ଭାବେ କାମ କରିବ। ତେଣୁ ଏହି ଭୂତଳ ରାସ୍ତାର ନବୀକରଣ ଜରୁରୀ ହୋଇପଡ଼ିଛି।
ସୂଚନାଯୋଗ୍ୟ ଯେ ୧୯୬୦ ମସିହା ପୂର୍ବରୁ ଏଠାରେ ରେଳବାଇର ଏକ ଲେଭଲ୍ କ୍ରସିଂ ଥିଲା। ଖୋର୍ଦ୍ଧାରୋଡ୍ ଜଙ୍କସନ୍ର କଳେବର ବଢ଼ିବା ପରେ ଏହି ଲେଭଲ୍ କ୍ରସିଂ ପାର୍ ହେବା କଷ୍ଟକର ହୋଇପଡ଼ିଲା। ତେଣୁ ପରେ ଏହି ଭୂତଳ ରାସ୍ତା ନିର୍ମାଣ କରାଯାଇଥିଲା। ସେବେଠୁ ଏହି ଭୂତଳ ରାସ୍ତାଟି ଜଟଣୀ ସହର ପାଇଁ ବେଶ୍ ଉପଯୋଗୀ ହୋଇଆସିଛି। ପୁଣି ଏଠାରେ ରହିଛି ଭୂତଳ ଡ୍ରେନ୍। ବର୍ଷାଜଳ ଓ ସହରର ଡ୍ରେନ୍ ପାଣି ଏହି ଭୂତଳ ଡ୍ରେନ୍ ଦେଇ ନିଷ୍କାସିତ ହେଉଛି। ତେବେ ଯେଉଁ ଭୂତଳ ରାସ୍ତା ଦିନେ ଜଟଣୀବାସୀଙ୍କ ପାଇଁ ବେଶ୍ ଉପଯୋଗୀ ଥିଲା, ଗତ କିଛି ବର୍ଷ ହେଲା ତାହା ଜଟଣୀର ଦୁଃଖ ପାଲଟି ଯାଇଛି। ବିଶେଷକରି ବର୍ଷା ଦିନେ ଏହି ରାସ୍ତାରେ ୫୦ ଫୁଟ୍ ଭଳି ଉଚ୍ଚରେ ଜଳ ଜମି ରହୁଛି। ଫଳରେ ଘଣ୍ଟା ଘଣ୍ଟା ଧରି ଅର୍ଥାତ୍ ଜଳ ନିଷ୍କାସନ ହେବା ପର୍ଯ୍ୟନ୍ତ ଏହି ରାସ୍ତାରେ ଚଳାଚଳ ପୂରା ଠପ୍ ହୋଇଯାଉଛି।
ଏମିତିକି ଏଠାରେ ବର୍ଷା ଜଳରେ ବୁଡ଼ି ଅନେକ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ଏବେ ଫ୍ଲାଏଓଭର୍ ନିର୍ମାଣ ହୋଇଥିବାରୁ ଲୋକଙ୍କୁ ଆଉ ଏଭଳି ସମସ୍ୟା ଭୋଗିବାକୁ ପଡ଼ିବନି ବୋଲି କୁହାଯାଉଛି। କିନ୍ତୁ ସର୍ଭିସ୍ ରୋଡ୍ରେ ନିର୍ଭର କରୁଥିବା ଲୋକଙ୍କ ପାଇଁ ସମସ୍ୟା ରହିବ। ସେହିଭଳି କୌଣସି କାରଣରୁ(ଓଭରବ୍ରିଜ୍ ଉପରେ ଦୁର୍ଘଟଣା ଘଟିଲେ) ଫ୍ଲାଏଓଭର୍ ଉପରେ ଯାନବାହାନ ଚଳାଚଳ ସାମୟିକ ଭାବେ ବନ୍ଦ ରହିଲେ, ଏହି ସର୍ଭିସ୍ ରୋଡ୍ ଜରୁରି ହୋଇପଡ଼ିବ। ମାତ୍ର ଏବେ ଏହାର ଅବସ୍ଥା ବଡ଼ ଭୟଙ୍କର। କେଉଁଠି ବଡ଼ବଡ଼ ଖାଲ ତ କେଉଁଠି କଳଙ୍କି ଲାଗିଥିବା ରଡ୍ ବାହାରିଛି। ତେଣୁ ତୁରନ୍ତ ମରାମତି ଆବଶ୍ୟକ ହୋଇପଡ଼ିଛି। ଏନେଇ ଖୋର୍ଦ୍ଧାରୋଡ୍ ମଣ୍ଡଳର ବରିଷ୍ଠ ଇଞ୍ଜିନିୟର ଚନ୍ଦ୍ରଭାନୁ ନାୟକ କହିଛନ୍ତି ଯେ ନିୟମିତ ବ୍ୟବଧାନରେ ଏହି ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ କରାଯାଉଛି। ମାତ୍ର ମରାମତି ବେଳେ ଅଧିକ ଦିନ ପାଇଁ ରାସ୍ତାକୁ ବନ୍ଦ କରି ରଖିବା ସମ୍ଭବ ହେଉ ନଥିବାରୁ କମ୍ ଦିନରେ ରାସ୍ତା ଅବସ୍ଥା ପୁଣି ଖରାପ ହୋଇପଡ଼ୁଛି। ସେହିଭଳି ଦିନକୁ ଦିନ ଏହି ରାସ୍ତାରେ ଗାଡ଼ି ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ କେବଳ ରାତିରେ କମ୍ ସମୟ ମଧ୍ୟରେ ଅଳ୍ପଅଳ୍ପ କରି ହିଁ ମରାମତି କାମ କରାଯାଉଛି। ଫ୍ଲାଏଓଭର୍ ଚାଲୁ ହୋଇଯିବା ପରେ ଏହି ଅଂଶକୁ ଭଲ ଭାବେ ମରାମତି କରାଯିବ। ଏମିତିକି ଭୂତଳ ଡ୍ରେନ୍କୁ ସଫା କରାଯିବା ସହ ମରାମତି କରାଯିବ।