ଜଟଣୀ: ଶହଶହ ବର୍ଷ ଧରି ଭାରତରେ ବହୁ ଧର୍ମର ଲୋକେ ବସବାସ କରିଆସୁଛନ୍ତି। ବିବିଧତାରେ ଏକତା ହେଉଛି ଭାରତର ସ୍ବତନ୍ତ୍ର ପରିଚୟ। ଭାରତ ହିଁ ଏକମାତ୍ର ଦେଶ ଯିଏ ବିଶ୍ବଭାତୃତ୍ବର କଥା କହେ। ଏହା ଆମର ପ୍ରାଚୀନ ସଂସ୍କୃତି ଓ ଐତିହ୍ୟ। ଯୁବପିଢ଼ି ଏସବୁ ବିଷୟରେ ଭଲ ଭାବେ ଅବଗତ ହେଲେ ଯାଇ ଦେଶର ବିକାଶ ସମ୍ଭବ। ଆଜି ଜଟଣୀରେ ୨୨ତମ ପୁସ୍ତକମେଳାର ଉଦ୍ଘାଯନୀ ଉତ୍ସବର ଅତିଥିମାନେ ଏଭଳି କହିଛନ୍ତି।
ଜଟଣୀ ପୁସ୍ତକମେଳା ସମିତି ପକ୍ଷରୁ ଟାଉନ ହଲ୍ଠାରେ ୨୨ତମ ଜଟଣୀ ପୁସ୍ତକମେଳା ଉଦ୍ଘାଟିତ ହୋଇଯାଇଛି। ସମିତିର କାର୍ଯ୍ୟକାରୀ ସଭାପତି କୁମାର ମୋହନ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜାତୀୟ ବିଜ୍ଞାନ ଶିକ୍ଷା ଗବେଷଣା ପ୍ରତିଷ୍ଠାନ(ନାଇଜର)ର ନିର୍ଦ୍ଦେଶକ ସୁଧାକର ପଣ୍ଡା ଯୋଗଦେଇଥିଲେ। ଭାରତର ପ୍ରାଚୀନ ପରମ୍ପରା, ଐତିହ୍ୟ, ସଂସ୍କୃତି, ଭାଷା, ଭାଇଚାରା ଓ ଭାବ ସମୁଦାୟ ବାବଦରେ ଛାତ୍ର ଓ ଯୁବ ସମାଜ ଉପଯୁକ୍ତ ଶିକ୍ଷା ପାଇବା ଏବଂ ସେସବୁକୁ ସୁରକ୍ଷା ଦେବାକୁ ଆଗେଇ ଆସିବା ଆବଶ୍ୟକ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମର ମୁଖ୍ୟବକ୍ତା ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ କହିଥିଲେ ଯେ ସର୍ବଧର୍ମୀଙ୍କର ଏକତ୍ର ଭାବ ଦ୍ବାରା ଦେଶ ଆଗକୁ ଯାଇପାରିବ। ସମ୍ମାନିତ ଅତିଥି ଭାବେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଡିନ୍ ରମେଶ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ।
ଆଜି ଅତିଥିମାନଙ୍କ ଦ୍ୱାରା ୪ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଶଶି ରଥଙ୍କ ‘ଭୁବନେଶ୍ବରୀ’, ପଦ୍ମନାଭ ପାଣିଗ୍ରାହୀଙ୍କ ‘ଜୀବନ ଦର୍ଶନ’, ପ୍ରଫୁଲ୍ଲ କୁମାର ମହାରଣାଙ୍କ ‘ବାଲିଘର’ ଓ ସମ୍ପର୍ଣ୍ଣା ପଟ୍ଟନାୟକଙ୍କ ଇଂରାଜୀ ପୁସ୍ତକ ‘ଦ ଫିଲିଙ୍ଗସ୍; ଆଇ ହାଭ୍ ଲଭଡ୍ ଆଣ୍ଡ୍ ହର୍ଟ’ ଉନ୍ମୋଚିତ ହୋଇଥିଲା। ସଂପାଦକ ଅକ୍ଷୟ କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଜବାହରଲାଲ ସୁବୁଦ୍ଧି, ଆଦିନାରାୟଣ ଖଣ୍ଡୁଆଳ, କିଶୋରଚନ୍ଦ୍ର ପାଇକରାୟ, ଭବାନୀ ଶଙ୍କର ମହାପାତ୍ର, କ୍ଷୀରୋଦ କୁମାର ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ ଶ୍ୱସ୍ତିଦା ପାଲ୍ ଧନ୍ୟବାଦ ଦେଇଥିଲେ।